ଟ୍ୱିଟର ପରେ ଏବେ ଜମାଟୋ ଆରମ୍ଭ କଲା କର୍ମଚାରୀ ଛଟେଇ, ୪ ପ୍ରତିଶତ କର୍ମଚାରୀ ଛଟେଇ କରିବା ନେଇ କମ୍ପାନୀର ନିଷ୍ପତ୍ତି

90

କନକ ବ୍ୟୁରୋ : ଫୁଡ ଡେଲିଭରୀ ଆପ୍ ଜମାଟୋ ଏବେ ତାର କମ୍ପାନୀରୁ କର୍ମଚାରୀ ଛଟେଇ କରିବା ଆରମ୍ଭ କରିଛି । କମ୍ପାନୀ ତାର ଲାଭ ଅଧିକ କରିବା ଓ ବିନିଯୋଗ କମ୍ କରିବା ଲକ୍ଷ୍ୟରେ ଏଭଳି ଛଟେଇ କରୁଥିବା କଥା କୁହାଯାଉଛି ।

ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଚଳିତ ସପ୍ତାହରେ ଏପର୍ଯ୍ୟନ୍ତ କମ୍ପାନୀ ୧୦୦ ଜଣ କର୍ମଚାରୀଙ୍କୁ ଛଟେଇ କରିସାରିଛି । ହେଲେ ଆଗାମୀ ଦିନରେ କମ୍ପାନୀ ତାର ମୋଟ କର୍ମଚାରୀରୁ ୪ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା ପ୍ରସ୍ତୁତ କରିସାରିଛି ।

ସେପଟେ ଗୋଟିଏ ଦିନ ପୂର୍ବରୁ ଜମାଟୋର କୋ – ଫାଉଣ୍ଡର ମୋହିତ ଗୁପ୍ତା ଇସ୍ତଫା ଦେଇସାରିଥିଲେ । ମୋହିତଙ୍କୁ ମିଶାଇ ଚଳିତ ସପ୍ତାହରେ କମ୍ପାନୀ ୩ ଜଣ ଶୀର୍ଷ ଅଧିକାରୀ ଇସ୍ତଫା ଦେଇସାରିଛନ୍ତି । ଏସବୁକୁ ନଜର କଲେ ଅନୁମାନ କରାଯାଏ କି କମ୍ପାନୀର ଶୀର୍ଷ ପରିଚାଳକଙ୍କ ମଧ୍ୟରେ କିଛି ଅସୁବିଧା ହୋଇଛି । ଏପଟେ ଛଟେଇ ଖବର ଆସିବା ପରେ ଏହା ସ୍ପଷ୍ଟ ହୋଇଛି କି, କମ୍ପାନୀ ତରଫରୁ ବିନିଯୋଗ କମ୍ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେପଟେ ଛଟେଇ ଉପରେ କମ୍ପାନୀ ତରଫରୁ କୌଣସି ବୟାନ ଜାରି କରାଯାଇ ନାହିଁ ।

ସୂଚନା ଥାଉକି କିଛିଦିନ ହେବ ଦେଶର ବଡ ବଡ କମ୍ପାନୀମାନେ କର୍ମଚାରୀ ଛଟେଇ କରିବାରେ ଲାଗିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ତରଫରୁ ବଡ ଧରଣର ଛଟେଇ କରାଯାଇଥିଲା  । ଗୋଟିଏ ପଟେ ଦେଶରେ ସରକାରୀ ଚାକିରୀର କ୍ଷେତ୍ର ସଂକୋଚିତ ହେଉଥିବା ବେଳେ ଦେଶର ବଡ ବଡ କମ୍ପାନୀମାନେ ଏଭଳି ଭାବେ କର୍ମଚାରୀଙ୍କୁ ଛଟେଇ କରିବା ଆଗାମୀ ଦିନରେ ବେକାରୀ ସମସ୍ୟା ଉକ୍ରଟ ହୋଇପାରେ ।