୪୦୦ ବର୍ଷ ପରେ

128

ଭାଙ୍ଗିଲା ପ୍ରାୟ ୪୦୦ ବର୍ଷର ପରମ୍ପରା । ବହୁ ଦିନରୁ ଲାଗିରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ଏଥର ମହିଳା ଭକ୍ତମାନେ ପାଇବେ ସିଧାସଳଖ ଶନି ଦେବତାଙ୍କ ଆଶିର୍ବାଦ । ମନ୍ଦିର ବାହାରେ ରହି ଶନି ଦେତାଙ୍କର ଆଶିଷ ଭିକ୍ଷା କରୁଥିବା ମହିଳାମାନେ ଏଥର ମନ୍ଦିର ଭିତରକୁ ଯାଇ ପୂଜାର୍ଚ୍ଚନା କରିପାରିବେ । ଏଭଳି ନିଷ୍ପତି ନେଇଛନ୍ତି ମହାରାଷ୍ଟ୍ର ସିଙ୍ଗଣାପୁର ଶନି ମନ୍ଦିର ପ୍ରଶାସନ । ଶନି ଦେବତାଙ୍କ ମନ୍ଦିର ପ୍ରବେଶ ନେଇ ମହିଳାମାନେ କିଛିଦିନ ତଳେ କରିଥିଲେ ଅନଶନ । ତାଙ୍କର ଦାବି ଥିଲା ସେମାନେ ବି ପୁରୁଷମାନଙ୍କ ଭଳି ମନ୍ଦିର ଭିତରେ ଶନି ଦେବତାଙ୍କ ପୂଜାର୍ଚ୍ଚନା କରିବେ । ଯାହା ଆଜି ପୂରଣ ହୋଇଛି ।  ମନ୍ଦିର ପ୍ରଶାସନର ଏହି ଐତିହାସିକ ନିଷ୍ପତିକୁ ସ୍ୱାଗତ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିଶ । ସ୍ପେଶାଲ ରିପୋର୍ଟରେ ଦେଖିବା ୪୦୦ ବର୍ଷ ପରେ ।

shani-shingnapur_650x400_41460171606

ମହିଳାଙ୍କୁ ମିଳିଲା ଅନୁମତି । ପୂଜା କରିବେ ଶନି ଦେବତାଙ୍କୁ । ଘରେ ନୁହେଁ ମନ୍ଦିରରେ । ଏହା ଦେଖିବାକୁ ମିଳିବ ମହାରାଷ୍ଟ୍ରରେ । ପ୍ରାୟ ୪୦୦ ବର୍ଷ ହେବ ଏଠି ମନ୍ଦିରରେ କେବଳ ପୁରୁଷମାନେ ପୂଜାକରି ଆସୁଥିଲେ । ଦୀର୍ଘ ବର୍ଷର ଏହି ପରମ୍ପରାକୁ ଏବେ ଭାଙ୍ଗି ଦିଆଯାଇଛି । ମହିଳାଙ୍କ ଜିଦ୍ ଆଗରେ ହାର୍ ମାନିଛି ପରମ୍ପରା । ମହାରାଷ୍ଟ୍ର ଅହମ୍ମଦନଗର ଜିଲାର ପ୍ରସିଦ୍ଧ ଶନି ସିଙ୍ଗଣାପୁର ମନ୍ଦିରକୁ ମହିଳାଙ୍କ ପ୍ରବେଶ ଅନୁମତି ଦିଆଯାଇଛି । ହିନ୍ଦୁ ନବବର୍ଷ ଅବସରରେ ମନ୍ଦିର ଟ୍ରଷ୍ଟ ଏହି ଐତିହାସିକ ନିଷ୍ପତି ନେଇଛି । ନିଷ୍ପତି ଅନୁଯାୟୀ ମହିଳାମାନେ ଗର୍ଭଗୃହ ମଧ୍ୟରେ ପ୍ରବେଶ କରି ପୂଜାର୍ଚ୍ଚନା କରିପାରିବେ । ମନ୍ଦିର ପ୍ରଶାସନର ଏହି ନିଷ୍ପତିକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ସ୍ୱାଗତ କରିଛନ୍ତି ।ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ପୂର୍ବରୁ ଏହି ନିଷ୍ପତି ନେଇଥିଲେ । ଏ ସମ୍ପର୍କରେ ସରକାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ । ଧାର୍ମିକ ସ୍ଥଳୀରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ କୌଣସି ପ୍ରକାର ବାଛବିଚାର ରହିବା ଅନୁଚିତ । ନିଷ୍ପତି ଉପରେ ପ୍ରତିକ୍ରିୟା ରଖି ମହିଳା ସାମାଜିକ କର୍ମୀ ତୃପ୍ତି ଦେଶାଇ କହିଥିଲେ ଏହା ମହିଳାଙ୍କ ପାଇଁ ବଡ ବିଜୟ । ଶନି ସିଙ୍ଗଣାପୁର ମନ୍ଦିର ଟ୍ରଷ୍ଟ ଏହି ନିଷ୍ପତି ନେଇ ନିଜ ବିଜ୍ଞତାର ପରିଚୟ ଦେଇଛି ।

