ରେଳ ଯାତ୍ରୀଙ୍କ ପାଇଁ ଖୁସିଖବର ! ୨୫ଟି ଶତାବ୍ଦୀ ଟ୍ରେନର ଭଡା କମାଇବ ରେଳବିଭାଗ

57

ରେଳ ଯାତ୍ରୀଙ୍କ ପାଇଁ ଖୁସିଖବର । ଖୁବଶୀଘ୍ର ଶତାବ୍ଦୀ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଭଡା କମ କରିବାକୁ ଯୋଜନା କରିଛି ରେଳ ମନ୍ତ୍ରଣାଳୟ । ଯେଉଁ ଯାତ୍ରୀ କମ ଦୂରତା ଯିବା ପାଇଁ ଟ୍ରେନ ବଦଳରେ ସଡକ ପଥରେ ଯାତ୍ରା କରୁଛନ୍ତି ସେଭଳି ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ରେଳବିଭାଗ ଏକ ନୂଆ ପ୍ରୟାସ ଆରମ୍ଭ କରିବାକୁ ଯାଉଛି । ଯେଉଁ ରୁଟରେ ଶତାବ୍ଦୀ ଟ୍ରେନରେ କମ ଯାତ୍ରୀ ଯାତାୟତ କରୁଛନ୍ତି ସେହିଭଳି ୨୫ଟି ଶତାବ୍ଦୀ ଟ୍ରେନକୁ ଚିହ୍ନଟ କରିଛି ରେଳବିଭାଗ । ଆଉ ଏହି ୨୫ଟି ଶତାବ୍ଦୀ ଟ୍ରେନର ଭଡା କମ କରିବାକୁ ଚିନ୍ତା କରୁଛି ରେଳବିଭାଗ ।

ରେଳ ବିଭାଗର ଏକ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଶତାବ୍ଦୀ ଟ୍ରେନର ଭଡା କମ କରିବା ପାଇଁ ଗତ ବର୍ଷ ଏହି ଯୋଜନାକୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିଲା । ଦୁଇଟି ରୁଟରେ ଆରମ୍ଭ ହୋଇଥିଲା ଏହି ଯୋଜନା । ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିବା ଏହି ଯୋଜନାରେ ରେଳବିଭାଗକୁ ସଫଳତା ମଧ୍ୟ ମିଳିଥିଲା । ଯେଉଁ ଦୁଇଟି ରୁଟରେ ଏହି ଯୋଜନା ଲାଗୁ କରାଯାଇଥିଲା, ସେଠାରେ ରେଳୱେର ଆୟ ୧୭ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ପୂର୍ବପେକ୍ଷା ୬୩ ପ୍ରତିଶତ ଯାତ୍ରୀ ବୁକିଂ ମଧ୍ୟ କରିଥିଲେ ।

ଏଭଳି ପ୍ରୟାସ ଏମିତି ସମୟରେ ଆରମ୍ଭ କରାଯାଇଛି ଯେଉଁ ସମୟରେ ଫ୍ଲେକ୍ସି ଫେୟାର ସିଷ୍ଟମ ପାଇଁ ରେଳୱେକୁ ଆଲୋଚନାର ଶିକାର ହେବାକୁ ପଡୁଛି । ଏହି ଫ୍ଲେକ୍ସି ଫେୟାର ସିଷ୍ଟମ ପାଇଁ ଶତାବ୍ଦୀ, ରାଜଧାନୀ ଓ ଦୁରନ୍ତ ଭଳି ଟ୍ରେନର ଭଡା ବୃଦ୍ଧି ପାଇଛି । ରେଲୱେ ପୂରା ଦେଶରେ ୪୫ଟି ଶତାବ୍ଦୀ ଟ୍ରେନ ଚଳାଉଛି । ତେଣୁ ରେଲୱେର ଏହି ନୂଆ ଯୋଜନା ନିଶ୍ଚିତ ଭାବେ ଗ୍ରାହକଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ ।