୭୮ବର୍ଷ ବୟସରେ ‘ହିରୋ’ ପାଲଟିଛନ୍ତି ଏହି ଶିକ୍ଷକ: ପ୍ରତିଦିନ ୫ଘଣ୍ଟା କରୁଛନ୍ତି ସହରର ସଫେଇ ।

40

ସବୁବେଳେ ଲୋକମାନେ ନିଜ ଆଖ ପାଖରେ ପଡ଼ିଥିବା ଅଳିଆ ଅବର୍ଜନାକୁ ଦେଖି ନାକ ଟେକିବା ସହ ଏଥି ପାଇଁ ସରକାରଙ୍କୁ ଦାୟୀ କରିଥାନ୍ତି । କିନ୍ତୁ କେହି ଆଗକୁ ବଢ଼ି ନିଜ ପରିବେଶକୁ ପରିଷ୍କାର କରନ୍ତି ନାହିଁ । କିନ୍ତୁ ୭୮ବର୍ଷିୟ ଅବସରପ୍ରାପ୍ତ ଶିକ୍ଷକ ରୁପ ନାରାୟଣ ନିରଞ୍ଜନ ଏପରି କରନ୍ତି ନାହିଁ । ମନରେ କୌଣସି କିନ୍ତୁ ଭାବ ନ ରଖି ପ୍ରତିଦିନ ସକାଳ ୪.୩୦ରେ ଉଠି ସେ ସଫେଇ କରିବାକୁ ବାହାରିଥାନ୍ତି । ପ୍ରତିଦିନ ୫ଘଣ୍ଟା ସଫେଇ କାର‌୍ୟ୍ୟ କରିବା ପରେ ସେ ଘରକୁ ଫେରିଥାନ୍ତି ।

୧୯୯୯ରେ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହୋଇ ସାରିଥିବା ରୁପ ନାରାୟଣ ନିଜ ଟଙ୍କାରେ ସ୍କୁଲ ଏବଂ ସଡ଼କ ତିଆରି କରି ସାରିଛନ୍ତି । ସେ ଯେତେବେଳେ ସଫେଇ କରିବା ପାଇଁ ହାତରେ ଫାଉଡ଼ା ଏବଂ ପଲିଥିନି ଧରି ବାହାରନ୍ତି ସେତେବେଳେ ଲୋକେ ତାଙ୍କୁ ଦିନ ମଜୁରିଆ ବୋଲି ଭାବିଥାନ୍ତି । ରୁପ ନାରାୟଣଙ୍କ କହିବା ଅନୁଯାୟୀ ତାଙ୍କ ବାପା ଜମିଦାର ଥିଲେ । ସମାଜସେବା କରିବାର ପ୍ରେରଣା ତାଙ୍କୁ ବାପାଙ୍କଠାରୁ ମିଳିଥିଲା । ୧୯୬୪ରେ ସେ ଶିକ୍ଷକ ହୋଇଥିଲେ । ୧୯୭୩ରେ ତାଙ୍କର ଯେଉଁଠାକୁ ଟ୍ରାନ୍ସଫର ହେଲା ସେଠାରେ ଗମନାଗମନ ସୁବିଧା ନ ଥିଲା । ସେଥିପାଇଁ ସେ ନିଜ ଟଙ୍କାରେ ସଡ଼କ ତିଆରି କରିଥିଲେ । ୨୦୦୨ରେ ଅବସର ନେବା ପରେ ସେ ସଂପୂର୍ଣ୍ଣ ଭାବରେ ସମାଜ ସେବାରେ ଲାଗି ଯାଇଥିଲେ ।