ମନ୍ଦିରର ପବିତ୍ର ସ୍ଥଳ ‘ଚୌତରା’ ନିକଟକୁ ଯିବା ପାଇଁ ଥିବା ଫାଟକକୁ ମହିଳା ଓ ପୁରୁଷଙ୍କ ଲାଗି ଖୋଲାଯାଇଛି । ମନ୍ଦିର ଟ୍ରଷ୍ଟ ଏହି ଐତିହାସିକ ନିଷ୍ପତି ନେବା ପୂର୍ବରୁ ପୁରୁଷ ଭକ୍ତମାନେ ମନ୍ଦିର ଭିତରକୁ ଧସେଇ ପଶିଥିଲେ । ମହିଳାଙ୍କ ପ୍ରବେଶ ବାରଣକୁ ନେଇ ବିବାଦ ଦେଖାଯିବା ପରେ ମନ୍ଦିର ଟ୍ରଷ୍ଟ ଉଭୟ ପୁରୁଷ ଓ ମହିଳାଙ୍କ ପ୍ରବେଶକୁ ବନ୍ଦ କରିଥିଲା । ଟ୍ରଷ୍ଟର ବାରଣ ସତ୍ୱେ ପୁରୁଷ ଭକ୍ତମାନେ ମନ୍ଦିର ଭିତରକୁ ଧସେଇ ପଶିଥିଲେ । ଶନି ସିଙ୍ଗଣାପୁର ମନ୍ଦିରରେ ମହିଳାଙ୍କ ପ୍ରବେଶ ବାରଣକୁ ନେଇ ବମ୍ବେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା । ଜନସ୍ୱାର୍ଥ ମାମଲାର ବିଚାର କରି ହାଇକୋର୍ଟ ଏପରି କଟକଣାକୁ ନାସପନ୍ଦ କରିଥିଲେ । ଏପ୍ରିଲ ୧ରେ ବିଦ୍ୟା ବାଲ ଓ ନୀଳିମା ଭରଟକଙ୍କ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାର ବିଚାର କରି ହାଇକୋର୍ଟ କହିଥିଲେ ଧାର୍ମିକ ପୀଠ ମଧ୍ୟରେ ପ୍ରବେଶ ଲାଗି କୌଣସି ପ୍ରକାର ଲିଙ୍ଗଗତ ବାଛବିଚାର ରହିବା ଅନୁଚିତ । ଏପରି ପରମ୍ପରା ସ୍ୱେଚ୍ଛାଚାରିତାର ନମୁନା ଓ ଏହା ବେଆଇନ । ଦେଶର ସମ୍ବିଧାନ ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଦେଇଥିବାବେଳେ ଏପରି ପରମ୍ପରା ବ୍ୟକ୍ତିର ଧର୍ମଗତ ମୌଳିକ ଅଧିକାରକୁ ଉଲ୍ଲଙ୍ଘନ କରୁଛି ।

ଶନି ସିଙ୍ଗଣାପୁର ମନ୍ଦିର । ଏକ ଐତିହାସିକ ଧର୍ମପିଠ । ମହାରାଷ୍ଟ୍ରର ଅହମଦନଗର ଜିଲ୍ଲାରେ ଅବସ୍ଥିତ ଏହି ମନ୍ଦିର । ଏକ ଦୃଢ ଧର୍ମୀୟ ଭାବନାରେ ଏଠାକାର ଲୋକଙ୍କୁ ବାନ୍ଧି ରଖିଛି ଏହି ମନ୍ଦିର । ଦୀର୍ଘ ୫୦୦ ବର୍ଷ ପୁରୁଣା ଏହି ମନ୍ଦିରର କିମ୍ବଦନ୍ତି ଶୁଣିଲେ ଆଜିବି ଆଶ୍ଚର୍ଯ୍ୟ ଲାଗେ । ଏକଦା ଭୟଙ୍କର ବନ୍ୟାରେ ଗାଁ ଗଣ୍ଡା ବୁଡି ଯାଇଥିବା ବେଳେ ଲୋକେ ଖୋଜୁଥାନ୍ତି ଆଶ୍ରୟ ସ୍ଥଳ । ବନ୍ୟାପରେ ଗାଁରୁ ପାଣିଛାଡିଯିବା ପରେ ମିଳନ୍ତି ଶନି ଦେବତା । ଗାଁ କ୍ଷେତରେ ପିଲାମାନେ ଖେଳୁଖେଳୁ ଦେଖନ୍ତି ଏକ ବିରାଟକାୟ କଳା ପଥରକୁ । ଯାହାକୁ ସ୍ପର୍ଶ କରିବା ମାତ୍ରେ ପଥରରୁ ବାହାରେ ଲହୁ । ଏପଟେ ଭକ୍ତକୁ ସ୍ୱପ୍ନାଦେଶ ହୁଏ ଏହି ପଥରକୁ ପୂଜା କରିବାକୁ । ସେବେଠାରୁ ଏପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଦେବତା ଭାବେ ଶନି ଏଠାରେ ପୂଜା ପାଉଛନ୍ତି ।

villageସିଙ୍ଗଣାପୁର ଶନି ଦେବତାଙ୍କ କିମ୍ବଦନ୍ତି ବହୁ ପୁରୁଣା । ଏଠାକାର ଲୋକେ ଶନିଦେବତାଙ୍କୁ ପୂଜା କରନ୍ତି ପ୍ରତ୍ୟେକ୍ଷ ଦେବତା ଭାବେ । ସିଙ୍ଗଣାପୁରର ସୁଖଦୁଃଖର ସାଥି ହେଉଛନ୍ତି ଶନି । ଶନି ଦେବତା ଏକ ପ୍ରକାର ସିଙ୍ଗଣାପୁର ଗାଁକୁ ଜଗି ରହିଛନ୍ତି ବୋଲି ଲୋକେ ବିଶ୍ୱାସ କରନ୍ତି । କାରଣ ଏଠିଥିବା ଘର ଗୁଡିକରେ କବାଟ ନଥାଏ । ଖାଲି ଘର ନୁହେଁ ଏଠାକାର ଅଫିସ, ଦୋକାନ ବଜାର, ହୋଟେଲ କେଉଁଠିବି ଆପଣ କବାଟ ଦେଖିବାକୁ ପାଇବେନି । ନା ଏଠି ଅଛି ଚୋରି ଡକାୟତିର ଭୟ ନା କୌଣସି ବାହ୍ୟ ହିଂସ୍ର ଜନ୍ତୁଙ୍କ ଭୟ । ଲୋକଙ୍କର ବିଶ୍ୱାସ ରହିଛି ଯେ ଗାଁକୁ ଶନି ଦେବତା ଜଗି ରହିଛନ୍ତି । ଏଠି ଯଦି କେହି କେବେ ଚୋରି କରିବାକୁ ଚେଷ୍ଟା କରେ ତେବେ ଶନି ବେଦତା ତାକୁ ଦଣ୍ଡିତ କରନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏଠାକାର ବ୍ୟାଙ୍କରେ ମଧ୍ୟ କେବେ ତାଲା ତ ଦୂରର କଥା କବାଟ ବି ଲାଗେନି । ଦିନରାତି ୨୪ ଘଂଟା ବ୍ୟାଙ୍କ ଖୋଲା ରହିଥାଏ । ଶନି ଦେବତାଙ୍କ ଅପାର କରୁଣାରୁ ଏପର୍ଯ୍ୟନ୍ତ ଏଠାରେ କୌଣସି ଚୋରି କେଶ୍ ଥାନାକୁ ଆସିନାହିଁ ବୋଲି କୁହନ୍ତି ସ୍ଥାନୀୟ ଥାନା ଅଧିକାରୀ । ପାଖାପାଖି ପାଂଚଫୁଟ୍ ଉଚ୍ଚତାର ଏକ ବଡ କଳା ପଥରକୁ ଶନି ଦେବତା ଭାବେ ଏଠି ପୂଜା କରାଯାଏ । ବିଭିନ୍ନ ଆଡୁ ଏଠାକୁ ପ୍ରତିଦିନ ପ୍ରାୟ ୩୦ ରୁ ୪୦ ହଜାର ଦର୍ଶନାର୍ଥି ଆସିଥାନ୍ତି । ଅମାବାସ୍ୟା ତିଥିରେ ଏଠି ପ୍ରବଳ ଭିଡ ହୋଇଥାଏ । ଏଠାରେ ଭକ୍ତ ଶନି ଦେବତାଙ୍କୁ ତେଲ ଓ ପାଣିରେ ଗାଧୋଇ ଦେଇଥାନ୍ତି । ଶେଷରେ ଶନିଙ୍କ ଆଶିର୍ବାଦ ଭିକ୍ଷା କରି ଭକ୍ତ ଫେରିଆସେ ।

ବିଶ୍ୱାସ ହେଉ କି ଅନ୍ଧବିଶ୍ୱାସ । ସିଙ୍ଗଣାପୁର ଶନି ଦେବତାଙ୍କୁ ବିଶ୍ୱାସ କରନ୍ତି ଅନେକ ଭକ୍ତ । ଶନିଙ୍କ କରୁଣାରୁ ଏଠାରେ ଚୋରି ଡକାୟତିର ଭୟ ନଥାଏ । ଏଠି ଲୋକେ ଶନିଙ୍କୁ ବହୁମାତ୍ରାରେ ବିଶ୍ୱାସ କରନ୍ତି । ଆଧୁନିକ ଯୁଗରେ ଏହାକୁ ଯଦି ଅନ୍ଧବିଶ୍ୱାସ କୁହାଯାଏ ତେବେବି କିଛି ଭୁଲ୍ ନାହିଁ । ଏମିତି ଅନ୍ଧ ବିଶ୍ୱାସ ସବୁଆଡେ ବ୍ୟାପିଯିବା ଉଚିତ୍ । ଯାହାଦ୍ୱାରା କେବେ କାହାର କ୍ଷତି ହେବନି । ସମସ୍ତଙ୍କ ଭିତରେ ରହିବ ଆପଣାପଣ ।

ଧର୍ମ ନିରପେକ୍ଷ ଦେଶ ଭାରତରେ ନାହିଁ ଭେଦଭାବ । ହେଲେ ଏବେବି ଭାରତରେ ଏମିତି କିଛି ମନ୍ଦିର ଅଛି ଯେଉଁଠି ମହିଳାମାନଙ୍କୁ ପୂଜା କରିବାକୁ ବାରଣ କରାଯାଇଛି । କେଉଁଠି କିମ୍ବଦନ୍ତିକୁ ସାକ୍ଷୀ ରଖି ତ ପୁଣି କେଉଁଠି ଧର୍ମୀୟ ଭାବନାକୁ ନେଇ କରାଯାଇଛି ଭେଦଭାବ । ଏମିତି କିଛି ମନ୍ଦିରରେ କେବଳ ପୁରୁଷମାନେ ହିଁ ପୁଜା କରିବାର ବିଧି ରହିଛି । ଏଠି ମହିଳାମାନଙ୍କୁ ପୂଜା କରିବା ମନା । ଯାହା କୁହାଯାଏ ଯେ ଈଶ୍ୱରଙ୍କ ପୂଜାର୍ଚ୍ଚନାରେ ଲିଙ୍ଗଗତ ଭେଦଭାବ ରହିବା ଅନୁଚିତ୍ । ପ୍ରତ୍ୟେକ ନାଗରିକର ସମାନ ଅଧିକାର ଥିବା ସତ୍ୱେ ଏପରି ଭେଦଭାବ ବେଳେବେଳେ ଅଡୁଆରେ ପକାଉଛି ।

sabarimala2କେରଳର ସାବରିମାଳା ମନ୍ଦିର ଯେଉଁଠି ପୂଜା ପାଆନ୍ତି ହିନ୍ଦୁ ଦେବତା ଆୟାପାନ୍ । କେରଳର ପଥ୍ଥାନମ୍ଥିଲା ଜିଲ୍ଲାରେ ଅବସ୍ଥିତ ଏହି ମନ୍ଦିର । କିମ୍ବଦନ୍ତି ଅନୁଯାୟୀ ଆୟାପାନ୍ ଏକ ପ୍ରେତକୁ ଦମନ କରିବା ସମୟରେ ଜଣେ ସୁନ୍ଦରୀ ନାରୀ ଆୟାପାନଙ୍କୁ ବିବାହ କରିବାକୁ ଅନୁରୋଧ କରିଥିଲେ । ହେଲେ ଆୟାପାନ୍ ସେଇ ସୁନ୍ଦରୀ ନାରୀଙ୍କ ପ୍ରସ୍ତାବକୁ ଏଡାଇ ଯାଇଥିଲେ । ସେବେଠାରୁ ସେହି ନାରୀ ମନ୍ଦିରର ମୁଖ୍ୟ ଦ୍ୱାରରେ ଅପେକ୍ଷା କରି ରହିଛନ୍ତି । ସେଥିପାଇଁ ଆଜି ପର୍ଯ୍ୟନ୍ତ ଏହି ମନ୍ଦିରରେ ମହିଳାମାନଙ୍କୁ ପୂଜାର୍ଚ୍ଚନା କରିବାକୁ ବାରଣ କରାଯାଇଛି ।

