ନବୀନଙ୍କ ପଞ୍ଚମ ପାଳି ମନ୍ତ୍ରିମଣ୍ଡଳର ରୂପରେଖ ଚୂଡ଼ାନ୍ତ: ମନ୍ତ୍ରୀ ତାଲିକାରୁ ବାଦ ପଡିଲା ୧୩ ଜିଲ୍ଲା; ସୋନପୁର, ପୁରୀରେ ୨ ଜଣ ଲେଖାଏ ହେଲେ କେନ୍ଦ୍ରାପଡ଼ା, ଯାଜପୁରରେ ମନ୍ତ୍ରୀ ଶୂନ୍ୟ

ମନ୍ତ୍ରୀ ତାଲିକା ଓ ବିଭିନ୍ନ ଜିଲ୍ଲାରୁ ପ୍ରତିନିଧିତ୍ବ ନେଇ ଜୋର ଧରିଲା ଚର୍ଚ୍ଚା

773

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ମନ୍ତ୍ରିମଣ୍ଡଳର ରୂପରେଖ ଚୂଡ଼ାନ୍ତ ହୋଇଛି। ଆଜି ମନ୍ତ୍ରିମଣ୍ଡଳ ସହ ଶ୍ରୀ ପଟ୍ଟନାୟକ ଶପଥ ଗ୍ରହଣ କରିବେ। ମନ୍ତ୍ରୀ ତାଲିକା ଓ ବିଭିନ୍ନ ଜିଲ୍ଲାରୁ ପ୍ରତିନିଧିତ୍ବ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର୍ ଧରିଛି। ଦୁଇଟି ଜିଲ୍ଲାରୁ ଦୁଇ ଜଣ ଲେଖାଏ ମନ୍ତ୍ରୀ ହୋଇଥିଲା ବେଳେ ମନ୍ତ୍ରିମଣ୍ଡଳରେ ଏଥର ୧୩ଟି ଜିଲ୍ଲା ପ୍ରତିନିଧି ଶୂନ୍ୟ ହୋଇଯିବ। ସମ୍ବଲପୁର, ସୁନ୍ଦରଗଡ଼, ଅନୁଗୁଳ, ବୌଦ୍ଧ, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଦେବଗଡ଼, ଗଜପତି, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାର କୌଣସି ବିଧାୟକ ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ନାହାନ୍ତି।

ଏକଦା ମନ୍ତ୍ରୀପଡ଼ା କୁହାଯାଉଥିବା କେନ୍ଦ୍ରାପଡ଼ା ଜିଲ୍ଲାରେ ଏଥର ବିଜେଡିର ସବୁ ବିଧାୟକ ପ୍ରାର୍ଥୀ ଜିତିବା ସହ ସାଂସଦ ପ୍ରାର୍ଥୀଙ୍କୁ ମଧ୍ୟ ଜିତାଇଥିଲେ। ଏହି ଜିଲ୍ଲାର ୩ ଜଣ ବିଧାୟକ ପ୍ରତାପ କେଶରୀ ଦେବ, ଶଶିଭୂଷଣ ବେହେରା ଓ ଅତନୁ ସବ୍ୟସାଚ୍ଚୀ ନାୟକ ମନ୍ତ୍ରୀ ପଦ ପାଇଁ ପ୍ରମୁଖ ଦାବିଦାର ଥିଲେ ବି କାହାରିକୁ ସ୍ଥାନ ଦିଆଯାଇ ନାହିଁ। ସେହିପରି ଯାଜପୁର ଜିଲ୍ଲାରେ ବିଜେଡି ସବୁ ବିଧାନସଭା ଓ ଲୋକସଭା ଆସନ ଜିତିଥିଲେ ବି କାହାରିକୁ ମନ୍ତ୍ରିମଣ୍ଡଳରେ ନିଆଯାଇ ନାହିଁ। ଏହି ଜିଲ୍ଲାକୁ ପୂର୍ବ ଥର ପରି ମୁଖ୍ୟ ସଚେତକ ପଦବି ଦିଆଯାଇ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରାଯାଇଛି। ଗତ ଥର ବଡ଼ଚଣା ବିଧାୟକ ଅମର ଶତପଥୀ ମୁଖ୍ୟ ସଚେତକ ଥିଲା ବେଳେ ଏଥର ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ସେହି ପଦବି ଦିଆଯାଇଛି। ଅନୁଗୁଳ ଜିଲ୍ଲାରେ ୫ଟି ଯାକ ବିଧାନସଭା ଆସନ ବି ବିଜେଡି ଦଖଲ କରିଛି। ଏକାଧିକ ଥର ଜିତିଥିବା ବିଧାୟକ ବି ଏହି ଜିଲ୍ଲାରେ ଅଛନ୍ତି। କିନ୍ତୁ ମନ୍ତ୍ରିମଣ୍ଡଳରେ କାହାରିକୁ ପ୍ରତିନିଧିତ୍ବ କରିବାର ସୁଯୋଗ ମିଳିନି। ଏହି ଜିଲ୍ଲାରୁ ପୂର୍ବତନ ମନ୍ତ୍ରୀ ରଜନୀକାନ୍ତ ସିଂହ ଏଥର ମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଚାଲିଥିଲେ ବି ଚୂଡ଼ାନ୍ତ ତାଲିକାରେ ତାଙ୍କ ନାମ ଆସି ନାହିଁ।

