ରାଜ୍ୟର ଆଉ ୪ଟି ସ୍ଥାନରେ ନିର୍ମାଣ ହେବ ଅତ୍ୟାଧୁନିକ ପ୍ଲାନେଟୋରିୟମ ! ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ ପ୍ଲାନେଟୋରିୟମ ନିର୍ମାଣ କରିବେ ରାଜ୍ୟ ସରକାର

101

କନକ ବ୍ୟୁରୋ : ରାଜ୍ୟର ଆଉ ୪ଟି ସ୍ଥାନରେ ନିର୍ମାଣ ହେବ ଅତ୍ୟାଧୁନିକ ପ୍ଲାନେଟୋରିୟମ । ଭୁବନେଶ୍ୱର ଓ ସମ୍ବଲପୁର ପରେ ଏବେ ଗୋପଳପୁର, ରାୟଗଡା, ବାରିପଦା ଓ କେନ୍ଦୁଝରରେ ନିର୍ମାଣ ହେବାକୁ ଯାଉଛି ପ୍ଲାନେଟୋରିୟମ । ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିକଟସ୍ଥ କାନିସ ମୌଜା ବିକ୍ରମପୁର ଠାରେ ୫ ଏକର ଜମି ଚିହ୍ନଟ କରାଯାଇଛି । ଯେଉଁଠାରେ ଉନ୍ନତମାନର ପ୍ଲାନେଟୋରିୟମ ନିର୍ମାଣ କରାଯିବ । ପ୍ଲାନେଟୋରିୟମର ପାଚେରୀ ନିର୍ମାଣ ପାଇଁ ଇଡ଼଼କୋକୁ ୪୯,୫୨,୪୦୦ ଟଙ୍କା ପ୍ରଦାନ କରାଯାଇଛି ।

ସେହିଭଳି ରାୟଗଡା, ବାରିପଦା ଓ କେଉଁଝରରେ ମଧ୍ୟ ଆହୁରି ତିନୋଟି ପ୍ଲାନେଟୋରିୟମ ନିର୍ମାଣ କରାଯିବ । ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର ଗୁରବାର ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି । ବିଜେଡ଼ି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର ଏହି ଚାରୋଟି ସ୍ଥାନରେ ପ୍ଲାନେଟୋରିୟମ ହେବା ନେଇ ସୂଚନା ଦେଇଥିଲେ । ପ୍ରତି ପ୍ଲାନେଟୋରିୟମ ନିର୍ମାଣରେ ପାଖାପାଖି ୧୫ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାର ନିର୍ମାଣ କାର୍ଯ୍ୟ ସରିବାକୁ ପାଖାପାଖି ୨ରୁ ୩ ବର୍ଷ ସମୟ ଲାଗିବ । ତେବେ ଗୋପାଳପୁର ଓ ରାୟଗଡାରେ ପ୍ଲାନେଟୋରିୟମ ନିର୍ମାଣ ପାଇଁ ଜମି ଚିହ୍ନଟ ସରି ଯାଇଛି ।