kartikeya temple

ରାଜସ୍ଥାନରେ ଅବସ୍ଥିତ କାର୍ତିକେୟ ମନ୍ଦିର । ଯେଉଁଠି ପୂଜାପାଉଛନ୍ତି ପାର୍ବତି ପୁତ୍ର କାର୍ତିକେୟ । କାର୍ତିକେୟ ବ୍ରହ୍ମଚାରି ହୋଇଥିବାରୁ ଏଠି ମହିଳାମାନଙ୍କ ପ୍ରବେଶ ନିଷେଧ । ଭୁଲ୍ ବଶତଃ କୌଣସି ମହିଳା ଯଦି ମନ୍ଦିରକୁ ପ୍ରଶେ କରେ ତେବେ କାର୍ତିକେୟ କୋପ କରନ୍ତି ବୋଲି ବିଶା୍ୱସ ରହିଛି । ତେଣୁ ଏହି ମନ୍ଦିରରେ ମହିଳାମାନେ ଏପର୍ଯ୍ୟନ୍ତ ପୂଜାର୍ଚ୍ଚନା କରିବା ମନା ।

ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିର । କେରଳରେ ଅବସ୍ଥିତ ଏହି ମନ୍ଦିର । ଯେଉଁଠି ପୂଜା ପାଉଛନ୍ତି ଭଗବାନ ଶ୍ରୀକୃଷ୍ଣ । ବହୁ ପୁରାତନ କିମ୍ବଦନ୍ତି ଅନୁଯାୟି ଏଠାରେ ମହିଳାମାନଙ୍କୁ ପୂଜା କରିବାକୁ ବାରଣ କରାଯାଇଛି ।

jain temple

ରାଜସ୍ଥାନରେ ଅବସ୍ଥିତ ଜୈନ ମନ୍ଦିରରେ ବି ମହିଳାମାନଙ୍କ ପ୍ରବେଶକୁ ବାରଣ କରାଯାଇଛି । ଏଠାରେ ଝିଅଟି କିଶୋରୀ ହେବା ପରେ ନିୟମ ଅନୁଯାୟୀ ମନ୍ଦିରକୁ ପ୍ରବେଶ କରିବାକୁ ବାରଣ କରାଯାଇଥାଏ । ସେ କିମ୍ବଦନ୍ତି ହେଉ ଅବା ଅନ୍ଧ ବିଶ୍ୱାସ । ଏବେବି ଆମ ଦେଶରେ ଏମିତି କିଛି ମନ୍ଦିର ଅଛି ଯେଉଁଠି ମହିଳାମାନେ ପୂଜାକରିବାକୁ ବାରଣ କରାଯାଉଛି । ମହିଳା ଆଜି ପୁରୁଷ ସହ ସବୁ କ୍ଷେତ୍ରରେ ସମକକ୍ଷ ହୋଇଥିଲେ ସୁଦ୍ଧା ଈଶ୍ୱରଙ୍କୁ ପୂଜା କରିବାରେ ରହୁଛି ଭେଦଭାବ ।

ଈଶ୍ୱର ସଭସ୍ତଙ୍କ ପାଇଁ ସମାନ । ଭିନ୍ନ ଭିନ୍ନ ରୂପରେ ପୂଜାକରାଯାଉଥିବା ଇଶ୍ୱରଙ୍କୁ ପୂଜା କରିବାର ଅଧିକାର ସମସ୍ତଙ୍କର ରହିଛି । ଏଠି ପୁରୁଷ ମହିଳା ମଧ୍ୟରେ ଭେଦଭାବ ରଖିବା ଅନୁଚିତ୍ । ଘରେ ହେଉ ଅବା ମନ୍ଦିର ମହିଳାମାନଙ୍କୁ ପୁରୁଷଙ୍କ ଭଳି ସମାନ ଅଧିକାର ଦିଆଯିବା ଦରକାର । ଏମାନଙ୍କ ଧର୍ମୀୟ ଭାବନାକୁ ଆଘାତ ନ କରି ମହିଳା ବି ପୁରୁଷଙ୍କ ସହ ସବୁ କ୍ଷେତ୍ରରେ ସମାନ ବୋଲି କହିଲେ ଏମାନେ ବି ପୁରୁଷମାନଙ୍କ ପରି ପୂଜାର୍ଚ୍ଚନା କରିପାରିବେ ।