କୋଲକାତାରୁ ଆସିଲା ଚାଞ୍ଚଲ୍ୟକର ଘଟଣା । ପ୍ଲାଷ୍ଟିକ ବ୍ୟାଗ ମଧ୍ୟରୁ ମିଳିଲା ୧୪ ନବଜାତକ ଶିଶୁଙ୍କ ମୃତଦେହ

38

ପ୍ଲାଷ୍ଟିକ ବ୍ୟାଗରୁ ମିଳିଲା ୧୪ ଜଣ ନବଜାତକଙ୍କ ମୃତଦେହ । କୋଲକାତାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଚାଞ୍ଚଲ୍ୟ ସୃଷ୍ଟି କରିଛି । କୋଲକାତାର ହରଦେବପୁର ଅଞ୍ଚଳରେ ପ୍ଳାଷ୍ଟିକ ବ୍ୟାଗରେ ପଶିଥିବା ୧୪ ଜଣ ଶିଶୁଙ୍କ ମୃତଦେହ ମିଳିଛି । ନିର୍ମାଣ କାର୍ଯ୍ୟ ପାଇଁ ଟିଣ ଦ୍ୱାରା ବନ୍ଦ ଥିବା ସ୍ଥାନରେ ଶ୍ରମିକ ମାନେ ସଫା କରୁଥିବା ବେଳେ ଏହି ନବଜାତକ ଶିଶୁ ମାନଙ୍କର ମୃତଦେହ ଦେଖିଥିଲେ ।

ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଖୋଳତାଡ ଆରମ୍ଭ କରିବା ସହ ବିଭିନ୍ନ ଦିଗକୁ ନେଇ ଯାଞ୍ଚ ଆରମ୍ଭ କରିଛି । ଏପରିକି ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିର ଫୁଟେଜକୁ ଆଧାର କରି ତଦନ୍ତ ଆଗକୁ ବଢାଇଛି । ପୁଲିସ ମୁତାବିକ, ହରଦେବପୁର ଥାନା ଅର୍ନ୍ତଗତ ରାଜା ରାମମୋହନ ରୟ ସାରଣୀ ପାଖରେ ଏହି ମୃତଦେହ ଗୁଡିକ ପଡିଥିବାର ଶ୍ରମିକ ମାନେ ଦେଖିଥିଲେ । ସ୍ଥାନୀୟ ଅଞ୍ଚଳର କୌଣସି ଗର୍ଭପାତ ରାକେଟର ଏହା ପଛରେ ହାତ ଥିବା ପୋଲିସ ସନ୍ଦେହ କରୁଛି । ତେବେ ଏସବୁ ଭିତରେ ଖାଲି ପଡିଥିବା ଜମିରେ ନବଜାତ ଶିଶୁଙ୍କ ମୃତଦେହ କିପରି ଆସିଲା ତାହାର ଯାଞ୍ଚ କରୁଛି ପୋଲିସ ।

ସୂଚନା ଅନୁଯାୟୀ, ଏହି ଶିଶୁ ମାନଙ୍କର ମୃତ୍ୟୁ ପଛରେ ଏକ ବଡ ମାମଲା ଲୁଚି ରହିଛି । ଏପରିକି କୌଣସି ସ୍ଥାନରେ ଗର୍ଭପାତ କରାଇ ଏହି ଶିଶୁ ମାନଙ୍କର ମୃତଦେହକୁ ଆଣି ଏଠାରେ ଫିଙ୍ଗି ଦିଆଯାଇଛି ବୋଲି ପୋଲିସ ଅନୁମାନ କରୁଛି । ଦକ୍ଷିଣ କୋଲକାତାରେ ଘଟିଥିବା ଏହି ଚାଞ୍ଚଲ୍ୟକର ଘଟଣା ଉପରେ ଏବେ ପୋଲିସ ନଜର ରଖିଛି ।