ହଳଦିଆ ଦାନ୍ତରୁ ମିଳିବ ଛୁଟକାରା : ଆପଣାନ୍ତୁ ଏହି ଘରୋଇ ଉପଚାର

97

ଅନେକ ଲୋକଙ୍କ ପାଖରେ ଦାନ୍ତ ସମସ୍ୟା ଦେଖାଯାଏ । ତେବେ ଏହି ସମସ୍ୟାର ସମାଧାନ ପାଇଁ ଅଧିକାଂଶ ଲୋକ ଡାକ୍ତରଙ୍କୁ ପରାମର୍ଶ କରିଥାନ୍ତି । କାରଣ ଦାନ୍ତର ଚମକପଣ ହିଁ ସୁନ୍ଦର ଚେହେରାର ସୌନ୍ଦର୍ଯ୍ୟ ବଢାଇଥାଏ । ତେବେ ଅନେକ ସମୟରେ ଦାନ୍ତକୁ ଠିକ ଭାବେ ସଫା ନକରିବା, ଅଧିକ ଚା’, କଫି ପିଇବା, ସିଗାରେଟ ଟାଣିବା, ଗୁଟଖା ବା ତମ୍ବାଖୁ ଆଦି ଖାଇବା ଦ୍ୱାରା ଦାନ୍ତ ହଳଦିଆ ଦେଖାଯାଇଥାଏ । ଏହା ବ୍ୟତୀତ ଜେନେଟିକ କାରଣରୁ ମଧ୍ୟ ଦାନ୍ତ ହଳଦିଆ ଦେଖାଯାଇଥାଏ । ଯଦି ଆପଣ ମଧ୍ୟ ଏହି ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି, ତେବେ ଏହି ୫ଟି ଟିପ୍ସ ସମ୍ବନ୍ଧରେ ଜାଣି ରଖନ୍ତୁ । ଯାହା ଆପଣଙ୍କ ଦାନ୍ତକୁ ସଫା କରିବା ସହ ମଜବୁତ କରିବ ।

ସାନ୍ତରା : ପ୍ରଥମେ ସାନ୍ତରାର ଚୋପାକୁ ଶୁଖାନ୍ତୁ । ଏହାକୁ ଗୁଣ୍ଡ କରନ୍ତୁ । ଏବେ ଏହି ପାଉଡ଼ରକୁ ପ୍ରତିଦିନ ସକାଳେ ଓ ରାତିରେ ଶୋଇବା ପୂର୍ବରୁ ଦାନ୍ତରେ କିଛି ସମୟ ପର୍ଯ୍ୟନ୍ତ ଘଷନ୍ତୁ । କାରଣ ସାନ୍ତରାର ଚୋପାରେ କ୍ୟାଲିସିୟମ ଓ ଭିଟାମିନ ରହିଛି । କ୍ୟାଲସିୟମ ଦାନ୍ତକୁ ମଜବୁତ କରିବାରେ ସହାୟତା କରୁଥିବା ବେଳେ ଭିଟାମିନ-ସି ବ୍ୟାକ୍ଟେରିଆକୁ ମାରିବାକୁ ଉଦ୍ୟମ କରିଥାଏ ।

ଲେମ୍ବୁ : ସାନ୍ତରା ବ୍ୟତୀତ ଲେମ୍ବୁ ମଧ୍ୟ ଏକ ବ୍ଲିଚିଂ ଏଜେଂଟ ଭାବେ କାମ କରିଥାଏ । ଏଠାରେ ଉପସ୍ଥିତ ଥିବା ଭିଟାମିନ-ସି ଦାନ୍ତର ହଳଦିଆ ରଂଗକୁ ଦୂର କରିଥାଏ । ଲେମ୍ବୁର ଚୋପାକୁ ଦାନ୍ତରେ ଘଷନ୍ତୁ । ଏଭଳି କିଛି ସପ୍ତାହ କରିବା ଦ୍ୱାରା ଦାନ୍ତ ଚକଚକ କରିଥାଏ।

ନିମ୍ବ : ନିମ୍ବକାଠି ଘଷିଲେ ଦାନ୍ତ ସଫା ହୋଇଥାଏ । ଏହା ପ୍ରାୟ ସମସ୍ତେ ଜାଣନ୍ତି । ଯେତେବେଳେ ଟୁଥପେଷ୍ଟ ବା ଟୁଥପାଉଡ଼ର ବଜାରରେ ଏତେ ପରିମାଣରେ ଉପଲବ୍ଧ ନଥିଲା, ସେତେବେଳେ ନିମ୍ବ କାଠିରେ ଦାନ୍ତକୁ ସଫା କରୁଥିଲେ । ନିମ୍ବ ଏକ ଆଣ୍ଟି ସେପ୍ଟିକ ଭଳି କାମ କରିଥାଏ, ଯାହା ଦାନ୍ତକୁ ଖରାପ ହେବାରୁ ମୁକ୍ତି ଦେଇଥାଏ । ତେବେ ନିମ୍ବକାଠି ଦାନ୍ତ ପାଇଁ ବେଶ ଉପଯୋଗୀ।

ବେକିଂ ସୋଡା : ବେକିଂ ସୋଡାକୁ ସବୁଠାରୁ ଭଲ ବ୍ଲିଚିଂ ପାଉଡର ଏଜେଂଟ କୁହାଯାଏ । ଏହା ଦାନ୍ତରେ ଥିବା ହଳଦିଆ ରଂଗକୁ ଦୂର କରିବାରେ ସହାୟତା କରିଥାଏ । ବେକିଂ ସୋଡାରେ ଲେମ୍ବୁ ରସ ଓ ସେଓର ଭିନେଗାର ମିଶାନ୍ତୁ, ତା’ପରେ ଏହାକୁ ବ୍ରସ କରନ୍ତୁ । କିନ୍ତୁ ଏହାର ଅତ୍ୟଧିକ ବ୍ୟବହାର କରିବା ଦ୍ୱାରା ଦାନ୍ତର ଏନାମେଲ ସ୍ତରକୁ କ୍ଷତି ପହଂଚେ । ଡାକ୍ତରଙ୍କ ପରାମର୍ଶ ନେଇ ଏହାର ବ୍ୟବହାର କରିବା ଉଚିତ ।

ଲୁଣ : ପୁରାତନ କାଳରେ ଲୋକ ଲୁଣରେ ମଧ୍ୟ ଦାନ୍ତ ସଫା କରୁଥିଲେ । ଟୁଥପେଷ୍ଟରେ ବି ଲୁଣ ମିଶାଯାଏ କାରଣ ଦାନ୍ତକୁ ସଫା ରଖେ ଓ ବ୍ୟାକ୍ଟେରିଆକୁ ମଧ୍ୟ ମାରିଥାଏ । ତେବେ ଲୁଣ ମଧ୍ୟ ଦାନ୍ତ ପାଇଁ ଲାଭଦାୟକ ଯଦି ଏହାର ଅତ୍ୟଧିକ ବ୍ୟବହାର ନହୁଏ ।