ବ୍ଲକରେ ଅଟକିଛି ସାମାଜିକ କଲ୍ୟାଣ ଯୋଜନାରେ ଆସିଥିବା ୧୭ କୋଟି ଟଙ୍କା । ଭତା ନପାଇ ନିରାସ ହେଉଛନ୍ତି ବାଲେଶ୍ୱରର ହିତାଧିକାରୀ

ସରକାରୀ ଟଙ୍କା ଆସୁଛି ହେଲେ ହିତାଧିକାରୀଙ୍କ କାମରେ ଆସୁନି

68

କନକ ବ୍ୟୁରୋ : ସରକାରୀ ଟଙ୍କା ଆସୁଛି ହେଲେ ହିତାଧିକାରୀଙ୍କ କାମରେ ଆସୁନି । ପରିଣତ ବୟସରେ ବୁଢା ମଣିଷଟିଏ ଭତା ଗଣ୍ଡାଏ ପାଇଁ ଅପେକ୍ଷା କରିଥିବା ବେଳେ ବ୍ଲକ ଅଫିସରେ ପଡି ରହିଛି ସମାଜିକ କଲ୍ୟାଣ ଯୋଜନାରେ ଆସିଥିବା ଅର୍ଥ । ଆଉ ଭୋଟର ପରିଚୟ ପତ୍ରରେ ବୟସ ହୋଇନଥିବା ଦର୍ଶାଇ ବ୍ଲକ ପ୍ରଶାସନ ଭତାଟିଏ କରାଇ ଦେଉନଥିବା ଅଭିଯୋଗ ହୋଇଛି । ଗରିବ ଅସହାୟ ମଣିଷର ଦୁଃଖ ଦୂର କରିବା ପାଇଁ ୧୯୯୫ ମସିହାରୁ ଦେଶରେ ଜାତୀୟ ସାମିଜିକ ସୁରକ୍ଷା ଯୋଜନା କରାଯାଇଛି । ସେହିପରି ରାଜ୍ୟ ସରକାର ମଧ୍ୟ ନିଜସ୍ୱ ଯୋଜନା ପ୍ରଚଳନ କରିଛନ୍ତି ।

 

ବାର୍ଦ୍ଧକ୍ୟ ଭତା, ବିଧବା ଭତା, ଦିବ୍ୟାଙ୍ଗ ଭତା, ମଧୁବାବୁ ପେନସନ୍ ଭଳି ଅନେକ ଯୋଜନା । ହେଲେ ବାଲେଶ୍ୱରରେ ଏହି ଯୋଜନାରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ସାମାଜିକ ସୁରକ୍ଷା ପାଣ୍ଠି ବାବଦକୁ ଆସିଥିବା ପ୍ରାୟ ୧୭ କୋଟି ଟଙ୍କା ବିଭିନ୍ନ ବ୍ଲକରେ ପଡି ରହିଥିବା ବେଳେ ବୟସର ଅପରାହ୍ନରେ ଭତାଟିଏ ପାଇଁ ବ୍ଲକ ଅଫିସ ଦୌଡି ଦୌଡି ନୟାନ୍ତ ହେଉଛନ୍ତି ହିତାଧିକାରୀ । ବିଭିନ୍ନ ଆଇନ୍ ଓ କାଗଜ ପତ୍ର ଭୁଲ ଦର୍ଶାଇ ବ୍ଲକ ପ୍ରଶାସନ ଭତା ଦେଉନଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି ।

 

ସାମିଜିକ ସୁରକ୍ଷା ଯୋଜନା ପାଇଁ ସବୁ ବ୍ଲକକୁ ଅଗ୍ରୀମ ଟଙ୍କା ଦେଇଥାନ୍ତି ସରକାର । ବାଲେଶ୍ୱର ଜିଲ୍ଲାକୁ ମଧ୍ୟ ଗୋଟିଏ ଆର୍ଥିକ ବର୍ଷ ପାଇଁ ଆଗୁଆ ଟଙ୍କା ଆସିଛି । ଏବେ ସୁଦ୍ଧା ବିଭିନ୍ନ ବ୍ଲକ ଓ ପୌର ପରିଷଦରେ ପଡି ରହିଛି । ମିଳିଥିବା ସୂଚନା ଆଧାରରେ, ଏପ୍ରିଲ ସୁଦ୍ଧା ୧୭ କୋଟି ଟଙ୍କା ପଡି ରହିଛି ।

 

ଏବେ ଆସନ୍ତୁ ନଜର ପକାଇବା କେଉଁଠି ଅଛି କେତେ ଟଙ୍କା?
ବାହାନାଗା ବ୍ଲକରେ ୧ କୋଟି ୬୮ ଲକ୍ଷ, ବାଲିଆପାଳ ବ୍ଲକରେ ୧ କୋଟି ୭୦ ଲକ୍ଷ, ବସ୍ତାରେ ୧ କୋଟି ୮୩ ଲକ୍ଷ, ଭୋଗରାଇ ୩ କୋଟି ୨୦ ଲକ୍ଷ, ସଦର ୨କୋଟି ୮୩ ଲକ୍ଷ, ଜଳେଶ୍ୱର ୧ କୋଟି ୫୮ ଲକ୍ଷ,ଖଇରା ୧ କୋଟି ୩ ଲକ୍ଷ, ନିଳଗିରି ୧ କୋଟି ୫୭ ଲକ୍ଷ,ଔପଦାରେ ୧ କୋଟି ୩୦ ଲକ୍ଷ, ରେମୁଣା ୨ କୋଟି ୭୪ ଲକ୍ଷ ,ମ୍ୟୁନିସିପାଲଟି ୧ କୋଟି ୯୦ ଲକ୍ଷ ଏବଂ ସମୁଳିଆରେ ୬୯ ଲକ୍ଷ ଟଙ୍କା ପଡିରହିଥିବା ସୂଚନା ମିଳିଛି ।