ତାଲାବନ୍ଦ ବେଳେ ବାହାରେ ବୁଲି ବନ୍ଧା ହେଲେ ୧୪୦୦ ଜଣ । ହୋମ କ୍ୱାରେଣ୍ଟାଇନ ଭାଙ୍ଗିଲେ ହେବ କାର୍ଯ୍ୟାନୁଷ୍ଠାନ । କଡା ଚେତାବନୀ ଦେଲେ ପୋଲିସ ଡିଜି

3,367

କନକ ବ୍ୟୁରୋ: ହୋମ କ୍ୱାରେଣ୍ଟାଇନ ଭାଙ୍ଗିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ୧୪ ଦିନ ଘରେ ନରହି ଯଦି କେହି ନିୟମ ଭାଙ୍ଗନ୍ତି ତେବେ ପୋଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । କରୋନା ପ୍ରେସମିଟରେ ଏଭଳି କଡା ଶବ୍ଦରେ କ୍ୱାରେଣ୍ଟାଇନ ଭଙ୍ଗ କରୁଥିବା ଲୋକଙ୍କୁ ଚେତାବନୀ ଦେଇଛନ୍ତି ପୋଲିସ ଡିଜି ଅଭୟ । ତେବେ ବର୍ତ୍ତମାନ ସୁଦ୍ଧା ୬୧ଟି କ୍ୱାରେଣ୍ଟାଇନ ଭଙ୍ଗ ମାମଲା ହୋଇଛି । ତେଣୁ କ୍ୱାରେଣ୍ଟାଇନରେ ଥିବା ଲୋକଙ୍କୁ ନିୟମ ନଭାଙ୍ଗିବାକୁ କହିଛନ୍ତି ଡିଜିପି ।

ସେହିପରି ସାରା ଓଡିଶାରେ ଲକଡାଉନକୁ କଡାକଡି କରାଯାଇଥିବା ବେଳେ କିଛି ଲୋକ ଏହାକୁ ମାନୁ ନାହାନ୍ତି । ତାଲାବନ୍ଦକୁ ଖାମଖିଆଲି ଭାବେ ନେଇ ବାହାରେ ବୁଲୁଛନ୍ତି । ତେବେ ତାଲାବନ୍ଦ ସମୟରେ ନିୟମ ଖିଲାପ ନେଇ ୧୫୦୦ରୁ ଅଧିକ ମାମଲା ରୁଜୁ ହୋଇଥିବା ବେଳେ ୧୪୦୦ ଜଣଙ୍କୁ ଗିରଫ କରାଯାଇଛି ।

ସେପଟେ ୨୧ ଦିନିଆ ତାଲାବନ୍ଦ ବେଳେ କରୋନା ମୁକାବିଲା ପାଇଁ ସମସ୍ତେ ସିପାହୀ ସାଜିଛନ୍ତି । ସଙ୍କଟ ସମୟର ଏ ଯୁଦ୍ଧରେ ସମସ୍ତେ ନିଜକୁ ଜଣେ ଜଣେ ଯୋଦ୍ଧା ସଜାଇଛନ୍ତି । ଡାକ୍ତର, ପୋଲିସ, ସଫେଇ କର୍ମଚାରୀ, ସାମ୍ବାଦିକଙ୍କ ଭଳି ଅନେକ ଲୋକ ଏହାର ମୁକାବିଲା କରୁଛନ୍ତି ।

ତେବେ ରାସ୍ତାଘାଟରେ, ଛକଛକରେ ପୋଲିସ ଡହଡହ ଖରାରେ ଛିଡା ହୋଇ ତାଲାବନ୍ଦକୁ ସଫଳ କରାଉଛି । ନିୟମ ଖିଲାପକାରୀଙ୍କୁ ତଡି ତଡି ଗୋଡାଉଛି ଆଉ ଦେଶକୁ ସୁରକ୍ଷିତ ରଖିବାକୁ ଲୋକଙ୍କୁ ବାହାରକୁ ନବାହାରିବାକୁ ବାରମ୍ବାର କହୁଛି । ଏଭଳି ପରିସ୍ଥିତିରେ ପୋଲିସ କଠୋର ହୋଇ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି ମାତ୍ର ବ୍ୟବହାର ଖରାପ ନକରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି । ତେଣୁ ସଙ୍କଟ ସମୟରେ ପୋଲିସକୁ ସହଯୋଗ କରିବାକୁ ପୋଲିସ ଡିଜି ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।