ଶୀତ କାକରରେ ପଡି ରହିବୁ ପଛେ ସାର୍ଟିଫିକେଟ ନ ମିଳିବା ଯାଏଁ ଉଠିବୁନି । ସାର୍ଟିଫିକେଟ ନ ଦେଇ ଖେଳୁଛନ୍ତି ଶ୍ରୀ ବିଦ୍ୟା ନିକେତନ କଲେଜ କର୍ତ୍ତୃପକ୍ଷ, ଅନ୍ଧାରରେ ୩୬ ଛାତ୍ରଛାତ୍ରୀଙ୍କ ଭାଗ୍ୟ ।

472

କନକ ବ୍ୟୁରୋ : ପରୀକ୍ଷା ସରିଛି, ରେଜଲ୍ଟ ବାହାରିଛି କିନ୍ତୁ ସାର୍ଟିଫିକେଟ ମିଳିନି । ସାର୍ଟିଫିକେଟ ପାଇଁ କଲେଜ ଓ ବିଶ୍ୱବିଦ୍ୟାଳୟ ଦୌଡି ଦୌଡି ନାକେଦମ ହେବା ପରେ ଶେଷରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ଆଉ ନିଜର ସୁନେଲି ଭବିଷ୍ୟତ ପାଇଁ ସାରାରାତି ଧାରଣାରେ ବସି ରହିବାକୁୁ ନିଷ୍ପତି ନେଇଛନ୍ତି ଛାତ୍ରଛାତ୍ରୀ । ଶୀତ କାକରରେ ପଡିରହିବୁ ପଛେ ସାର୍ଟିଫିକେଟ ନ ମିଳିବା ଯାଏଁ ଏଠାରୁ ଉଠିବୁ ନାହିଁ । ଭୁବନେଶ୍ୱର ପାତ୍ରପଡାରେ ଥିବା ଶ୍ରୀ ବିଦ୍ୟା ନିକେତନ କଲେଜ ଅଫ୍ ମେଡିକାଲ ଆଣ୍ଡ ରିସର୍ଚ୍ଚ ଆଗରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ଶ୍ରୀ ବିଦ୍ୟା ନିକେତନ କଲେଜ ଅଫ୍ ମେଡିକାଲ ଆଣ୍ଡ ରିସର୍ଚ୍ଚରେ ବିଏଏସି ନର୍ସିଂରେ ପାସ୍ ହେବା ପରେ ମଧ୍ୟ ୩୬ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଦେଉନାହିଁ କଲେଜ । ପ୍ରଥମ ୩ ବର୍ଷର ମାର୍କସିଟ ମିଳିଥିବା ବେଳେ ଏଥିରେ ରେଜିଷ୍ଟ୍ରେସନ ନମ୍ବର ରହିନଥିଲା । ଆଉ ଏହାର କାରଣ ପଚାରିଲେ ଶେଷ ବର୍ଷର ସାର୍ଟିଫିକେଟ ରେଜିଷ୍ଟ୍ରେସନ ନମ୍ବର ସହ ଆସିବ ବୋଲି କୁହାଯାଇଥିଲା । ତେବେ ପରୀକ୍ଷା ଫଳ ବାହାରିବାର ୩ ମାସ ବିତିଯାଇଥିଲେ ମଧ୍ୟ ଏଯାଏଁ କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଦେବାକୁ ନାଁ ଧରୁନାହାନ୍ତି । ଆଉ ଛାତ୍ରଛାତ୍ରୀ ସାର୍ଟିଫିକେଟ ମାଗିଲେ କଲେଜ କର୍ତ୍ତୃପକ୍ଷ ନାଲିଆଖି ଦେଖାଉଛନ୍ତି । ଏପରିକି ସାର୍ଟିଫିକେଟ ଦେବା ବଦଳରେ ଛାତ୍ରଛାତ୍ରୀଙ୍କ ସହ ଖେଳୁଛନ୍ତି କଲେଜ କର୍ତ୍ତୃପକ୍ଷ । ଯେଉଁଥିପାଇଁ କେଉଁ ସ୍ଥାନରେ ଚାକିରୀ ପାଇଁ ମଧ୍ୟ ଆବେଦନ କରିପାରୁନାହାନ୍ତି ଏହି ୩୬ ଛାତ୍ରଛାତ୍ରୀ ।

ଏପରିକି ଶ୍ରୀ ବିଦ୍ୟା ନିକେତନ ଉତ୍କଳ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହୋଇଥିବା ସତ୍ତେ୍ୱ ମଧ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ସାର୍ଟିଫିକେଟ ଦେବା ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ । ବରଂ କଲେଜର ଭୁଲ ପାଇଁ ଛାତ୍ରଛାତ୍ରୀ ମାନେ ଭୋଗୁଛନ୍ତି ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି । ବାରମ୍ବାର କଲେଜ ଓ ବିଶ୍ୱବିଦ୍ୟାଳୟ ଚକ୍କର ଲଗାଇବା ଭିତରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି । ତେଣୁ ସାର୍ଟିଫିକେଟ ନ ମିଳିବା ପର୍ଯ୍ୟନ୍ତ ଧାରଣାରେ ବସି ରହିବୁ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।