ହିମାଚଳ ଓ ଉତ୍ତରାଖଣ୍ଡରେ ଜଳ ପ୍ରଳୟ: ବନ୍ୟା ଓ ଭୂସ୍ଖଳନରେ ଏଯାଏଁ ୩୧ ମୃତ; ୭୦ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ମଣ୍ଡି ସହରରେ ବନ୍ୟାଜଳରେ ଭାସି ଯାଉଥିଲା କାର, ଦଉଡି ଲଗାଇ ଉଦ୍ଧାର କଲେ ସ୍ଥାନୀୟ ବାସିନ୍ଦା

110

କନକ ବ୍ୟୁରୋ: ଲଗାଣ ବର୍ଷାରେ ବେହାଲ ହୋଇଛି ହିମାଚଳ ପ୍ରଦେଶ । ଗୋଟିଏ ଦିନରେ ଯେତିକି ବର୍ଷା ହୋଇଛି, ୭୦ ବର୍ଷ ମଧ୍ୟରେ ଏଭଳି ବର୍ଷା ଦେଖିବାକୁ ମିଳିନଥିଲା । ବନ୍ୟାରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଲଗାଣ ବର୍ଷା ଫଳରେ କୁଲ୍ଲୁ ଜିଲ୍ଲା ସହ ଅନ୍ୟ ଜିଲ୍ଲାର ସଂପର୍କ ବିଚ୍ଛିନ୍ନ ହୋଇଛି । ବ୍ୟାସ ନଦୀର ଜଳସ୍ତର ବଢ଼ିବା ଯୋଗୁଁ ବଜୌରାରୁ ମଣ୍ଡିକୁ ଯାଇଥିବା ଜାତୀୟ ରାଜପଥ ବନ୍ଦ ହୋଇଯାଇଛି । ମଣ୍ଡି ସହର ଜଳମଗ୍ନ ହୋଇଯାଇଛି । ଐତିହାସିକ ପଂଚବକ୍ତର ମନ୍ଦିର ପାଣିରେ ବୁଡି ଯାଇଛି । ମନ୍ଦିର ସାମନାରେ ଗାଡ଼ି ଗୁଡିକ ବୁଡ଼ିଯାଇଛି । ତେବେ ହଠାତ୍ ପାଣି ମାଡ଼ି ଆସିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗିଛନ୍ତି ।

ଲୋକଙ୍କ ଘରେ ପାଣି ପଶିଯାଇଛି । କୁଲ୍ଲୁ ଅଭିମୁଖେ ଯାଉଥିବା ବସଗୁଡ଼ିକୁ ମଣ୍ଡି ନିକଟରେ ଅଟକାଇ ଦିଆଯାଇଛି । ସହର ଭିତରେ ଥିବା ଏକ ବ୍ରିଜର ଗୋଟିଏ ପାଶ୍ୱର୍ ବନ୍ୟା ଭାସି ଯାଇଛି । ତେବେ ଏହା ପୂର୍ବରୁ ବ୍ରିଜରେ ଯାତାୟତ ବନ୍ଦ କରି ଦେଇଥିଲା ଜିଲ୍ଲା ପ୍ରଶାସନ । ଭୂସ୍ଖଳନ ଯୋଗୁଁ ବନ୍ୟା ଜଳର ପ୍ରଖର ସୁଅରେ ବଡ଼ ବଡ଼ ପଥର ଖଣ୍ଡ ଭାସି ଆସିବା ଫଳରେ ୩୦୫ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଛି । ମନାଲୀ-ଲେହ ରାସ୍ତା ମଧ୍ୟ କରି ଦିଆଯାଇଛି । ଶତାଧିକ ଗାଡି ରାସ୍ତାରେ ଅଟକି ରହିଛି । ମନାଲୀ-କାଜା ରାସ୍ତା ମଧ୍ୟ ବନ୍ୟା ଯୋଗୁଁ ଜଳମଗ୍ନ ହୋଇଛି । ସେଠାରେ ଥିବା ପରିବା ମଣ୍ଡି ସହ ସ୍ଥାନୀୟ ବଜାରକୁ ଖାଲି କରିଦିଆଯାଇଛି ।