ଶୋଇଗଲେ ଶାନ୍ତିର ଦୂତ! ସାମ୍ବାଦିକ ସୁଜାତ୍ ବୁଖାରିଙ୍କ ଶେଷ ଯାତ୍ରାରେ ସାମିଲ୍ ହେଲେ ହଜାର ହଜାର ଲୋକ

49

ଶେଷଯାତ୍ରାରେ ଗଲେ ଶାନ୍ତିର ଦୂତ । ରାଇଜିଂ କାଶ୍ମୀରର ଏଡିଟର୍ ତଥା ବରିଷ୍ଠ ପତ୍ରକାର ସୁଜାତ୍ ବୁଖାରୀଙ୍କ ଅନ୍ତିମ ସଂସ୍କାର କରାଯାଇଛି । ସୁଜାତଙ୍କୁ ଅଶ୍ରୁଳ ବିଦାୟ ଦେଲେ କାଶ୍ମୀରବାସୀ । ହଜାର ହଜାର ଲୋକ ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ । ସେପଟେ ସୁଜାତଙ୍କ ହତ୍ୟା ଘଟଣାର ୩ ସନ୍ଦିଗ୍ଧଙ୍କ ସ୍କେଚ୍ ଜାରି କରିଛି ପୁଲିସ୍ । ସୂଚନା ଅନୁସାରେ ସନ୍ଦିଗ୍ଧଂକୁ ପୁଲିସ୍ ଗିରଫ କରିଥିବା ସୂଚନା ମିଳିଛି ।

shujat

ରାଇଜିଂ କାଶ୍ମୀରର ଏଡିଟର୍ ତଥା ବରିଷ୍ଠ ପତ୍ରକାର ସୁଜାତ୍ ବୁଖାରୀଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଏକ ବିରାଟ ଶୋଭାଯାତ୍ରାରେ ତାଙ୍କ ମୃତଦେହକୁ କବର ଦିଆଯାଇଛି । ହଜାର ହଜାର ଲୋକ ସୁଜାତଙ୍କ ଶେଷ ଯାତ୍ରାରେ ସାମିଲ ହୋଇଥିଲେ । ତାଙ୍କ ମୃତ୍ୟୁରେ ଭାଙ୍ଗିପଡିଛି ପୁରା ପରିବାର । ପରିବାର ଲୋକଙ୍କ ଆଖିରୁ ଶୁଖୁନି ଲୁହ । କାନ୍ଦ ବୋବାଳିରେ ଫାଟିପଡୁଛି ପୁରା ପରିବେଶ । ସୁଜାତ ଜଣେ ସାହସୀ ବ୍ୟକ୍ତି ଥିଲେ ବୋଲି ପ୍ରତିକ୍ରିୟାରେ କହିଛନ୍ତି ପଡୋଶୀ । ତାଙ୍କ ମୃତ୍ୟୁ ଏକ ଅପୁରଣୀୟ କ୍ଷତି ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

ସେପଟେ ସୁଜାତ୍ ବୁଖାରୀଙ୍କ ହତ୍ୟା ପଛରେ ଆତଙ୍କୀ ଲିଙ୍କ୍ ସାମ୍ନାକୁ ଆସିଛି । କାଶ୍ମୀର ହସ୍ପିଟାଲରୁ ଫେରାର ହୋଇଯାଇଥିବା ଆତଙ୍କୀ ନାଭେଦ ଏହି ଷଡଯନ୍ତ୍ର ରଚିଥିବା କୁହାଯାଉଛି । ଗତକାଲି ସୁଜାତଙ୍କୁ ହତ୍ୟା କରିଥିବା ଆତଙ୍କବାଦୀଙ୍କ ଫଟୋ ଜାରି ହୋଇଛି । ଏକ ବାଇକରେ ୩ଜଣ ଆତଙ୍କବାଦୀ ବସିଥିବାର ଫଟୋ ସାମ୍ନାକୁ ଆସିଛି । ସିସିଟିଭି ଫୁଟେଜ ଆଧାରରେ ପୁଲିସ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି । ଆତଙ୍କବାଦୀଙ୍କୁ ଚିହ୍ନିବା ପାଇଁ ସ୍ଥାନୀୟ ଲୋକଙ୍କ ସହାୟତା ଲୋଡିଛି ପୁଲିସ ।

ସେପଟେ ବୁଖାରୀଙ୍କ ସୁରକ୍ଷାରେ ନିୟୋଜିତ ଥିବା ୨ଜଣ ସୁରକ୍ଷାକର୍ମୀ ମଧ୍ୟ ପ୍ରାଣ ହରାଇଛନ୍ତି । ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ କରିଆସୁ ଥିବା ବୁଖାରୀଙ୍କ ହତ୍ୟା ପରେ କାଶ୍ମୀର ଉପତ୍ୟକାରେ ଶୋକର ଛାୟା ଖେଳିଯାଇଛି । ସୁଜାତ ବୁଖାରୀଙ୍କ ହତ୍ୟା ଘଟଣାକୁ ନେଇ ରାଜନୈତିକ ଦଳମାନଂକ ପକ୍ଷରୁ ଦୃଢ଼ ନିନ୍ଦା ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଶୋକପ୍ରକାଶ କରିବା ସହ ଘଟଣାକୁ ଦୂର୍ଭାଗ୍ୟଜନକ ଓ ଦୁଃଖଦ ବୋଲି କହିଛନ୍ତି । ସେପହିପରି କେନ୍ଦ୍ରମନ୍ତ୍ରୀ ରାଜବର୍ଦ୍ଧନ ସିଂହ ରାଠୋର ଏହାକୁ ଏହି ଦୁଃଖଦ କହିଛନ୍ତି । କଂଗ୍ରେସ ମଧ୍ୟ ଘଟଣାକୁ ନିନ୍ଦା କରିଛି । ତେବେ ସୁରକ୍ଷା ନେଇ ପ୍ରଶ୍ନବାଚୀ ଉଠାଇଛି କଂଗ୍ରେସ ।