ଦିଲ୍ଲୀ ଅଗ୍ନିକାଣ୍ଡରେ ୪୩ ଜଣଙ୍କର ମୃତ୍ୟୁ । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କଲା ପିଏମଓ ।

267

କନକ ବ୍ୟୁରୋ : ଦିଲ୍ଲୀ ରାଣୀ ଝାନ୍‌ସୀ ମାର୍ଗ ଅଞ୍ଚଳରେ ଘଟିଥିବା ଅଗ୍ନିକାଣ୍ଡରେ ୪୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏହି ମୃତକମାନଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ପିଏମଓ ପକ୍ଷରୁ ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କାର ସହାୟତା ଦେବାକୁ ମଧ୍ୟ ଘୋଷଣା କରାଯାଇଛି । ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଥିଲେ ।

ସେହିପରି ଆହତ ବ୍ୟକ୍ତିମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଥିଲେ । ଏହା ସହ ଆହତମାନଙ୍କର ଡାକ୍ତରୀ ଖର୍ଚ୍ଚ ସରକାର ବହନ କରିବେ ବୋଲି କହିଥିଲେ । ଏଠାରେ ସୂଚନା ଥାଉ କି ଦିଲ୍ଲୀ ଝାନସୀ ରୋଡରେ ଥିବା ଅନାଜ ମଣ୍ଡିରେ ସକାଳ ପ୍ରାୟ ୫ଟା ସମୟରେ ପ୍ରଥମେ ସର୍ଟସର୍କିଟରୁ ପାଉଁରୁଟି କାରଖାନାରେ ନିଆଁ ଲାଗିଥିଲା ।

ପରେ ଏହା ଅତି ଭୟଙ୍କର ଭାବରେ ପୁରା କୋଠାକୁ ବ୍ୟାପି ଯାଇଥିଲା । ଫଳରେ ଏଥିରେ କାମ କରୁଥିବା ଏବଂ ରାତିରେ ରହୁଥିବା ଲୋକେ ନିଆଁ ଭିତରେ ଫସି ରହିଥିଲେ । ଏହି ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୪୩ରେ ପହଁଚିଥିବାବେଳେ ୫୦ ରୁ ଅଧିକ ଆହତ ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।