କନକ ବ୍ୟୁରୋ : ମହାସମର ପାଇଁ ସମରସଜ୍ଜା । ବିଶ୍ୱକପ୍ ପାଇଁ ବିରାଟ ବାହିନୀ । ଆସନ୍ତା ୨୦୧୯ କ୍ରିକେଟ ବିଶ୍ୱକପ୍ ପାଇଁ ଭାରତୀୟ କ୍ରିକେଟ ବୋର୍ଡ ୧୫ ଜଣିଆ ଦଳ ଘୋଷଣା କରିଛି । ବିଶ୍ୱ କପରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ ବିରାଟ କୋହଲି । ରୋହିତ ଶର୍ମାଙ୍କ ହାତରେ ଉପ-ଅଧିନାୟକ ଦାୟିତ୍ୱ ଦେଇଛି ବିସିସିଆଇ । ଏହା ସହ ଟିମରେ ଅଛନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସହ ୩ ଜଣ ଫାଷ୍ଟ ବୋଲର, ୩ ଜଣ ସ୍ପିନର ବୋଲର । ଅଲରାଉଣ୍ଡର ବିଜୟ ଶଙ୍କର ଓ ହାର୍ଦ୍ଦିକ ପାଣ୍ଡ୍ୟା ସହ ଶିଖର ଧୱନ, କେଏଲ ରାହୁଲ, ଦିନେଶ କାର୍ତିକ, କେଦାର ଯାଦବ ମଧ୍ୟ ଦଳରେ ସାମିଲ ହୋଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ସବୁଠାରୁ ବଡ କଥା ହେଉଛି, ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଚତୁର୍ଥ ଥର ପାଇଁ ବିଶ୍ୱକପ ଖେଳିବାକୁ ଯାଉଥିବା ବେଳେ, ୧୫ ଖେଳାଳୀଙ୍କ ମଧ୍ୟରୁ ଏମିତି ୮ ଜଣ ଖେଳାଳୀ ଅଛନ୍ତି, ଯେଉଁମାନେ ପ୍ରଥମ ଥର ପାଇଁ ବିଶ୍ୱକପ ଖେଳିବାକୁ ଯାଉଛନ୍ତି ।
୧. କେ.ଏଲ୍. ରାହୁଲ
୨. ଦିନେଶ କାର୍ତ୍ତିକ ( ୨୦୦୭ରେ ଦଳରେ ଥିଲେ, କିନ୍ତୁ ଖେଳିବାର ସୁଯୋଗ ପାଇନଥିଲେ ) ।
୩. କେଦାର ଯାଦବ
୪. ବିଜୟ ଶଙ୍କର
୫. କୁଲଦୀପ ଯାଦବ
୬. ୟୁଜବେନ୍ଦ୍ର ଚହଲ
୭. ହାର୍ଦ୍ଦିକ ପାଣ୍ଡ୍ୟା
୮. ଜସପ୍ରିତ ବୁମରା
ଏହି ୮ ଜଣ ଖେଳାଳୀ ପ୍ରଥମ ଥର ପାଇଁ ବିଶ୍ୱକପ ଖେଳିବାକୁ ଯାଉଛନ୍ତି । କିନ୍ତୁ ସବୁଠାରୁ ବଡ କଥା ହେଉଛି, ବିଗତ କିଛି ବର୍ଷ ଧରି ଏହି ଖେଳାଳୀମାନେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଅଂଶ ହୋଇ ରହିଆସିଛନ୍ତି । ତେବେ ୧୯୮୩ ଓ ୨୦୧୧ ଦୁଇ ଥର କ୍ରିକେଟ ବିଶ୍ୱକପ୍ ଜିତିଥିବା ଭାରତ, ଆସନ୍ତା ଜୁନ୍ ୬ରେ ଦକ୍ଷିଣ ଆଫ୍ରିକା ବିରୋଧରେ ପ୍ରଥମ ମ୍ୟାଚ ଖେଳିବ । ଆଉ ଏହାରି ଭିତରେ ସମସ୍ତଙ୍କ ଅପେକ୍ଷା ରହିଛି ଜୁନ ମାସ ୧୬ ତାରିଖକୁ । ଯେତେବେଳେ ମୁହାଁମୁହିଁ ହେବେ ବିଶ୍ୱର ଦୁଇ ପ୍ରମୁଖ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଦଳ ଭାରତ ଏବଂ ପାକିସ୍ତାନ ।