ପ୍ରଶ୍ନକାଳରେ ବିଜେପି ବିଧାୟକଙ୍କ ପ୍ରତିବାଦ । ସ୍ମିତାରାଣୀ ମୃତ୍ୟୁ ମାମଲାରେ କାନ୍ଧରେ କଳା ଗାମୁଛା ପକାଇ ପ୍ରତିବାଦ ପରେ କଲେ କକ୍ଷତ୍ୟାଗ

ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଲେ ବିଜେପି ବିଧାୟକ

157

କନକ ବ୍ୟୁରୋ: ବିଧାନସଭା ପ୍ରଶ୍ନକାଳରେ ବିଜେପି ବିଧାୟକଙ୍କ ପ୍ରତିବାଦ । ସ୍ମିତାରାଣୀ ମୃତ୍ୟୁ ମାମଲାରେ କାନ୍ଧରେ କଳା ଗାମୁଛା ପକାଇ ପ୍ରତିବାଦ କରିବା ସହ ଗୃହ ତ୍ୟାଗ କରିଛନ୍ତି ବିଜେପି ସଦସ୍ୟ । ଘଟଣାର ସିବିଆଇ ତଦନ୍ତ ଦାବି କରିଆସୁଥିବା ବିଜେପି ଆଜି ପ୍ରଶ୍ନକାଳରେ ପୁଣି ସ୍ମିତାରାଣୀ ପ୍ରସଙ୍ଗ ଉଠାଇଛି ।

ଗୃହରେ ବାଚସ୍ପତି ବାରମ୍ବାର ବିଜେପି ସଦସ୍ୟଙ୍କୁ ବସିବା ପାଇଁ ଅନୁରୋଧ କରିଥିବା ବେଳେ ଶେଷରେ ଗୃହରୁ ବାହାରି ଆସି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ ବିଜେପି ବିଧାୟକ । ସେପଟେ ମୁଲତବି ପ୍ରସ୍ତାବ ଆଣିଛି କଂଗ୍ରସ । ପ୍ରସଙ୍ଗ ରହିଛି ବିକାଶ ପଥରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ । ଏନେଇ ଗୃହରେ ଆଜି ଉତ୍ତର ରଖିବେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ।

ଉଲ୍ଲେଖ ଥାଉ କି, ଗତକାଲି ମଧ୍ୟ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗକୁ ନେଇ ସରଗରମ ହୋଇଉଠିଥିଲା ବିଧାନସଭା । ଘଟଣାର ସିବିଆଇ ତଦନ୍ତ ଦାବିରେ ବିଜେପି ବିଧାୟକମାନେ ମୁହଁରେ କଳାପାଟି ବାନ୍ଧି ଗତକାଲି ବିଧାନସଭାରେ ପ୍ରତିବାଦ କରିଥିଲେ । ବିଧାନସଭା ଆରମ୍ଭ ହେବା ପୂର୍ବରୁ ଏହି ପ୍ରସଙ୍ଗରେ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ ବିଜେପି ବିଧାୟକ । ସ୍ମିତାରାଣୀ ମାମଲାରେ ମାଳ ମାଳ ପ୍ରଶ୍ନ ଉଠାଇଥିଲା ବିଜେପି । ସିବିଆଇ ତଦନ୍ତ ନହେବା ପର୍ଯ୍ୟନ୍ତ ବିରୋଧ ଜାରି ରହିବ ବୋଲି ଦଳ ପକ୍ଷରୁ ଚେତାବନୀ ଦେଇଥିଲା ବିଜେପି । କଳାପଟି ବାନ୍ଧି ବିଧାନସଭାରେ ପହଁଚିବା ସହ ପ୍ରଶ୍ନକାଳରେ କୌଣସି ବି ପ୍ରଶ୍ନ-ଉତ୍ତରରେ ସାମିଲ ମଧ୍ୟ ହୋଇନଥିଲେ ବିଜେପି ବିଧାୟକମାନେ । ତେବେ ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ପରେ ଶେଷରେ ନିଜ ଆସନରେ ବସି କଳାପଟି ଖୋଲିଥିଲେ ।