ମହାରାଷ୍ଟ୍ର ପରେ ଝାଡଖଣ୍ଡରେ ବିଜେପିକୁ ଡବଲ ଝଟକା । ନିର୍ବାଚନ ପୂର୍ବରୁ ମେଣ୍ଟରୁ ଓହରିଲା ୧୯ ବର୍ଷର ସାଥୀ, ଏକାକୀ ନିର୍ବାଚନ ଲଢିବ ବିଜେପି ।

513

ମହାରାଷ୍ଟ୍ର ପରେ ଝାଡଖଣ୍ଡରେ ବିଜେପିକୁ ବଡ ଝଟକା । ମହାରାଷ୍ଟ୍ରରେ ଶିବସେନା ସହ ୩୦ ବର୍ଷର ମେଣ୍ଟ ଭାଙ୍ଗିବା ପରେ ଝାଡଖଣ୍ଡରେ ମଧ୍ୟ ସମାନ ଅବସ୍ଥା ଭୋଗିଛି ବିଜେପି । ୧୯ ବର୍ଷ ଧରି ବିଜେପିର ହାତ ଧରି ଚାଲୁଥିବା ଅଲ୍ ଝାଡଖଣ୍ଡ ଷ୍ଟୁଡେଣ୍ଟ ୟୁନିୟନ ନିର୍ବାଚନ ପୂର୍ବରୁ ମେଣ୍ଟକୁ ବାଏ ବାଏ କରିଛି । ଆଉ ଏହାସହ ଝାଡଖଣ୍ଡରେ ବିନା ସାଥୀରେ ନିର୍ବାଚନ ଲଢିବାକୁ ଯାଉଛି ବିଜେପି ।

ସିଟ୍ ଭାଗବଣ୍ଟାକୁ ନେଇ ଅଙ୍କ ନ ଛିଣ୍ଡିବାରୁ ଗତକାଲି ଲୋକ ଜନଶକ୍ତି ପାର୍ଟି ଏକାକୀ ୫୦ ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଥିଲା । ସେହିଭଳି ବିହାରରେ ବିଜେପି ସହ ମିଶି ସରକାର ଗଢିଥିବା ଜେଡିୟୁ ମଧ୍ୟ ଝାଡଖଣ୍ଡରେ ଏକାକୀ ଲଢିବାକୁ ନିଷ୍ପତି ନେଇଛି । ଆଉ ନିର୍ବାଚନ ସମୟରେ ସହଯୋଗୀ ଦଳ ଏଭଳି ହାତଛାଡି ଦେବା ବିଜେପି ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ।

ଗତ ୨୦୧୪ ନିର୍ବାଚନରେ ଅଲ୍ ଝାଡଖଣ୍ଡ ଷ୍ଟୁଡେଣ୍ଟ ୟୁନିୟନ ୮ଟି ଆସନରେ ନିର୍ବାଚନ ଲଢିଥିବା ବେଳେ ୫ଟି ଆସନରେ ବାଜିମାତ୍ କରିଥିଲା । ତେଣୁ ଚଳିତ ଥର ଦଳ ୧୭ଟି ଆସନ ଦାବି କରିଥିଲା ଦଳ । କିନ୍ତୁ ଅଲ୍ ଝାଡଖଣ୍ଡ ଷ୍ଟୁଡେଣ୍ଟ ୟୁନିୟନକୁ ମାତ୍ର ୧୦ଟି ସିଟ୍ ଦେବାକୁ ରାଜି ହୋଇଥିଲା ବିଜେପି । ତେବେ ବିଜେପିର ଏଭଳି ପ୍ରସ୍ତାବକୁ ଗ୍ରହଣ କରିବା ବଦଳରେ ମେଣ୍ଟରୁ ଓହରିଯିବାକୁ ଶ୍ରେୟସ୍କର ମଣିଥିଲା ଅଲ୍ ଝାଡଖଣ୍ଡ ଷ୍ଟୁଡେଣ୍ଟ ୟୁନିୟନ । ମେଣ୍ଟରୁ ଅଲ୍ ଝାଡଖଣ୍ଡ ଷ୍ଟୁଡେଣ୍ଟ ୟୁନିୟନ ଓହରିଯିବା ପରେ ପ୍ରଥମଥର ପାଇଁ ଗତ ୧୯ ବର୍ଷ ମଧ୍ୟରେ ଏକାକୀ ଲଢିବାକୁ ଯାଉଛି ବିଜେପି ।