୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର : ହ୍ୱିଲ୍ ଚେୟାରରେ ବସି ଆୱାର୍ଡ ଗ୍ରହଣ କରିବାକୁ ପହଁଚିଲେ ଅଭିନେତ୍ରୀ ସୁରେଖା ସିକ୍ରି , ଭିକି କୌଶଲ ଓ ଆୟୁଷ୍ମାନ୍ ଖୁରାନା ଶ୍ରେଷ୍ଠ ଅଭିନେତା ।

203

୬୬ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ସମାରୋହ ସୋମବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଛି । ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଏହି ସମ୍ମାନ ପାଇଁ ବିବେଚିତ ବ୍ୟକ୍ତିମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ସମାରୋହରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର, ଦାଦା ସାହେବ ଫାଲକେଙ୍କ ନାତି ଚନ୍ଦ୍ରଶେଖର ମଧ୍ୟ ଉପସ୍ଥିତ ଥିଲେ । ବିଜେତାମାନଙ୍କୁ ସ୍ୱର୍ଣ୍ଣ ଓ ରୌପ୍ୟ କମଳ ପ୍ରଦାନ କରାଯାଇଛି । ଆୟୁଷ୍ମାନ ଖୁରାନା ଓ ଭିକି କୌଶଲଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ପୃରସ୍କୃତ କରାଯାଇଛି । ସବୁ ବିଜେତାମାନଙ୍କ ମଧ୍ୟରୁ ବରିଷ୍ଠ ଅଭିନେତ୍ରୀ ସୁରେଖା ସିକ୍ରିଙ୍କର ହ୍ୱିଲ ଚେୟାରରେ ଆସି ପୁରସ୍କାର ଗ୍ରହଣ କରିବା ଏକ ଭାବ ବିହ୍ୱଳ ପରିବେଶ ସୃଷ୍ଟି କରିଥିଲା ।

ସୁରେଖାଙ୍କୁ ‘ବାଧାଇ ହୋ’ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ ଭାବେ ସମ୍ମାନିତ କରାଯାଇଛି । ଅନ୍ୟ ପକ୍ଷରେ ଅମିତାଭ ବଚ୍ଚନ ଅସୁସ୍ଥତା କାରଣରୁ ଏହି ସମାରୋହରେ ପହଞ୍ଚି ପାରିନାହାନ୍ତି। ଉପରାଷ୍ଟ୍ରପତି ତାଙ୍କ ଅନୁପସ୍ଥିତିର କାରଣ ବିଷୟରେ କହିଥିଲେ । ଅମିତାଭ ଦାଦା ସାହେବ ଫାଲକେ ସମ୍ମାନ ଗ୍ରହଣ କରିବାର ଥିଲା । ଦିବ୍ୟା ଦତ୍ତା ଏହି ସମାରୋହରେ ଉପସ୍ଥାପନା କାର୍ୟ୍ୟ ତୁଲାଇଥିଲେ । ସୂଚନା ମୁତାବକ, ଏହି ଉତ୍ସବରେ ଗୁଜରାଟୀ ଚଳଚ୍ଚିତ୍ର ‘ହେଲାରୋ’କୁ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ କରାଯାଇଛି । ସେହିପରି ‘ଅନ୍ଧାଧୁନ୍’କୁ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ପୁରସ୍କୃତ କରାଯାଇଛି । ବଲିଉଡ଼୍ ଅଭିନେତା ଆୟୁଷ୍ମାନ ଖୁରାନାଙ୍କୁ ‘ଅନ୍ଧାଧୁନ୍’ ଏବଂ ଭିକି କୌଶଲଙ୍କୁ ‘ଉରି’ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ କରାଯାଇଛି । ସେହିପରି ତେଲୁଗୁ ଚଳଚ୍ଚିତ୍ର ‘ମହାନତୀ’ରେ ସାବିତ୍ରୀ ଭୂମିକାରେ ହୃଦୟସ୍ପର୍ଶୀ ଅଭିନୟ ପାଇଁ କୀର୍ତ୍ତି ସୁରେଶ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି ।

‘ଉରି’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ , ସ୍ୱନନ୍ଦ କିର୍କିରେଙ୍କୁ ମରାଠୀ ଚଳଚ୍ଚିତ୍ର ‘ଚୁମ୍ବକ’ ପାଇଁ ଶ୍ରେଷ୍ଠ ପାର୍ଶ୍ବ ଅଭିନେତା , ଅକ୍ଷୟ କୁମାରଙ୍କ ଅଭିନୀତ ‘ପ୍ୟାଡ଼ମ୍ୟାନ୍’ ଚଳଚ୍ଚିତ୍ରକୁ ଶ୍ରେଷ୍ଠ ସାମାଜିକ ବିଷୟବସ୍ତୁ ସମ୍ବଳିତ ଚଳଚ୍ଚିତ୍ର ଭାବେ ପୁରସ୍କୃତ କରାଯାଇଛି। ଅକ୍ଷୟ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ସେହିପରି ସଞ୍ଜୟ ଲୀଲା ଭଂଶାଲୀଙ୍କ ନିର୍ଦ୍ଦେଶିତ ‘ପଦ୍ମାବତ୍’ ଚଳଚ୍ଚିତ୍ରର ଗୀତ ’ଘୁମର୍’ରେ ଶ୍ରେଷ୍ଠ କୋରିଓଗ୍ରାଫି ପାଇଁ କୃତି ମହେଶ ମାଦ୍ୟା ଓ ଜ୍ୟୋତି ତୋମାର ଓ ଭଂଶାଲୀଙ୍କୁ  ‘ଘୁମର୍’ ଗୀତ ପାଇଁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯାଇଛି ।

‘ପଦ୍ମାବତ୍’ ଚଳଚ୍ଚିତ୍ରର ଗୀତ ପାଇଁ ଶ୍ରେଷ୍ଠ ଗାୟକ ଅରିଜତ୍ ସିଂହ , କନ୍ନଡ଼ ଚଳଚ୍ଚିତ୍ର ‘ନଥିଚାରାମି’ ପାଇଁ ବିନ୍ଦୁମାଳିନୀଙ୍କୁ ଶ୍ରେଷ୍ଠ ଗାୟିକା ଭାବେ ପୁରସ୍କୃତ କରାଯାଇଛି। ପରିବେଶ ସୁରକ୍ଷା ଉପରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମରାଠୀ ଚଳଚ୍ଚିତ୍ର ‘ପାଣି’କୁ ମଧ୍ୟ ପୁରସ୍କୃତ କରାଯାଇଛି। ସେହିପରି କନ୍ନଡ଼ ଚଳଚ୍ଚିତ୍ର ‘ଓନ୍ଦାଲା ଏରାଦାଲା’କୁ ଜାତୀୟ ସଂହତି ପାଇଁ ନର୍ଗିସ ଦତ୍ତ ପୁରସ୍କାରରେ ସମ୍ମାନିତ କରାଯାଇଛି। ନନ୍-ଫିଚର ଫିଲ୍ମ ବର୍ଗରେ ‘ସନ୍ରାଇଜ୍ ଏଣ୍ଡ ଦି ସିକ୍ରେଟ୍ ଅଫ୍ ଲାଇଫ୍ ଅଫ୍ ଫ୍ରଗ୍ସ’କୁ ପୁରସ୍କୃତ କରାଯାଇଛି। ଉତ୍ତରାଖଣ୍ଡକୁ ଚଳଚ୍ଚିତ୍ର ନିର୍ମାଣ ପାଇଁ ଅନୁକୂଳ ରାଜ୍ୟ ଭାବେ ପୁରସ୍କୃତ କରାଯାଇଛି ।