ଯାତ୍ରୀବାହୀ ବସ-ଜିପ ମୁହାଁମୁହିଁ ଧକ୍କା ! ଘଟଣାସ୍ଥଳରେ ଚାଲିଗଲା ୭ ଜୀବନ, ୧୨ ହେଲେ ଆହତ

615

କନକ ବ୍ୟୁରୋ :ଯାତ୍ରୀବାହୀ ବସ-ଜିପ ମୁହାଁମୁହିଁ ଧକ୍କା ! ଘଟଣାସ୍ଥଳରେ ଚାଲିଗଲା ୭ ଜୀବନ, ୧୨ ହେଲେ ଆହତ । ଗତକାଲି ବିଳମ୍ବିତ ରାତ୍ରିରେ ରାଜସ୍ଥାନର ସିକର ଜିଲ୍ଳାରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଖାଟୁଶ୍ୟାମ ଥାନା ଅନ୍ତର୍ଗତ ଚୋମୁ ପୁରୋହିତାନ ଗ୍ରାମ ନିକଟରେ ଏହି  ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ ଓ ଜିପ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଥିଲା ଏବଂ ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଥିବାର ଖବର ମିଳିଛି । ରିଙ୍ଗୁସ ଓ ଖାଟୁଶ୍ୟାମଜୀ ସହରକୁ ଯୋଡୁଥିବା ରାସ୍ତାରେ ଏହ ଦୁର୍ଘଟଣା ଘଟିଛି ।

ଦୁର୍ଘଟଣା ପରେ ସମସ୍ତ ଆହତମାନଙ୍କୁ ଖାଟୁଶ୍ୟାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଆହତମାନଙ୍କୁ ଜୟପୁରସ୍ଥିତ ଏସଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଖାଟୁଶ୍ୟାମ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ ଉଭୟ ଗାଡ଼ି ଖୁବ ଦ୍ରୁତ ଗତିରେ ଆସୁଥିବା ଯୋଗୁଁ ହିଁ ଏହି ଦୁର୍ଘଟଣା ଘଟିଛି।

Comments are closed.