ତିତଲି ନେଇଛି ୫୭ ଜଣଙ୍କ ଜୀବନ । ବିବାଦ ଆଉ ବିତର୍କ ପରେ ମାନିଲେ ସରକାର ।

31

କନକ ବୁୃ୍ରୋ: ବଢ଼ୁଛି ତିତଲି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖା ୫୭ରେ ପହଞ୍ଚିଛି ବୋଲି କହିଛନ୍ତି ସରକାର । ଗଜପତିରେ ସର୍ବାଧିକ ୩୯ ଜଣ ପ୍ରାଣ ହରାଇଥିବାବେଳେ ୧୦ ଏବେ ବି ନିଖୋଜ ଅଛନ୍ତି । ନିଖୋଜ ଥିବା ୧୦ ଜଣଙ୍କର ଯାଂଚ ଜାରି ରହିଛି । ସେହିଭଳି ଗଞ୍ଜାମ ଜିଲ୍ଲାରେ ୧୨ ପ୍ରାଣ ହରାଇଥିବାବେଳେ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । କନ୍ଧମାଳରେ ଜଣେ ପ୍ରାଣ ହରାଇଛନ୍ତି । ତିତଲ ଯୋଗୁଁ ୨୨ ଶହ କୋଟି ଟଙ୍କାର କ୍ଷତି ହୋଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ।

ତିତଲି ପରେ ଗଞ୍ଜାମ ଓ ରାୟଗଡା ଜିଲ୍ଲାରେ ସ୍ଥିତି ସ୍ୱାଭାବିକ ହୋଇଛି । ଗଜପତି ଜିଲ୍ଲାରେ କାମ ମଂଥର ଗତିରେ ଆଗେଇ ଚାଲିଛି ଓ ଦିନେ ଦୁଇଦିନ ମଧ୍ୟରେ ସ୍ଥିତି ସାମାନ୍ୟ ହୋଇଯିବ ବୋଲି ଆଶା ପ୍ରକାଶ କରିଛନ୍ତି ସରକାର । ଆଉ ଦୁଇଦିନ ମଧ୍ୟରେ ସବୁ ରିପୋର୍ଟ ଆସିଯିବ । ଏହା ପରେ କେନ୍ଦ୍ରକୁ ରିପୋର୍ଟ ଦିଆଯିବ । ୩ଟି ଜିଲ୍ଲାରେ ରାସ୍ତାଘାଟ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି । ଏସବୁ ଅଂଚଳରେ ୯୫ ପ୍ରତିଶତ ରାସ୍ତାକାମ ଶେଷ ହୋଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ମୃତ୍ୟୁ ସଂଖ୍ୟା ବଢିବା ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ସରକାର ମିଛ କହି ଧରାପଡିଲେ । ବାତ୍ୟାଚଂଳକୁ ଗତକାଲି ସୁଦ୍ଧା ସରକାରୀ ସୁବିଧା ପଂହଚି ପାରିନଥିଲା । ଏହା ଦୁର୍ଭାଗ୍ୟଜନକ, ଆକାଶମାର୍ଗକୁ ବନ୍ୟାଂଚଳ ବୁଲିଲେ କିଛି ଲାଭ ନାହିଁ । ସେପଟେ ବାତ୍ୟା ଅଂଚଳ ପରିଦର୍ଶନ ପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ନିଜ ଅପାରଗତାକୁ ଲୁଚାଇବାକୁ ସରକାର ମିଛ ସତର ଆଶ୍ରୟ ନେଉଛନ୍ତି ସରକାର । ଏବେ ବି ସମୟ ଅଛି, ତୁରନ୍ତ ବାତ୍ୟା ପ୍ରଭାବିତଙ୍କ ପାଇଁ ସରକାର ଉପଯୁକ୍ତ ପଦକ୍ଷେପ ନିଅନ୍ତୁ ବୋଲି ନିରଂଜନ କହିଛନ୍ତି ।