ଆଜି ଆଇପିଏଲରେ ଖେଳାଯିବ ହାଇଭୋଲଟେଜ ମ୍ୟାଚ୍ । ମୁହାଁମୁହିଁ ହେବେ ପଞ୍ଜାବ-ବାଙ୍ଗାଲୋର । ଗତ ୨ ବର୍ଷ ହେଲା ରୟାଲ ଚ୍ୟାଲେଞ୍ଜର୍ସକୁ ହରାଇ ପାରନାହିଁ କିଙ୍ଗସ

111

ଆଇପିଏଲରେ ଆଜି ପଞ୍ଚାବ-ବାଙ୍ଗାଲୋର ମଧ୍ୟରେ ହାଇଭୋଲଟେଜ ଟକ୍କର ଦେଖିବାକୁ ମିଳିବ । ଆଇପିଏଲର ୧୨ ତମ ସିଜିନରେ ଏହା ୪୨ ତମ ମ୍ୟାଚ୍ ହୋଇଥିବା ବେଳେ ଦ୍ୱିତୀୟ ଥର ପାଇଁ ମୁହାଁମୁହିଁ ହେଉଛନ୍ତି ୨ ଦଳ । ବାଙ୍ଗାଲୋରର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ରାତି ୮ଟାରେ ଏହି ମ୍ୟାଚ୍ ଖେଳାଯିବ । ଏହାପୂର୍ବରୁ ୧୩ ଏପ୍ରିଲରେ ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ହୋଇଥିବା ପ୍ରଥମ ମୁକାବିଲାରେ ପଞ୍ଜାବ ବିପକ୍ଷରେ ୮ ୱିକେଟରେ ବିଜୟ ହାସଲ କରିଥିଲା ଆରସିବି ।

ଏହାପୂର୍ବରୁ ପଞ୍ଜାବ ଶେଷ ଥର ପାଇଁ ୬ ମେ’ ୨୦୧୭ରେ ବିଜୟ ହାସଲ କରିଥିଲା । କିନ୍ତୁ ଏହାପରେ ହୋଇଥିବା ୩ଟି ମ୍ୟାଚରୁ ୩ଟିରେ ବାଜି ମାରିଥିଲା ବାଙ୍ଗାଲୋର । ଆଇପିଏଲରେ ଉଭୟଙ୍କ ମଧ୍ୟରେ ଏବେ ପର୍ଯ୍ୟନ୍ତ ୨୩ଟି ମ୍ୟାଚ୍ ହୋଇଥିବା ବେଳେ ବାଙ୍ଗାଲୋର ୧୧ ଓ ପଞ୍ଜାବ ୧୨ଟି ମ୍ୟାଚରେ ବିଜୟ ଲାଭ କରିଛନ୍ତି । ତେବେ ଏନ୍ ଚିନାସ୍ୱାମୀ ଷ୍ଟାଡିୟମରେ ୧୦ଟି ମ୍ୟାଚ୍ ହୋଇଥିବା ବେଳେ ଉଭୟ ଦଳ ୫ଟି ଲେଖାଏଁ ମ୍ୟାଚରେ ପରସ୍ପରକୁ ମାତ୍ ଦେଇଛନ୍ତି ।

ପଞ୍ଜାବ ଟିମରେ ଗେଲ ଓ କେ ଏଲ ରାହୁଲ ଏବେ ଫର୍ମରେ ରହିଥିବାରୁ ଏହା ଦଳକୁ କିଛି ମାତ୍ରାରେ ଆଶ୍ୱସ୍ତ କରିଛି । ତେବେ ମଧ୍ୟକ୍ରମରେ ଦଳର ବ୍ୟାଟିଂ ବିଫଳତା ଏଯାଏଁ ସୁଧୁରିନି । ତେଣୁ ଦଳ ପାଇଁ ଏହା ଅଡୁଆ ସୃଷ୍ଟି କରିପାରେ । ସେହିଭଳି ବାଙ୍ଗାଲୋରର ଟପ୍ ଅର୍ଡର ବ୍ୟାଟସମ୍ୟାନ ମଧ୍ୟ ଜବରଦସ୍ତ ଫର୍ମରେ ରହିଛନ୍ତି । ବିରାଟ କୋହଲି, ଏବି ଡିଭିଲିୟର୍ସ ଓ ମୋଇନ ଅଲ୍ଲୀ ଫର୍ମକୁ ଫେରିଥିବାରୁ ଦଳ ପାଇଁ ସୁଯୋଗ ସୃଷ୍ଟି ହୋଇଛି । ବୋଲିଂରେ ମଧ୍ୟ ଡେଲ ଷ୍ଟେନ ଦଳକୁ ଫେରିଥିବାରୁ ଏହା ବାଙ୍ଗାଲୋର ପାଇଁ ସଞ୍ଜିବନୀ ସାବ୍ୟସ୍ତ ହୋଇଛି ।

ଚଳିତ ସିଜିନରେ ପଞ୍ଜାବ ୧୦ଟି ମ୍ୟାଚରୁ ୫ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି । ତେଣୁ ପ୍ଲେ-ଅଫ ଖେଳିବାକୁ ହେଲେ ଦଳକୁ ବଳକା ଥିବା ୪ରୁ ୩ଟି ମ୍ୟାଚରେ ଜିତିବାକୁ ପଡିବ । ଅନ୍ୟପଟେ ବାଙ୍ଗାଲୋର ୧୦ଟି ମ୍ୟାଚରୁ ମାତ୍ର ୩ଟିରେ ବିଜୟୀ ହେବା ସହ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି । ତେଣୁ ପ୍ଲେ-ଅଫ୍ ଖେଳିବାକୁ ହେଲେ ଦଳକୁ ଶେଷ ୪ଟି ମ୍ୟାଚରେ ବିଜୟୀ ହେବାକୁ ପଡିବ ।