ଆଶ୍ରମରୁ ଆସାମୀ । ବାବା ସାରଥୀଙ୍କ କାହାଣୀ, ୪ ବର୍ଷ ତଳେ ହୋଇଥିଲା କଣ?

493

କନକ ବ୍ୟୁରୋ : ଜେଲରୁ ବାହାରିବେ ଭଣ୍ଡ ସାରଥୀ । ଗିରଫ ହେବାର ଦୀର୍ଘ ୪ ବର୍ଷ ପରେ ଜେଲରୁ ମୁକୁଳିବେ ବିବାଦୀୟ ବାବା ସନ୍ତୋଷ ରାଉଳ ଓରଫ ସାରଥୀ । ୪ ବର୍ଷ ପୂର୍ବେ ହଜାର ହଜାର ଲୋକଙ୍କ ମନରେ ଆସ୍ଥାନ ଜମାଇଥିଲେ ବାବା ସାରଥୀ । ବାରିମୂଳରେ ଛିଡା ହୋଇଥିଲା ଭଣ୍ଡ ସାରଥୀଙ୍କ କୋଟି କୋଟି ଟଙ୍କାର ସାମ୍ରାଜ୍ୟ । ଭକ୍ତଙ୍କ ଟଙ୍କାରେ ଅୟସ କରୁଥିଲେ ବାବା ସାରଥୀ । ତେବେ ଗୋଟିଏ ଝଟକାରେ ଭୁଶୁଡି ପଡିଥିଲା ସାରଥୀଙ୍କ ସାମ୍ରାଜ୍ୟ । ଏସି ରୁମରୁ ବାବା ପହଞ୍ଚିଥିଲେ ଜେଲର ଚାରିକାନ୍ଥ ଭିତରେ ।

୪ ବର୍ଷ ତଳେ ହୋଇଥିଲା କଣ :
ସାରଥୀ ବାବା । ୪ ବର୍ଷ ପୂର୍ବେ ହଜାର ହଜାର ଭକ୍ତଙ୍କ ପାଇଁ ସାରଥୀ ଥିଲେ ଭଗବାନ । ଠିକଣା ଥିଲା ବାରିମୂଳ ଆଶ୍ରମ । ଦିନ ହେଉ ବା ରାତି ପ୍ରତ୍ୟେକ ଦିନ ଏହି ଆଶ୍ରମକୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟୁଥିଲା । ଆଧ୍ୟାତ୍ମିକ ପ୍ରବଚନରେ ପୂରା ବାରିମୂଳ ଫାଟୁଥିଲା । ଆଉ ଏହା ସାଙ୍ଗକୁ ସାରଥୀଙ୍କ ଅଲୌକିକତାର ଝଲକ ଦେଖିବା ପାଇଁ କାହିଁ କେତେ ଦୂରରୁ ବାରିମୂଳରେ ଜମୁଥିଲା ଭକ୍ତଙ୍କ ଆସର । ହାତରୁ ବିଭୁତି ବାହାର କରିବା ହେଉ ଅବା ସିମେଣ୍ଟ ଗାଈରୁ କ୍ଷୀର ବାହାର କରି ଭକ୍ତଙ୍କ ପାଇଁ ଭଗବାନ ପାଲଟିଯାଇଥିଲେ ସାରଥୀ । ଏପରିକି ଭକ୍ତ ମାନେ ସାରଥୀଙ୍କୁ ଭଗବାନ ଗାଦିରେ ବସାଇ ପୂଜା କରିବାକୁ ପଛାଉନଥିଲେ । କିନ୍ତୁ ନିଜକୁ ଭକ୍ତଙ୍କ ନଜରରେ ଭଗବାନ ସଜାଇଥିବା ସାରଥୀ ଯେ ବାସ୍ତବରେ ସୈତାନ ଥିଲେ ତାହା ଧୀରେ ଧୀରେ ଫର୍ଚ୍ଚା ହୋଇ ହୋଇ ଆସୁଥିଲା ।

୨୦୧୫ ଅଗଷ୍ଟ ୪ । ବାବାଙ୍କ କଳାକାରନାମାର ପ୍ରଥମ ଝଲକ ଦେଖିଥିଲା ପୂରା ରାଜ୍ୟ । ହାଇଦ୍ରାବାଦ ଗୋଲକୁଣ୍ଡା ହୋଟଲରେ ବାବା ସାରଥୀ ଜଣେ ଯୁବତୀଙ୍କ ସହ ରୋମାନ୍ସ କରୁଛନ୍ତି । ଏଭଳି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ କେନ୍ଦ୍ରାପଡା ସମେତ ପୁରା ରାଜ୍ୟରେ ଜଳିଲା ଅସନ୍ତୋଷର ନିଆଁ । ଆଉ ଏହାସହ ବଦଳିଯାଇଥିଲା ସାରଥୀଙ୍କ ପରିଚୟ । ରାତାରାତି ଆତ୍ମଘୋଷିତ ଭଗବାନ ପାଲଟି ଯାଇଥିଲେ ଭଣ୍ଡ । ସାରଥୀଙ୍କ ପାଇଁ ଜଳିଥିଲା ପୂରା କେନ୍ଦ୍ରାପଡା । ବାରିମୂଳରୁ ଆରମ୍ଭ ହୋଇଥିବା ପୂରା ରାଜ୍ୟକୁ ବ୍ୟାପିଥିଲା । ସାରଥୀଙ୍କୁ ଗିରଫ କରିବାକୁ ଚାରିଆଡୁ ଉଠିଲା ଦାବି । କିନ୍ତୁ ସାରଥୀଙ୍କ ନାଁରେ କୌଣସି ଅଭିଯୋଗ ହୋଇ ନ ଥିବାରୁ ବାରିମୂଳ ଆଶ୍ରମ ଭିତରକୁ ପଶି ପାରୁନଥିଲା ପୋଲିସ ।
ଗଣମାଧ୍ୟମରେ ସାରଥୀଙ୍କ ରୋମାନ୍ସ ଖବର ପ୍ରସାରଣ ପରେ ଅଗଷ୍ଟ ୭ରେ କଟକର ଏକ ଥାନାରେ ସାରଥୀଙ୍କ ନାମରେ ଯୌନ ଶୋଷଣ ନେଇ ଥାନାରେ ଅଭିଯୋଗ କରିଥିଲେ ଯୁବତୀ । ଆଉ ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର ।୮ ଅଗଷ୍ଟ ୨୦୧୫ । ରାତି ଅଧିଆ କ୍ରାଇମବ୍ରାଞ୍ଚ ପଶିଲା ବାରିମୂଳରେ । ଉଠାଇ ଆଣିଲା ଭଣ୍ଡବାବାଙ୍କୁ । କେନ୍ଦ୍ରାପଡାରୁ କଟକ । ରିମାଣ୍ଡ ପରେ ରିମାଣ୍ଡ । ଜେରା ପରେ ଜେରା । ଖୋଲିଲା ଅଧ୍ୟାତ୍ମିକ ଗୁରୁଙ୍କ ଅସଲି ମୁଖା ତିନି ତିନି ଜଣ ମହିଳା ବାବାଙ୍କ ବିରୋଧରେ ଆଣିଲେ ଅସାଦାଚରଣ ଅଭିଯୋଗ । ଆଇନ୍ ଜାଲରେ ଛନ୍ଦି ହୋଇ , ବାବା ପାଲଟିଗରେ ଖଳନାୟକ ବାବା ।

ବାବା ଗିରଫ ହେବା ପରେ କ୍ରାଇମବ୍ରାଞ୍ଚ ରାଡାରରେ ଆସିଥିଲା ସାରଥୀର କଳା ସାମ୍ରାଜ୍ୟ । ଆଶ୍ରମ ମଧ୍ୟରେ ବେଆଇନ ଅର୍ଥ କାରବାର ହେଉଥିବା ଖବର ଉପରୁ ପରଦା ଉଠାଇଥିଲା କ୍ରାଇମବ୍ରାଞ୍ଚ । ଆଉ ଏହି ବେଆଇନ ଅର୍ଥ କାରବାର ପଛର ମୁଖ୍ୟ ସୁତ୍ରଧର ତଥା ଭଣ୍ଡ ବାବାଙ୍କ ଧରମ ପୁଅ ସତ୍ୟମ ରାଉଳକୁ ମୁମ୍ବାଇରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଆଉ ଏହାପରେ ସାରଥୀଙ୍କ କଳା ସାମ୍ରାଜ୍ୟ ଏକ ପ୍ରକାର ଧୂଳିସାତ ହୋଇଥିଲା । ଆଉ ଜଉମୁଦ ସିଲ୍ ସହ ବନ୍ଦ ହୋଇଯାଇଥିଲା ଭଣ୍ଡ ବାବାଙ୍କ ବାରିମୂଳ ଆଶ୍ରମ ।

ହାଇକୋର୍ଟରୁ ସୁପ୍ରିମକୋର୍ଟ । ଗିରଫ ହେବା ପରେ ଜେଲରୁ ବାହାରିବାକୁ ଅନେକ ପ୍ରୟାସ କରି ବିଫଳ ହୋଇଥିଲେ ସାରଥୀ । ତେବେ ସାରଥୀଙ୍କ ପ୍ରତି ଲୋକଙ୍କର ରୋଷ କମିନଥିଲା । କୋର୍ଟରେ ହାଜର ହୋଇ ଫେରିବା ବେଳେ ସାରଥୀଙ୍କୁ ମାଡ ମାରିବାକୁ ପଛାଇନଥିଲେ ସାଧାରଣ ଲୋକେ । ଏହାପରେ ମଧ୍ୟ କିଛି ଭକ୍ତଙ୍କ ମନରେ ସାରଥୀ ସତେଜ ରହିଛନ୍ତି । ଯାହାର ଝଲକ ଅନେକ ସମୟରେ ଦେଖିବାକୁ ମିଳିଛି । ଏପରିକି ବାବାଙ୍କର ଏହା ଲୀଳାଖେଳ ବୋଲି କିଛି ଭକ୍ତ କହି ବୁଲୁଥିଲେ ।

ଗିରଫ ହେବାର ଚାରି ବର୍ଷ ପରେ ଏବେ ସାରଥୀଙ୍କୁ ମିଳିଛି ଜାମିନ । ପୂର୍ବରୁ ୨ଟି ମାମଲାରେ ଜାମିନ ମିଳିସାରିଥିବା ବେଳେ ଆଜି ତୃତୀୟ ମାମଲାରେ ସର୍ତ୍ତ ମୂଳକ ଜାମିନ ଦେଇଛନ୍ତି ହାଇକୋର୍ଟ । ବାବା ଆଉ ବାରିମୂଳ ଫେରି ପାରିବେନି କି ଭଗବାନଙ୍କ ନାଁରେ କୌଣସି ଧର୍ମୀୟ ସଭା କରିପାରିବେନି ବୋଲି ସର୍ତ୍ତରେ ସାରଥୀଙ୍କୁ ମିଳିଛି ଜାମିନ । ତେଣୁ ସାରଥୀ ଜେଲରୁ ଫେରିବା ପରେ ପୁଣିଥରେ କେଉଁ ରୂପରେ ସାମ୍ନାକୁ ଆସିବେ ଓ ତାଙ୍କର ନୂଆ ଠିକଣା କଣ ହେବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।