ଅସ୍ତରଙ୍ଗରେ କୂଳ ଲଙ୍ଘୁଛି ସମୁଦ୍ର ! ନୀଳ ଜଳରାଶିରେ ଲୀନ ହୋଇଯିବ ୧୦ଟି ଗାଁ

151

କନକ ବ୍ୟୁରୋ : ମାଡି ଆସୁଛି ସମୁଦ୍ର । କୂଳ ଲଙ୍ଘୁଛି ସମୁଦ୍ର । ଧୀରେ ଧୀରେ ସମୁଦ୍ର ଅଶାନ୍ତ ରୂପ ଧାରଣ କରୁଛି । ସମୁଦ୍ରର ଢେଉ ମାଡିଯିବା ଯୋଗୁଁ ଜଙ୍ଗଲ ଧ୍ୱସଂ ହେବାରେ ଲାଗିଛି । ଢ଼େଉ ମାଡରେ କୂଳରେ ଥିବା ଝାଉଁବଣ ନଷ୍ଟ ହେଉଛି । ସମୁଦ୍ରର ଅଶାନ୍ତ ରୂପ ସମୁଦ୍ର କୂଳିଆ ଲୋକଙ୍କ ମନରେ ଆଣିଛି ଛନକା । ଫଳରେ ଭୟ ଓ ଆଶଙ୍କାରେ ଦିନ କାଟୁଛନ୍ତି ୭ଟି ପଂଚାୟତର ୧୦ଟି ଗାଁରଲୋକେ । ସଁ ସଁ ଗର୍ଜନ ସାଙ୍ଗକୁ ବଡ ବଡ ଉଚ୍ଚ ଢେଉ । ସମୁଦ୍ରର ଏଭଳି କରାଳ ରୂପ ଏବେ ଅସରଙ୍ଗ ଠାରେ ଦେଖିବାକୁ ମିଳୁଛି।

ଜନବସତି ଆଡକୁ ହୁ ହୁ ହୋଇ ମାଡି ଆସୁଛି ଅଶାନ୍ତ ସମୁଦ୍ର । ସମୁଦ୍ର କୂଳ ଲଙ୍ଘିବା ଯୋଗୁଁ ଏବେ ବିପଦରେ ପଡିଯାଇଛି ପୁରୀ ଜିଲ୍ଲା ଅସ୍ତରଙ୍ଗର ୧୦ଟି ଗାଁ । ଆଗରୁ ପ୍ରାୟ ୭ଶହ ମିଟର ଦୂରରେ ଥିବା ସମୁଦ୍ର ଏବେ ପ୍ରାୟ ୫ଶହ ମିଟର ଆଗକୁ ମାଡି ଆସିଛି । ଛୁରିଥାନା ପଂଚାୟତର ଡାଳୁଅକଣି ନିକଟରେ ଝାଉଁ ବଣ ଆଡକୁ ମାଡି ଆସୁଛି ସମୁଦ୍ର । ଜୁଆର ମାଡରେ ବାଲିଅତଡା ଖସୁଥିବାରୁ ଏବେ ଆତଙ୍କରେ ଦିନ କାଟୁଛନ୍ତି ୭ଟି ପଂଚାୟତର ୧୦ଟି ଗାଁରଲୋକେ । ଲଘୁଚାପ, ଅମାବାସ୍ୟା ଓ ପୂର୍ଣ୍ଣିମା ତିଥି ଆସିଲେ ଅସ୍ତରଙ୍ଗରେ ସମୁଦ୍ରର ଭୟଙ୍କର ରୂପ ଦେଖିବାକୁ ମିଳୁଛି ।

ଡାଳୁଅକଣି ସମୁଦ୍ର କୂଳରେ ୧୦ହେକ୍ଟର ଜାଗାରେ ନୂଆ ଜଙ୍ଗଲ ସୃଷ୍ଟି କରିଥିଲା ବନ ବିଭାଗ । ତେବେ ସେଥିରୁ ପ୍ରାୟ ୩ଶହରୁ ଅଧିକ ଝାଉଁ ଗଛ ଏବେ ସମୁଦ୍ର ଗର୍ଭରେ ଲୀନ ହୋଇସାରିଛି ।
ଅନେକ ସମୟରେ ଲୁଣି ପାଣି ମାଡି ଯିବା ଯୋଗୁୁଁ ଫସଲ ମଧ୍ୟ ନଷ୍ଟ ହେଉଛି । କେଲୁଣି ମୁହାଣରୁ ଦେବୀ ମୁହାଣ ପର୍ଯ୍ୟନ୍ତ ପାଖାପାଖି ୨୦କିଲୋମିଟର ପର୍ଯ୍ୟନ୍ତ ସମୁଦ୍ର ଏବେ ମାଡିଆସିବାରେ ଲାଗିଛି ।