ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ୧୦ଟି ପ୍ରସ୍ତାବକୁ ମିଳିଲା ଗ୍ରୀନ୍ ସିଗନାଲ, ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ହାତରେ ରହିବ ଗୋବର୍ଦ୍ଧନ ମଠର ଦାୟିତ୍ୱ ।

2,174

କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି । ଖାସକରି ଏହି ବୈଠକରେ ରାଜ୍ୟ ସରକାର ଅବଢା ଯୋଜନାକୁ ଗୁରୁତ୍ୱ ଦେଇଛନ୍ତି । ପୁରୀକୁ ବିଶ୍ୱ ଐତିହ୍ୟସ୍ଥଳୀ ଭାବେ ଗଢି ତୋଳିବାକୁ ଅବଢା ଯୋଜନାରେ ଆଗାମୀ ୩ ବର୍ଷ ମଧ୍ୟରେ ୩୨୦୮ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି । ଚଳିତବର୍ଷ ୭୧୯ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ଶ୍ରୀ ସେତୁ ପ୍ରକଳ୍ପ, ମୂଷା ନଦୀର ପୁନରୁଦ୍ଧାର, ବହୁତଳ କାର ପାର୍କିଂ, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ରଘୁନନ୍ଦନ ପାଠାଗାର, ଅଠରନଳା ଐତିହ୍ୟର ଉନ୍ନତିକରଣ କରିବାକୁ କାର୍ଯ୍ୟ କରାଯିବ ।

ସେହିଭଳି ଓଡ଼ିଶା ହିନ୍ଦୁ ଦେବୋତ୍ତର ଅଧିନିୟମ ୧୯୫୧କୁ ସଂଶୋଧନ କରିବାକୁ ନିଷ୍ପତି ନିଆଯାଇଛି । ଏହାଦ୍ୱାରା ଗୋବର୍ଦ୍ଧନ ମଠର ପରିଚାଳନାଗତ ଅଧିକାର ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଉପରେ ନ୍ୟସ୍ତ କରିବାକୁ ନିଷ୍ପତି ନିଆଯାଇଛି । ହିନ୍ଦୁ ଧାର୍ମିକ ଅନୁଷ୍ଠାନ ଗୁଡିକରେ ଶଙ୍କରାଚାର୍ଯ୍ୟଙ୍କ ମୁଖ୍ୟ ଭୂମିକା ରହିଥିବାରୁ ଏଭଳି ନିଷ୍ପତି ନିଆଯାଇଛି । ଏହାପୂର୍ବରୁ ପୁରୀରେ ହେଉଥିବା ଉଚ୍ଛେଦ କାର୍ଯ୍ୟକୁ ନେଇ ସରକାରଙ୍କ ଉପରେ ବର୍ଷିଥିଲେ ଶଙ୍କରାଚାର୍ଯ୍ୟ ।

ଅନ୍ୟପଟେ ବସୁଧା ଯୋଜନାରେ ରାଜ୍ୟର ଗ୍ରାମାଞ୍ଚଳ ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । ସେହିଭଳି ସମଗ୍ର ଗଣ ଗମନାଗମନ ପ୍ରଶସନକୁ ବାଣିଜ୍ୟ ଓ ପରିବହନ ବିଭାଗକୁ ସ୍ଥାନାନ୍ତରଣ କରିବାକୁ ନିଷ୍ପତି ନିଆଯାଇଛି । କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ଏଣିକି ଜାତି ଓ ଆୟ ପ୍ରମାଣପତ୍ର ପାଇଁ ୟୁଜର୍ସ ଫି ଦେବାକୁ ପଡ଼ିବ ନାହିଁ। ୟୁଜର୍ସ ଫି ସହ ଆବେଦନ ଫି ଉଚ୍ଛେଦ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି।

ସେହିପରି ରାଜ୍ୟ ସରକାର ମୟୁରଭଂଜ ଜିଲ୍ଲାର କୁସୁମୀ, ଯାଜପୁର ଜିଲ୍ଲାର ସୁକିନ୍ଦା ଓ କେନ୍ଦୁଝର ଜିଲ୍ଲାର ହାଟଡିହ ବ୍ଲକକୁ ପାଇପ୍‌ ଜଳ ଯୋଗାଇବେ। ଏହି ୩ଟି ବ୍ଲକରେ ୩୮୪ଟି ଗାଁ ଅଛି। ଏହି ପ୍ରକଳ୍ପରେ ମୋଟ୍‌ ୬୪୧.୫୭ କୋଟି ଟଙ୍କା ଖର୍ଚ୍ଚ ହେବ।