ହାଇଦ୍ରାବାଦ ଏନକାଉଂଟର ପରେ ବି କମୁନି ଦୁଷ୍କର୍ମ । ଯୌନ ପିଶାଚଙ୍କ ମନରେ ନାହିଁ ଭୟ, ୨୪ ଘଂଟାରେ ରାଜ୍ୟରୁ ଆସିଲା ୪ ଦୁଷ୍କର୍ମ ଓ ଗୋଟିଏ ଦୁଷ୍କର୍ମ ଉଦ୍ୟମ ମାମଲା ।

640

କନକ ବ୍ୟୁରୋ : ଯୌନ ପିଶାଚଙ୍କ ପଞ୍ଝାରେ ନାବାଳିକା । ଗୋଟିଏ ଦିନ ଭିତରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଟିଛି ୪-୪ଟି ଦୁଷ୍କର୍ମ ଘଟଣା । ଆଉ ଏହାରି ଭିତରେ ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ବି ହୋଇଛି । ଯେତେବେଳେ ଉନ୍ନାଓ ଓ ହାଇଦ୍ରାବାଦ ଘଟଣାକୁ ନେଇ ଚାରିଆଡେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ଯାଉଛି, ଠିକ୍ ସେତିକି ବେଳେ ଗତକାଲି ସାମ୍ନାକୁ ଆସିଛି ଏଭଳି କିଛି ସମ୍ବେଦନଶୀଳ ଖବର ।

ଯୌନ ପିଶାଚଙ୍କ କବଳରେ ନାବାଳିକା । ୨୪ ଘଂଟାରେ ୪ ଦୁଷ୍କର୍ମ, ୧ ଦୁଷ୍କର୍ମ ଉଦ୍ୟମ । ହାଇଦ୍ରାବାଦ ଘଟଣାରେ ଦୁଷ୍କର୍ମକାରୀଙ୍କୁ ଏନକାଉଂଟର ପରେ ଖୁସିରେ ପୁଲିସ୍ ଉପରେ ଫୁଲ ବର୍ଷା କରୁଥିବା ଜନତା ଏବଂ ଦୁଷ୍କର୍ମ କରିବାକୁ ଅପରାଧୀ ଭୟଭୀତ ହେବେ ବୋଲି ଯୁକ୍ତି କରୁଥିବା ଲୋକଙ୍କୁ ହୁଏତ, ପୁଣି ଥରେ ଏସଂପର୍କରେ ବିଚାର କରିବାର ଆବଶ୍ୟକତା ରହିଛି । କାରଣ, ଦୁଷ୍କର୍ମକୁ ନେଇ ସାରାଦେଶରେ ଏକ ଆକ୍ରୋଶର ମାହୋଲ ଥିବାବେଳେ, ମାତ୍ର ୨୪ ଘଂଟା ଭିତରେ ୪-୪ଟି ଦୁଷ୍କର୍ମ ଏବଂ ଗୋଟିଏ ଦୁଷ୍କର୍ମ ଉଦ୍ୟମ ଭଳି ସାଂଘାତିକ୍ ଅଭିଯୋଗ ଆସିଛି ଓଡ଼ିଶାରୁ ।

ଭୁବନେଶ୍ୱରରୁ ବାଲେଶ୍ୱର, ଗଞ୍ଜାମରୁ ମୟୁରଭଞ୍ଜ । ଗୋଟିଏ ଦିନରେ ୪-୪ଟି ନାବାଳିକା ଦୁଷ୍କର୍ମ ଅଭିଯୋଗ, କାହାରିକୁ ବା ବିବ୍ରତ ନକରିବ । ଆଉ ଏହି ସବୁ ଘଟଣା ଠିକ୍ ସେତିକି ବେଳେ ଘଟିଛି ଯେତେବେଳେ ଦୁଷ୍କର୍ମକୁ ନେଇ ଦିଲ୍ଲୀରୁ ପଲ୍ଲୀ ଉଠୁଛି ପଡୁଛି ।

– ଭୁବନେଶ୍ୱରରେ ଜଣେ ୭ବର୍ଷର ନାବାଳିକାକୁ ଜଣେ ୪୮ବର୍ଷୀୟ ବ୍ୟକ୍ତି ଚକଲେଟ୍ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି
-ବାଲେଶ୍ୱର ପଳାସ ପଂଚାୟତରେ ଧାନ କାଟିବାକୁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ନାବାଳିକା
-ଗଞ୍ଜାମ ଖଲିକୋଟ ଅଂଚଳରେ ଜଣେ ୬ବର୍ଷର ଝିଅ ଖେଳୁଥିବା ବେଳେ ଟେକି ନେଇ ଜଣେ ୧୬ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି
– ମୟୁରଭଞ୍ଜ ବାଦାମପାହାଡ଼ରେ କ୍ରିକେଟ ଖେଳିବା ବାହାନାରେ ଜଣେ ନାବାଳିକାକୁ ୨୫ ବର୍ଷୀୟ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି
– କଟକ ବାଦାମବାଡ଼ି ଥାନା ଅଂଚଳରେ ମନ୍ଦିର ସାମ୍ନାରେ ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି

ଏହି ତମାମ୍ ଘଟଣା ଭିତରେ କୋରାପୁଟ ଜୟପୁର ଅଂଚଳରେ ଘଟିଛି ଆଉ ଏକ ସାଂଘାତିକ୍ ଘଟଣା । ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରି ଗର୍ଭବତୀ କରିଥିବା ଅଭିଯୋଗ ହୋଇଛି । ବଡ଼ କଥା ହେଉଛି ଏହି ଅଭିଯୋଗ ଆସିଛି, ଜୟପୁର ବ୍ଲକ୍ ଫାମ୍ଫୁଣି ସେବାଶ୍ରମ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀଙ୍କ ସ୍ୱାମୀ ରାଜେନ୍ଦ୍ର ରଥଙ୍କ ନାଁରେ ।

ଏପଟେ ସାରା ଦେଶରେ ଦୁଷ୍କର୍ମକୁ ନେଇ ଜନ ଅସନ୍ତୋଷ ତୀବ୍ର ହେଉଥିବା ବେଳେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି କେନ୍ଦ୍ର୍ର ଗୃହମନ୍ତ୍ରାଳୟ । ଏଣିକି ଯେକୌଣସି ଥାନାରେ ଦୁଷ୍କର୍ମ ଏତଲା ଦେଇପାରିବେ ଅଭିଯୋଗକାରୀ । ଏନେଇ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଚିଠି ଲେଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରାଳୟ । ଯେକୌଣସି ଥାନାକୁ ଦୁଷ୍କର୍ମ ଅଭିଯୋଗ ଆସିଲେ ତୁରନ୍ତ ଅଭିଯୋଗ ଗ୍ରହଣ କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ମହିଳା ଓ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ପୁଲିସ ଅଧିକ ଦାୟିତ୍ୱବାନ ଓ ସମ୍ବେଦନଶୀଳ ହେବାକୁ ମନ୍ତ୍ର୍ରାଳୟ କହିଛି । ଯେକୌଣସି ଦୁଷ୍କର୍ମ ମାମଲାକୁ ସ୍ଥାନୀୟ ପୁଲିସ ୨ ମାସ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହ ସଚିବ ।