ବାପା ଆରପାରିରେ, ମାଆ ଶଯ୍ୟାଶାୟୀ…୪ ପ୍ରାଣୀ କୁଟୁମ୍ବର ଭାର ଏବେ କୁନି ପୁଅ କାନ୍ଧରେ…ମା’ର ଚିକିତ୍ସା ଖର୍ଚ୍ଚ ଆଉ ଉଭଣୀଙ୍କୁ ମଣିଷ କରିବା ପାଇଁ ପେଟକୁ ପିଠି କରି ଖଟୁଛି ବିକାଶ

520

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ୭୦ ପ୍ରତିଶତରୁ ଅଧିକ ପରିବାର ଗରିବ । ଅବହେଳିତ ଅବସ୍ଥାରେ ଜୀବନ ଯାପନ କରିଛନ୍ତି । ମୂଲ ଲାଗିଲେ ପରିବାର ଚଳେ । ଏପରି ସ୍ଥଳେ ନିଜର ପିଲାଛୁଆଙ୍କୁ ଭଲ ପାଠ ପଢାଇବା କିମ୍ବା ଭଲ ଖାଦ୍ୟ ଦେବାରେ ଅକ୍ଷମ ହୁଅନ୍ତି । ଯାହାର ଗୋଟିଏ ସଦ୍ୟତମ ଉଦାହରଣ ରମେଶ ଭୁମିଆଙ୍କ ପରିବାର ।

ମାଲକାନଗିରି ସଦର ମହକୁମାଠାରୁ ମାତ୍ର ୩ କିଲୋମିଟର ଦୂର ଗୌଡଗୁଡା ପଂଚାୟତରେ ରୁହନ୍ତି ରମେଶ ଭୁମିଆଙ୍କ ପରିବାର । କିଛି ବର୍ଷ ତଳେ ଅଜଣା ରୋଗରେ ସବୁଦିନ ପାଇଁ ଆଖିବୁଜି ଦେଲେ ଘରର ମେରୁଦଣ୍ଡ କୁହାଯାଉଥିବା ରମେଶ । ସ୍ୱାମୀଙ୍କ ଦେହାନ୍ତ ପରେ ପରିବାରର ବୋଝ ପତ୍ନୀ ରୁଙ୍କୁଣୀ ଭୁମିଆଙ୍କ ମୁଣ୍ଡରେ । ପିଲାଛୁଆଙ୍କ ପେଟରେ ମୁହଁରେ ଦାନା ଗଣ୍ଡାଏ ଦେବା ଲାଗି ରୁଙ୍କୁଣୀ ଘରୁ ଗୋଡ କାଢିଥିଲେ । ହେଲେ ବିଧିର ବିଧାନ କିଛି ଭିନ୍ନ ଥିଲା । ପରଘର ପାଇଟି କରି ପିଲାଙ୍କ ପେଟ ପୋଷିବେ କଣ, ଏବେ ନିଜେ ରୁଙ୍କୁଣୀ ବି ଅଜଣା ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ । ୩ ପିଲା ବିକାଶ, କବିତା ଏବଂ ଲକ୍ଷ୍ମୀଙ୍କୁ ନେଇ ବହୁ ଦୁଃଖକଷ୍ଟରେ ଜୀବନ ଯାପନ କରୁଛନ୍ତି ରୁଙ୍କୁଣୀ । ପୂର୍ବ ଭଳି ଆଉ କାମ କରିପାରୁ ନଥିବାରୁ ଘରର ଗୋଟିଏ କୋଣରେ ପଡି ରହିଛନ୍ତି ଏହି ଅସହାୟ ମାଆ ।

ଏଭଳି ସ୍ଥିତିରେ ଘରର ମୁରବି କହିଲେ ୧୨ ବର୍ଷର ପୁଅ ବିକାଶ । ପାଠପଢା ଛାଡି ଏବେ କୁଲି କରିବାକୁ ବାହାରି ପଡିଛି ବିକାଶ । ରୋଗିଣା ମା’ଙ୍କ ଚିକିତ୍ସା ଏବଂ ଦୁଇ ଉଭଣୀଙ୍କ ମୁହଁରେ ଦାନା ଦେବାକୁ କୁଲି ବୃତିକୁ ଆଦରି ନେଇଛି କୁନି ବିକାଶ । ଦିନ ଯାକାର ହାଡଭଙ୍ଗା ପରିଶ୍ରମରେ ବିକାଶ ଯାହା ରୋଜଗାର କରନ୍ତି, ସେଥିରେ ୪ ପ୍ରାଣୀ କୁଟୁମ୍ବ ଓଳିଏ ଖାଇଲେ ଓଳିଏ ଉପାସରେ ରହୁଛନ୍ତି । ଅନ୍ୟପଟେ ମା’ ନିଜର ୩ ପିଲାଙ୍କୁ କିପରି ବଂଚାଇବ ସେନେଇ ସବୁବେଳେ ଚିନ୍ତାରେ ।

ତେବେ ଯଦି ପ୍ରଶାସନ ପକ୍ଷରୁ ରମେଶଙ୍କ ପରିବାରକୁ ତୁରନ୍ତ ସହଯୋଗର ହାତ ବଢାନଯାଏ ହୁଏତ ଏହି ପରିବାର ଦାଣ୍ଡର ଭିକାରୀ ସାଜିବାକୁ ଆଉ ବେଶି ସମୟ ଲାଗିବ ନାହିଁ । ବିକାଶର କଅଁଳ କାନ୍ଧରେ ପରିବାରର ବୋଝ ଯେ ଉଠିବ ତାହା ଅସମ୍ଭବ । ତେଣୁ ବିକାଶ ଓ ତାର ପରିବାରର ଭବିଷ୍ୟତ ସଜାଡିବାକୁ ସରକାରଙ୍କ ନିକଟରେ ଗାଁ ଲୋକେ ଅନୁରୋଧ କରିଛନ୍ତି ।