ଜନତା କୋର୍ଟରେ ବଡ ବିଚାର । ଶେଷ ମୁହୂର୍ତ୍ତରେ ପଲଟିଗଲା ଭାଗ୍ୟ, ହାରୁ ହାରୁ ଜିତିଗଲେ ପ୍ରାର୍ଥୀ ।

3,410

କନକ ବ୍ୟୁରୋ: ୨୦୧୯ ନିର୍ବାଚନ ଫଳାଫଳ ଛାତି ଥରାଇଦେଇଛି ନେତାଙ୍କର । କିଏ ଜିତୁ ଜିତୁ ହାରିଛି ତ ଆଉ କିଏ ହାରୁ ହାରୁ ଜିତିଯାଇଛି । ଅନେକ ଆସନରେ ଦୁଇ ନେତାଙ୍କ ମଧ୍ୟରେ ଭୋଟ୍ ବ୍ୟବଧାନ ବି ବହୁତ କମ୍ ରହିଛି । କମ ବ୍ୟବଧାନର ବିଜୟ କିଛି ନେତାଙ୍କୁ ବିଧାୟକ ହେବାର ସୁଯୋଗ ଦେଇଛି ତ ପୁଣି କାହାର ବିଧାୟକ ହେବା ସ୍ୱପ୍ନକୁ ଭାଙ୍ଗି ଦେଇଛି ।

ଉଭୟ ବିଧାନସଭା ଓ ଲୋକସଭାରେ ଏମିତି ଅନେକ ପ୍ରାର୍ଥୀ ରହିଛନ୍ତି ଯେଉଁମାନେ ଅଳ୍ପକେ ବିଜୟରୁ ବଞ୍ଚିତ ହୋଇଛନ୍ତି । ବିଜୟର ଦ୍ୱାରଦେଶରେ ପହଞ୍ଚି ଥିଲେ ମଧ୍ୟ ପରାଜୟର ମୁହଁ ଦେଖିବାକୁ ପଡିଛି । ଯେଉଁ ତାଲିକାରେ ୫ ହଜାରରୁ କମ ଭୋଟରେ ହାରିଥିବା ୨୮ ଜଣ ବିଧାନସଭା ପ୍ରାର୍ଥୀ ରହିଛନ୍ତି ଓ ଜଣେ ଲୋକସଭା ପ୍ରାର୍ଥୀ ରହିଛନ୍ତି । ଯେଉଁମାନଙ୍କ ହାତପାହାନ୍ତାରୁ ଫେରିଯାଇଛି ବିଜୟ । ଏହି ତାଲିକାରେ ବିଜେଡିର ୧୫, ବିଜେପିର ୯ ଓ କଂଗ୍ରେସର ୩ ଜଣ ପ୍ରାର୍ଥୀ ରହିଛନ୍ତି । ଏହାବାଦ ଜଣେ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଏହି ତାଲିକାରେ ରହିଛନ୍ତି ।

ଖାସକରି ଲକ୍ଷାଧିକ ଭୋଟିଂ ହେଉଥିବା ଲୋକସଭା ଆସନରେ ମାତ୍ର ୩୬୧୩ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି ବିଜେଡି ପ୍ରାର୍ଥୀ । କୋରାପୁଟରେ କଡା ଟକ୍କର ମଧ୍ୟରେ ବାଜି ମାରି ନେଇଛି କଂଗ୍ରେସ । ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକ୍କାଙ୍କୁ ୩୬୧୩ ଭୋଟରେ ମାତ୍ ଦେଇ କମବ୍ୟାକ୍ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକା ।

ସେହିଭଳି କଣ୍ଟାବାଞ୍ଝି ବିଧାନସଭା କ୍ଷେତ୍ରରେ ସବୁଠୁ କମ ଭୋଟ ବ୍ୟବଧାନରେ ଜିତିଛନ୍ତି ସନ୍ତୋଷ ସିଂହ ସାଲୁଜା । ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କୁ ମାତ୍ର ୧୩୮ ଖଣ୍ଡ ଭୋଟରେ ହରାଇଛନ୍ତି କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂହ ସାଲୁଜା । ଆଉ ଏହାସହ ୫ ବର୍ଷ ପରେ ପୁଣିଥରେ ବିଧାନସଭା ରିଟର୍ଣ୍ଣ କରିଛନ୍ତି ସନ୍ତୋଷ । ଅନ୍ୟପଟେ ଲକ୍ଷ୍ମୀପୁର ଆସନରେ କ୍ଲୋଜ ଫାଇଟରେ ବାଜି ମାରିଛି ବିଜେଡି । କଂଗ୍ରେସ ପ୍ରାର୍ଥୀ କୈଳାସ ଚନ୍ଦ୍ର କୁଲେସିକାଙ୍କୁ ମାତ୍ର ୨୨୯ ଭୋଟରେ ମାତ୍ ଦେଇ ବିଧାୟକ ନିର୍ବାଚିତ ହୋଇଛନ୍ତି ବିଜେଡିର ପ୍ରଭୂ ଜାନୀ । ଆଉ ଏହାସହ ପୁଣିଥରେ କୈଳାସଙ୍କର ବିଧାୟକ ହେବା ସ୍ୱପ୍ନ ଭାଙ୍ଗିଛି ।

ପରଜଙ୍ଗ ଫଳାଫଳ ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନବୀନଙ୍କ ଚତୁର୍ଥ ପାଳିରେ ମନ୍ତ୍ରୀ ଥିବା ନୃସିଂହ ସାହୁ ମଧ୍ୟ ପରାଜୟରୁ ଅଳ୍ପକେ ବର୍ତ୍ତିଛନ୍ତି । କଡା ଟକ୍କର ମଧ୍ୟରେ ବିଜେପି ପ୍ରାର୍ଥୀ ବିଭୂତି ଭୂଷଣ ପ୍ରଧାନଙ୍କୁ ମାତ୍ର ୭୪୦ ଖଣ୍ଡ ଭୋଟରେ ମାତ୍ ଦେଇ ପୁଣିଥରେ ବିଜୟୀ ଟୀକା ପିନ୍ଧିଛନ୍ତି ନୃସିଂହ । ରାଜଗାଙ୍ଗପୁରରେ ବିଜେଡି ପ୍ରାର୍ଥୀ ତଥା ପୁରୁଖା ନେତା ମଙ୍ଗଳା କିଷାନଙ୍କୁ ଲାଗିଛି ବଡ ଝଟକା । ମାତ୍ର ୯୪୬ ଭୋଟ ପାଇଁ ବିଜୟରୁ ବଞ୍ଚିତ ହୋଇଛନ୍ତି ମଙ୍ଗଳା । ତେବେ ଏହି ଆସନରେ କଂଗ୍ରେସ ୫ ବର୍ଷ ପରେ ପୁଣିଥରେ କମବ୍ୟାକ୍ କରିଛି ।