ସରକାରଙ୍କ ଟିକା ଆବଶ୍ୟକତାକୁ ପୂରଣ କରିବାରେ ସମର୍ଥ ହେବ ନାହିଁ ଜାଇଡସ କାଡିଲା, ଅକ୍ଟୋବର ସୁଦ୍ଧା ମାତ୍ର ୧ କୋଟି ଉତ୍ପାଦନ ଲକ୍ଷ୍ୟ

79

କନକ ବ୍ୟୁରୋ : ଜାଇଡସ କାଡିଲାର ୩ ଡୋଜ ଟିକା ଜାଇକୋଭି-ଡିକୁ ଶୁକ୍ରବାର ଦିନ ଡିସିଜିଆଇ ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏହି ଟିକାକୁ ମିଶାଇ ଭାରତ ପାଖରେ ଏବେ କରୋନାରୋଧୀ ଟିକା ସଂଖ୍ୟା ୬ ରେ ପହଂଚିଛି । ଏବେ ଫାର୍ମା କମ୍ପାନୀ ପକ୍ଷରୁ ଶନିବାର ଦିନ କୁହାଯାଇଛି କି କମ୍ପାନୀ ଅକ୍ଟୋବର ସୁଦ୍ଧା ମାତ୍ର ୧ କୋଟି ଡୋଜ ଟିକା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି ।

କମ୍ପାନୀ ପକ୍ଷରୁ କୁହାଯାଇଛି କି, ଜାନୁଆରୀ ମାସ ସୁଦ୍ଧା ଟିକା ଉତ୍ପାଦନ କ୍ଷମତା ବୃଦ୍ଧି କରାଯାଇ ପ୍ରତିମାସ ୩-୫ କୋଟି ଖୋରାକ ଉତ୍ପାଦନ କରାଯିବ । ଏହା ପୂର୍ବରୁ ସରକାର ଏହି ଫାର୍ମା କମ୍ପାନୀ ଠାରୁ ଅଗଷ୍ଟ ମାସରେ ୫ କୋଟି ଖୋରାକ ଟିକାର ଆଶା ରଖିଥିଲା । ହେଲେ ଏବେ ଜାଇଡସ ପକ୍ଷରୁ ସ୍ପଷ୍ଟ କରାଯାଇଛି କି ଏବେ ଏତେ ପରିମାଣର ଟିକା ଉତ୍ପାଦନ କରିବା ସମ୍ଭବ ନୁହେଁ । ଅକ୍ଟୋବର ମାସ ସୁଦ୍ଧା କମ୍ପାନୀ ସର୍ବାଧିକ ୧ କୋଟି ଟିକା ଉତ୍ପାଦନ କରିପାରିବ ।

ଜାଇଡସ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଜାଇକୋଭି-ଡିର ମୂଲ୍ୟ କେତେ ହେବ ତାହା ଆସନ୍ତା ସପ୍ତାହରେ ସ୍ପଷ୍ଟ କରାଯିବ ବୋଲି କମ୍ପାନୀର ଏମଡି ସରଭିଲ ପଟେଲ କହିଛନ୍ତି । କହିରଖୁ କି ଜାଇଡସ କାଡିଲା ଟିକା ପୂର୍ବରୁ ଭାରତ ପାଖରେ ସେରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ, ଭାରତ ବାୟୋଟେକର କୋଭାକ୍ସିନ, ଋଷ ଟିକା ସ୍ପୁଟନିକ୍-ଭି, ମଡର୍ଣ୍ଣା ଓ ଜନସନ ଆଣ୍ଡ ଜନସନର କରୋନା ନିରୋଧି ଟିକା ରହିଛି ।