ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଶହ ଟପିଲା । ଗୋଟିଏ ଦିନରେ ୨ଶହ ୨୭ ନୂଆ ଆକ୍ରାନ୍ତ ଚିହ୍ନଟ, ୩୦ ଡେଇଁଲା କରୋନାରେ ମୃତ୍ୟୁ ସଂଖ୍ୟା

4,873

କନକ ବ୍ୟୁରୋ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଶହ ଟପିଛି । ଗତକାଲି ଗୋଟିଏ ଦିନରେ ୨ଶହ ୨୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭାରତରେ ଗୋଟିଏ ଦିନରେ ୨ ଶହରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ଏହା ପ୍ରଥମ ଘଟଣା । ଏହାସହ ଭାରତର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଶହ ୧୫ରେ ପହଂଚିଛି । ସୋମବାର ରାତି ୯ଟା ୩୦ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଶହ ୧୫ ଥିବା ବେଳେ କରୋନାରେ ଏପର୍ଯ୍ୟନ୍ତ ୨୭ ଜଣଙ୍କ ମୃତ୍ୟୁ ହୋଇଛି । ୧୧ ଶହରୁ ଅଧିକ ଆକ୍ଟିଭ୍ କେସ୍ ଥିବା ବେଳେ ପ୍ରାୟ ଶହେ ଜଣ ଭଲ ହୋଇଛନ୍ତି । ସେପଟେ ତେଲେଙ୍ଗାନାରୁ ଦୁଃଖଦ ଖବର ଆସିଛି ।

ଦିଲ୍ଲୀର ନିଜାମୁଦିନରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ତେଲେଙ୍ଗାନାର ୬ ଜଣଙ୍କର ଗତକାଲି ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହାସହ ଦେଶରେ କରୋନାରେ ମୃତ୍ୟୁ ସଂଖ୍ୟା ୩୦ ଟପିଛି । ଏହି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ୧୩ ମାର୍ଚ୍ଚରୁ ୧୫ ମାର୍ଚ୍ଚ ଭିତରେ ହୋଇଥିବା ମୁସଲିମ୍ ଧାର୍ମିକ ସମାବେଶରେ ଦେଶ ଓ ବିଦେଶରୁ ବହୁ ଲୋକ ଯୋଗଦେଇଥଇଲେ । ଏହି ସମାବେଶର ଆୟୋଜନ ନେଇ ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର ।