ଅଯୋଧ୍ୟାରେ ତ୍ରେତୟା ଯୁଗର ଚମକ ! ମହାସମାରୋହରେ ଦୀପାବଳି ପାଳିଲେ ଯୋଗୀ ଆଦିତ୍ୟନାଥ

68

କନକ ବ୍ୟୁରୋ : ୧୪ ବର୍ଷ ବନବାସ କଲାପରେ ରାବଣକୁ ନିହତ କରି ଯେଉଁଦିନ ପ୍ରଭୁ ଶ୍ରୀରାମ ଫେରିଥିଲେ ସେଦିନ ଅଯୋଧ୍ୟାବାସୀ ଦୀପ ଜାଳି ସ୍ୱାଗତ କରିଥିଲେ ରାମଙ୍କୁ । ସେହି ପୌରାଣିକ ବିଶ୍ୱାସକୁ ଆଧାର କରି ଆଜି ପୁଣିଥରେ ସଜେଇ ହୋଇଛି ଅଯୋଧ୍ୟା । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଚାଲିଛି ଦୀପାବଳି ପ୍ରସ୍ତୁତି ।

ମୋଦିଙ୍କ ବିକାଶ ରାଜନୀତିର ନାରା ଭିତରେ ପୁଣି ଆଗକୁ ଆସିଲା ଅଯୋଧ୍ୟାକୁ ନେଇ ରାଜନୀତି । ଆଲୋକର ପର୍ବ ଦୀପାବଳିକୁ ଧୂମଧାମରେ ପାଳିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ସଜ ହୋଇଛି ଅଯୋଧ୍ୟା ନଗରୀ । ସରଯୂ ନଦୀ ଘାଟରେ ଜଳିବ ୧ ଲକ୍ଷ ୭୧ ହଜାର ଦୀପ । ଏହା ହେବ ଏକକଳୀନ ଦୀପ ଜଳିବାରେ ବିଶ୍ୱ ରେକର୍ଡ । ଏଥିପାଇଁ ୧୨ ହଜାର ଲିଟର ତେଲ ଯୋଗାଡ କରାଯାଇଛି । ଏହା ସହ ହେବ ୫ ହଜାର ୧ ଶହ ଦୀପର ମହାଆଳତୀ । କେଉଁଠି ଦୀପ ଜଳାଇବାକୁ ପ୍ରସ୍ତୁତି ଚାଲିଛି ତ ପୁଣି କେଉଁଠି କଳାକାର ପ୍ରସ୍ତୁତ ହେଉଛନ୍ତି ରାମକଥା ଶୁଣାଇବା ପାଇଁ ।

ରାବଣବଧ ପରେ ପୁଷ୍ପକ ବିମାନରେ ପ୍ରଭୁ ଶ୍ରୀରାମ ଅଯୋଧ୍ୟା ଫେରିବା ପରି ପ୍ରତୀକ ସ୍ୱରୂପ ରାମ, ଲକ୍ଷ୍ମଣ, ସୀତା ବେଶଧାରୀଙ୍କୁ ହେଲିକପ୍ଟର ଜରିଆରେ ଅଣାଯାଇଛି । ସେମାନଙ୍କୁ ସ୍ୱାଗତ କରିଛନ୍ତି ଯୋଗୀ ଆଦିତ୍ୟନାଥ । ସରକାରୀ ସ୍ତରରେ ୩ ଦିନ ଧରି ଦୀପାବଳି ପାଳନ କରିବା ଲାଗି ପ୍ରସ୍ତୁତି ହୋଇଛି । ଏଥିରେ ଖର୍ଚ୍ଚ ହେଉଛି ମୋଟ ୩୫୦ କୋଟି ଟଙ୍କା ।

ମୁଖ୍ୟମନ୍ତ୍ରୀ ହେବା ପରେ ଏହା ହେଉଛି ଯୋଗୀଙ୍କ ପ୍ରଥମ ଅଯୋଧ୍ୟା ଗସ୍ତ । ତେବେ ହଠାତ କାହିଁକି ଅଯୋଧ୍ୟା ଯୋଗୀଙ୍କ ଫୋକସକୁ ଆସିଲା, ଏହାକୁ ନେଇ ସରଗରମ ହୋଇଛି ରାଜନୀତି । ପୁଣି ଥରେ ଅଯୋଧ୍ୟା ବିଜେପିର ପ୍ରସଙ୍ଗ ହୋଇଥିବା ଅଭିଯୋଗ ଉଠାଇଛନ୍ତି ବିରୋଧୀ । କାହିଁକି ସରକାରୀ ସ୍ତରରେ ଏତେ ଟଙ୍କା ବ୍ୟୟ ହେଉଛି, ଏନେଇ ମଧ୍ୟ ଆପତି ଉଠିଛି ।

ପୌରାଣିକ ଉପାଖ୍ୟାନକୁ ଐତିହାସିକ କରିବା ପାଇଁ ଲାଗି ପଡିଛି ଉତରପ୍ରଦେଶର ପର୍ଯ୍ୟଟନ ବିଭାଗ । ଗୋଟିଏ ପଟେ ପୂରା ଅଯୋଧ୍ୟାନଗରୀ ହୋଇଉଠିବ ଚକମକ ଅନ୍ୟପଟେ ଏହାକୁ ନେଇ ରାଜନୀତିକ ବାତାବରଣ ବି ହେବ ସରଗରମ ।