କନକ ବ୍ୟୁରୋ: ହକି ବିଶ୍ୱକପ ପାଇଁ ଏବେ ଚଳଚଂଚଳ ହୋଇପଡିଛି ରାଜଧାନୀ ଭୁବନେଶ୍ୱର । କଳିଙ୍ଗ ଷ୍ଟାଡିୟମରେ ହକିକୁ ସାରା ବିଶ୍ୱ ପ୍ର୍ରଦର୍ଶନ କରିବାକୁ ଯାଉଛି ଓଡିଶା । ଅପରାହ୍ନ ୫ଟା ୩୦ରେ ବିଶ୍ୱ ହକି ମହାକୁମ୍ଭର ଉଦଘାଟନୀ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ । ଏ ଆର ରେହମାନଙ୍କ ସଂଗୀତ ସହ ଧକ ଧକ ଗାର୍ଲ ମାଧୁରୀଙ୍କ ନୃତ୍ୟରେ ଝୁମିରେ ଦର୍ଶକ । ପ୍ରାୟ ୧୧ ଶହ ନାମୀଦାମୀ କଳାକାରଙ୍କ ମାଧୁରୀ ନୃତ୍ୟ ପରିବେଷଣ କରିବେ ।ଏହା ସହ ଦର୍ଶକଙ୍କୁ ମତୁଆଲା କରିବେ କିଙ୍ଗ ଖାନ ଶାହାରୁଖ । ବିଶ୍ୱକପ ହକିରେ ୧୬ଟି ଦେଶ ଅଂଶ ଗ୍ରହଣ କରିଛନ୍ତି । ହକି ପାଇଁ କଳିଙ୍ଗ ଷ୍ଟାଡିୟମକୁ ପୁରା ପୁଲିସ ଛାଉଣୀ କରାଯାଇଛି । ସେପଟେ ହକି ପାଇଁ ପୁରା ସଜେଇ ହୋଇଯାଇଛି ରାଜଧାନୀ ।
ଅନ୍ୟପଟେ, ବିଶ୍ୱକପ ସଙ୍ଗୀତ ଜୟ ହିନ୍ଦ୍ ଇଣ୍ଡିଆର ପୁରା ଗୀତ ରିଲିଜ ହୋଇଛି । ଏହି ଝଲକ ପ୍ରଶଂସକୁ ବେଶ ପସନ୍ଦ ଆସିଛି । କିଛିଦିନ ତଳେ ସଙ୍ଗୀତର ପ୍ରଥମ ଝଲକ ଆସିଥିଲା, ଯାହା ବେଶ ଲୋକପ୍ରୟିତା ସାଉଂଟିଥିଲା । ଗୀତରେ ଶାହାରୁଖ ଓ ରେହେମାନ ହକି ଷ୍ଟିକରେ ହୁକ ଷ୍ଟେପ କରୁଥିବା ଦେଖିବାକୁ ମିଳିଛି । ଭିଡିଓ ଓ ରେହମାନଙ୍କ ମଧ୍ୟରେ ତାଳମେଳ ବେଶ ସୁନ୍ଦର ହୋଇଛି । ବିଶ୍ୱକପ ଅବସରରେ ଭାରତୀୟ ଦଳକୁ ଉତ୍ସାହିତ କରିବା ଲାଗି ଏହି ସଙ୍ଗୀତ ନିୟମିତ ବାଜିବ । ସଙ୍ଗୀତରେ ଅନ୍ୟ କଳାକାର ବି ଅଭିନୟ କରିଛନ୍ତି ।
କେଉଁ ଗେଟରେ ପ୍ରବେଶ କରିବେ
କଳିଙ୍ଗ ଷ୍ଟାଡିୟମ୍ରେ ପ୍ରବେଶ ପାଇଁ ୯ଟି ଗେଟ୍ ରହିଛି। ତେବେ ସମସ୍ତ ଗେଟ୍ ଦେଇ ଦର୍ଶକମାନେ ପ୍ରବେଶ କରିପାରିବେ ନାହିଁ। ୯ ନମ୍ବର ଗେଟ୍ ବାଟେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଭିଭିଆଇପିମାନେ ପ୍ରବେଶର ବନ୍ଦୋବସ୍ତ କରାଯାଇଛି। ସେହିଭଳି ୨ ନମ୍ବର ଗେଟ୍ରେ ପାସ୍ଧାରି, ଗଣମାଧ୍ୟମ ପ୍ରତିନିଧି ଏବଂ ମ୍ୟାଚ୍ ଅଫିସିଆଲ୍ମାନେ ପ୍ରବେଶ କରିବେ। ୪ ନମ୍ବର ଗେଟ୍ରେ କେବଳ ଖେଳାଳିମାନେ ଷ୍ଟାଡିୟମ ଭିତରକୁ ଯିବେ। ୨, ୪ ଓ ୯ ନମ୍ବର ଗେଟ୍କୁ ଛାଡ଼ି ଅନ୍ୟ ୬ଟି ଗେଟରେ ଦର୍ଶକମାନେ ପ୍ରବେଶ କରିବା ପାଇଁ ବ୍ୟବସ୍ଥା କରାଯାଇଛି।
ପଡ଼ିଆ ଭିତରକୁ ପାଣି ବୋତଲ ମନା
କଳିଙ୍ଗ ଷ୍ଟାଡିୟମ୍ ଭିତରକୁ କେତେକ ଜିନିଷ ନେବାକୁ ବାରଣ କରାଯାଇଛି। ପାଣି ବୋତଲ, ଦିଆସିଲି, ରେଜା ପଇସା, ଛୋଟ ଛୁରି ଓ ଲାଇଟର୍ ଆଦି ପ୍ରବେଶ ଉପରେ ରୋକ୍ ଲଗାଯାଇଛି। ଖେଳାଳି ଓ ଦର୍ଶକଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଆଯାଇଛି। ଯେଉଁମାନେ ବି ଏସବୁ ଜିନିଷ ନେଇ ପ୍ରବେଶ କରିବେ ସେଗୁଡ଼ିକୁ ପ୍ରବେଶ ଗେଟ୍ ନିକଟରେ ଯାଞ୍ଚ୍ ପରେ ବାହାର କରିଦିଆଯିବ।