ଗଞ୍ଜାମ ଜିଲ୍ଲାରେ ଏକମାତ୍ର ବିଧାୟକ ଭାବେ ବିକ୍ରମ କେଶରୀ ଆରୁଖ ତାଙ୍କ ମନ୍ତ୍ରୀ ପଦ ବଜାୟ ରଖିଛନ୍ତି। ତେବେ ଜିଲ୍ଲାର ଆଉ ଜଣେ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି ଭାବେ ମନୋନୀତ କରାଯାଇଛି। ବୌଦ୍ଧ ଜିଲ୍ଲାରେ ଦୁଇଟି ଯାକ ନିର୍ବାଚନମଣ୍ଡଳୀ ବିଜେଡି କବଜାରେ ରହିଛି। ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଗତ ସରକାରର ପ୍ରଥମ ପର୍ଯ୍ୟାୟରେ ଅର୍ଥ ମନ୍ତ୍ରୀ ଥିଲା ବେଳେ ପରବର୍ତ୍ତୀ ସମୟରେ ବାଚସ୍ପତି ହୋଇଥିଲେ। କିନ୍ତୁ ଏଥର ତାଙ୍କୁ ବାଦ୍ ଦିଆଯିବା ସହ ବୌଦ୍ଧ ଜିଲ୍ଲା ମନ୍ତ୍ରୀ ଶୂନ୍ୟ ହୋଇଛି। ଭଦ୍ରକରେ ୫ଟି ବିଧାନସଭା ଆସନରୁ ବିଜେଡି ୪ଟି ଦଖଲ କରିଛି। ଭଦ୍ରକ ଲୋକସଭା ଆସନ ବି ବିଜେଡିକୁ ଯାଇଛି। କିନ୍ତୁ ଏହି ଜିଲ୍ଲାରେ କାହାରିକୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିନାହିଁ।

ଗତ ମନ୍ତ୍ରିମଣ୍ଡଳରେ ଥିବା ପ୍ରଫୁଲ୍ଲ ସାମଲଙ୍କୁ ଏଥର ବାଦ୍ ଦିଆଯାଇଛି। କନ୍ଧମାଳ ଜିଲ୍ଲାର ତିନିଟି ଯାକ ବିଧାନସଭା ଆସନରେ ବିଜେଡି ଜିତିଛି। ମାଲକାନଗିରିରେ ଦୁଇଟି ଯାକ ଆସନରୁ ଗୋଟିଏ ବିଜେଡି ଦଖଲ କରିଛି। ନବରଙ୍ଗପୁରର ଚାରିଟି ବିଧାନସଭା ଆସନ ମଧ୍ୟରୁ ୩ଟିକୁ ବିଜେଡି ଦଖଲ କରିଛି। ନୂଆପଡ଼ା ଜିଲ୍ଲାରେ ଦୁଇଟି ବିଧାନସଭା ଆସନରୁ ଗୋଟିଏ ବିଜେଡି ଜିତିଛି। କିନ୍ତୁ ଏହି ଜିଲ୍ଲାଗୁଡ଼ିକରେ କାହାରିକୁ ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳି ନାହିଁ। ଦେବଗଡ଼ ଜିଲ୍ଲାର ଏକମାତ୍ର ବିଧାନସଭା ଆସନ ବିଜେପି ଦଖଲ କରିଛି। ସେହିପରି ଗଜପତି ଜିଲ୍ଲାର ଦୁଇଟି ଯାକ ଆସନ ବିଜେଡି ହାତରେ ନାହିଁ, ଗୋଟିଏ କଂଗ୍ରେସ ଓ ଗୋଟିଏ ବିଜେପି ଦଖଲରେ ରହିଛି।