ସମୟ ବଢୁଛି, ସୈତାନଙ୍କ ଆୟୁ ସରୁଛି । ନିର୍ଭୟା ଦୋଷୀଙ୍କ ଉପରେ ୩୨ ସୁରକ୍ଷାକର୍ମୀ ୨୪ ଘଣ୍ଟା ରଖିଛନ୍ତି ନଜର, ଫାଶୀ ପୂର୍ବରୁ ପଚରାଗଲା ଶେଷ ଇଚ୍ଛା ।

2,691

କନକ ବ୍ୟୁରୋ : ଗୋଟିଏ ପଟେ ନ୍ୟାୟିକ ଜଟିଳତା ଭିତରେ ଫଶି ରହିଛି ନିର୍ଭୟା ଦୋଷୀଙ୍କ ଫାଶୀ । ଆଉ ଅନ୍ୟପଟେ ଫାଶୀକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ତିହାର ଜେଲ କର୍ତୃପକ୍ଷ । ଫାଶୀ ପୂର୍ବରୁ ସେମାନଙ୍କ ଶେଷ ଇଚ୍ଛା କଣ ବୋଲି ପଚରା ଯାଇଛି । ତେବେ ଶେଷ ଇଚ୍ଛା ସଂପର୍କରେ ଏଯାଏଁ କୌଣସି ଉତର ଆସିନାହିଁ । ଅର୍ଥାତ ଆଇନର ଗଳାବାଟ ବ୍ୟବହାର କରି ଏମାନେ ଫାଶୀ ପ୍ରକ୍ରିୟାକୁ ଆହୁରି ବିଳମ୍ବିତ କରିବା ଲକ୍ଷ୍ୟରେ ରହିଥିବା ଅନୁମାନ କରାଯାଉଛି । ଏସବୁ ଭିତରେ ତିହାର ଜେଲରୁ ଆସିଛି କିଛି ଏଭଳି ତଥ୍ୟ, ଯାହା ନିର୍ଭୟା ଦୋଷୀଙ୍କ ଦଶା ହିଁ ବୟାନ କରୁଛି ।

ନିର୍ଭୟା ଦୋଷୀଙ୍କ ଦଶା
– ଫାଶୀ ପାଇବାକୁ ଥିବା ୪ ଦୋଷୀଙ୍କ ମଧ୍ୟରୁ ଜଣେ ଭୟରେ ଖାଇବା ଛାଡି ଦେଇଛି
– ସେହିପରି ଆଉଜଣେ ଦୋଷୀ ଧିରେଧିରେ ତାର ଖାଦ୍ୟ ପରିମାଣ କମାଇ ଚାଲିଛି
– ଦୋଷୀ ବିନୟ ଶର୍ମା ଦୁଇଦିନ ହେଲା କୌଣସି ପ୍ରକାର ଖାଦ୍ୟ ଖାଇନଥିଲା
– ବୁଧବାର ତାକୁ ଜେଲ କର୍ତୃପକ୍ଷ ବାରମ୍ବାର କହିବା ପରେ ଅଳ୍ପ ଖାଦ୍ୟ ଖାଇଛି
– ଅନ୍ୟଜଣେ ଦୋଷୀ ପବନ ଗୁପ୍ତା ମଧ୍ୟ ଭୟରେ ଅଳ୍ପ ଖାଦ୍ୟ ଖାଉଥିବା ଜଣାପଡିଛି

ହେଲେ ଫାଶୀର ପ୍ରଭାବ ମୁକେଶ ଓ ଅକ୍ଷୟ ଉପରେ ପଡିନଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏମାନେ ପୂର୍ବପରି ଠିକ ଭାବେ ଖାଦ୍ୟ ଗ୍ରହଣ କରୁଛନ୍ତି ଓ ବିଚଳିତ ନହୋଇ ଉପଯୁକ୍ତ ବିଶ୍ରାମ ମଧ୍ୟ ନେଉଛନ୍ତି । ନିର୍ଭୟା ଦୁଷ୍କର୍ମ ଓ ହତ୍ୟା ମାମଲାର ସମସ୍ତ ୪ ଦୋଷୀଙ୍କୁ ତିହାରର ତିନି ନମ୍ବର ଜେଲରେ ଅଲଗା ଅଲଗା ସେଲରେ ରଖାଯାଇଛି । ଫାଶୀ ପୂର୍ବରୁ ଏମାନଙ୍କ ଉପରେ କଡା ନଜର ରଖିବାକୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି ।

ନିର୍ଭୟା ଦୋଷୀଙ୍କ ସୁରକ୍ଷା
– ପ୍ରତି କଏଦୀଙ୍କ ସେଲ ବାହାରେ ଦୁଇଜଣ ଲେଖାଏଁ ସୁରକ୍ଷାକର୍ମୀ ମୁତୟନ ହେଉଛନ୍ତି
– ପ୍ରତି ଦୁଇ ଘଂଟାରେ ଥରେ ସିକ୍ୟୁରିଟି ଗାର୍ଡମାନଙ୍କୁ ବିଶ୍ରାମ ଦିଆଯାଉଛି
– ଅର୍ଥାତ ପ୍ରତି ଦୋଷୀଙ୍କ ସେଲ ବାହାରେ ୨୪ ଘଂଟା ପାଇଁ ୮ଜଣ ଲେଖାଏଁ ମୁତୟନ ହେଉଛନ୍ତି
– ସମସ୍ତ ୪ ଦୋଷୀଙ୍କ ପାଇଁ ୩୨ ଜଣ ସିକ୍ୟୁରିଟି ଗାର୍ଡ ମୁତୟନ ହେଉଛନ୍ତି
– ସେହିପରି ୨୪ ଘଣ୍ଟାରେ ପାଳିକରି ସୁରକ୍ଷାକର୍ମୀଙ୍କ ମୋଟ୍ ୪୮ଟି ସିଫ୍ଟ କରାଯାଉଛି

ଏହାରି ଭିତରେ ନିର୍ଭୟା ମାମଲାକୁ ନେଇ ଆଉ ଏକ ବଡଖବର ଜାତୀୟ ଗଣମାଧ୍ୟରେ ଚର୍ଚ୍ଚା ଚାଲିଛି । ନିର୍ଭୟା ଦୋଷୀଙ୍କ ବିରୋଧରେ ଡେଥ ୱାରେଂଟ ଜାରି କରିଥିବା ବିଚାରପତିଙ୍କ ବଦଳି କରିଦିଆ ଯାଇଛି । କିଛିଦିନ ତଳେ ଦିଲ୍ଲୀ ପଟିଆଲା ହାଉସକୋର୍ଟର ଅତିରିକ୍ତ ସେସନ୍ସ ଜଜ୍- ଜଷ୍ଟିସ ସତିଶ କୁମାର ଆରୋରା ଫେବ୍ରୁଆରୀ ୧ ତାରିଖରେ ଏମାନଙ୍କୁ ଫାଶୀ ଦେବା ପାଇଁ ସାନି ଡେଥ ୱାରେଣ୍ଟ ଜାରି କରିଥିଲେ । ହେଲେ ତାଙ୍କୁ ଡେପୁଟେସନରେ ସୁପ୍ରିମକୋର୍ଟର ଅତିରିକ୍ତ ରେଜିଷ୍ଟ୍ରାର ଭାବେ ବଦଳି କରିଦିଆଯାଇଛି । ଅର୍ଥାତ ନିର୍ଭୟା ମାମଲାର ଶୁଣାଣି ପାଇଁ ଏବେ ନୂଆ ଜଜଙ୍କୁ ଦାୟିତ୍ୱ ମିଳିପାରେ ।