କ୍ଷୀର ପାଇଁ ବ୍ୟାକୁଳ ପାକିସ୍ତାନ ! ପବିତ୍ର ମହରମ୍ ଅବସରରେ ପାକିସ୍ତାନରେ କ୍ଷୀରର ମହଙ୍ଗାମାଡ଼ , ପେଟ୍ରୋଲ୍ ଏବଂ ଡିଜେଲ୍ ପରେ ଏବେ କ୍ଷୀର ହେଲା ମହଙ୍ଗା ।

897

ମହଙ୍ଗା ମାଡ଼ରେ କ୍ଷତିଗ୍ରସ୍ଥ ପାକିସ୍ତାନରେ ଏବେ ରହିବା କାଠିକର ପାଠ ହୋଇଗଲାଣି । ପରିବା , ଖାଉଟି ଦ୍ରବ୍ୟ ଏବଂ ପେଟ୍ରୋଲ୍ ତ ଯାହା ମହଙ୍ଗା ଥିଲା ଏବେ ଏହି ତାଲିକାରେ କ୍ଷୀର ବି ସାମିଲ୍ ହୋଇଗଲାଣି । ପାକ୍ ରେ ପେଟ୍ରୋଲ୍ ଦର ୧୧୭.୮୩ ଟଙ୍କା ପ୍ରତି ଲିଟର ଥିବା ବେଳେ ଡିଜେଲ୍ ଦର ୧୩୨.୪୭ ଟଙ୍କା ରହିଛି । ଆଉ ଗୋଟିଏ କ୍ଷୀର ପ୍ୟାକେଟ୍ ପ୍ରତି ଲିଟର ପିଛା ୧୪୦ ଟଙ୍କା ରହିଛି । ଅର୍ଥାତ୍ ଏବେ ମହଙ୍ଗାରେ ପେଟ୍ରୋଲକୁ ମଧ୍ୟ ହରାଇଦେଇଛି କ୍ଷୀର । ପୂର୍ବରୁ କ୍ଷୀର ଦର ସାମାନ୍ୟରୁ ଅଧିକ ଥିଲେ ମଧ୍ୟ ଏବେ ମହରମ୍ ପାଇଁ ଆହୁରି ୨ ଗୁଣା ବଢିଯାଇଛି । ପାକିସ୍ତାନର ଏକ ଖବରକାଗଜ ମୁତାବକ , କ୍ଷୀର ମାଫିଆ ପବିତ୍ର ମହରମ୍ ଅବସରରେ କ୍ଷୀରର ଦରକୁ ଆକାଶଛୁଆଁ ଦରରେ ବିକ୍ରି କରି ଲୋକଙ୍କୁ ଲୁଟିବାକୁ ଚେଷ୍ଟା କରୁଛନ୍ତି । ତେବେ ପାକ୍ ବାସୀଙ୍କୁ ଏହି ମହଙ୍ଗାମାଡ଼ରୁ ଆଶ୍ୱସ୍ତି ଦେବା ପାଇଁ ସରକାର ପେଟ୍ରୋଲ୍ – ଡ଼ିଜେଲର ବଢୁଥିବା ଦରକୁ କ୍ରମଶଃ ୪.୫୯ ଏବଂ ୫.୩୩ ଟଙ୍କା କମାଇଛନ୍ତି । କିନ୍ତୁ ଏତଦ୍ ପରେ ବି ପେଟ୍ରୋଲ୍ – ଡ଼ିଜେଲର ଦାମ୍ ୧୧୩.୨୪ ଏବଂ ୧୨୭.୨୪ ଟଙ୍କା ରହିଛି ।

କିରାସିନି ତେଲର ଦର ପାକ୍ ରେ ୧୦୩.୮୪ ଟଙ୍କା ପ୍ରତି ଲିଟର ରହିଥିବା ବେଳେ ସରକାର ଏଥିରେ ୪.୨୭ ଟଙ୍କା କମ୍ କରି ୯୯.୫୭ ଟଙ୍କା କରିଛନ୍ତି । କେବଳ ସେତିକି ନୁହେଁ ସିଏନଜି ଦର ୮୫.୫୦ ଟଙ୍କା ପ୍ରତି କିଲୋ ଥିବା ବେଳେ ଏଥିରେ ୧୭ ପ୍ରତିଶତ ଜିଏସଟି ମଧ୍ୟ ଲାଗୁଛି । ତେବେ ସାଧାରଣ ଦିନ ମାନଙ୍କରେ ୯୪ ଟଙ୍କା ପ୍ରତି ଲିଟର କ୍ଷୀରର ଦାମ୍ ଥିବାବେଳେ ମହରମ୍ ରେ କ୍ଷୀରଦର ମହଙ୍ଗା କରିବା ପାକ୍ ବାସୀଙ୍କୁ ଚିନ୍ତାରେ ପକାଇଛି ।