ପୁଣି ସ୍ୱର ବଦଳାଇଲେ ଜେଲେନସ୍କି । କହିଲେ ଆତ୍ମସର୍ମପଣ କରିବୁନି, ଋଷ ସୈନିକ ଅସ୍ତ୍ର ତ୍ୟାଗ କରି ୟୁକ୍ରେନ ଛାଡନ୍ତୁ । 

234

କନକ ବ୍ୟୁରୋ : ଋଷ-ୟୁକ୍ରେନ ଯୁଦ୍ଧ ପୁଣିଥରେ ନାଟକୀୟ ମୋଡ ନେଇଛି ।  କେତେବେଳେ ଘମାଘୋଟ ଯୁଦ୍ଧ ପୂରା ବିଶ୍ୱକୁ ଆଶଙ୍କାରେ ପକାଉଛି ତ ପୁଣି କେତେବେଳେ ଉଭୟ ଦେଶ ମଧ୍ୟରେ ଆଲୋଚନା ପୂରା ବିଶ୍ୱକୁ ଆଶ୍ୱସ୍ତି ଆଣି ଦେଉଛି । ଏପରିକି ଯୁଦ୍ଧ ଭିତରେ ଆଜି ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସ୍ୱର ବଦଳିଥିଲା । ନଟୋରେ ସଦସ୍ୟ ହେବାକୁ ୟୁକ୍ରେନ୍ ଚାହୁଁନାହିଁ ବୋଲି କହିବା ପରେ ଯୁଦ୍ଧର ପରିସମାପ୍ତି ହେବ ବୋଲି କୁହାଯାଉଥିଲା । କିନ୍ତୁ ଏବେ ପୁଣିଥରେ ଜେଲେନସ୍କିଙ୍କ ବୟାନ ଯୁଦ୍ଧ ପରିସ୍ଥିତିକୁ ଆହୁରି ସଙ୍ଗୀନ କରିବ ବୋଲି କୁହାଯାଉଛି । ଜେଲେନସ୍କି କହିଛନ୍ତି, ଆମେ ଆତ୍ମସର୍ମପଣ କରିବୁ ନାହିଁ । ଶେଷ ପର୍ଯ୍ୟନ୍ତ ଲଢେଇ କରିବୁ । ଋଷ ସୈନିକ ଯଥାଶୀଘ୍ର ପାରୁଛନ୍ତି ୟୁକ୍ରେନ୍ ଛାଡି ଚାଲି ଯାଆନ୍ତୁ ।

ଜେଲେନସ୍କି କହିଛନ୍ତି, ଏବେ ଋଷ ସୈନିକଙ୍କୁ ଆତ୍ମସର୍ମପଣ କରିବାକୁ ପଡିବ । କାରଣ ୟୁକ୍ରେନର ସେନା ଏବେ ନିଜ ଦେଶର ସୁରକ୍ଷା ପାଇଁ ଶେଷ ପର୍ଯ୍ୟନ୍ତ ଲଢେଇ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଉ ଜେଲେନସ୍କିଙ୍କ ଏହି ବୟାନ ଏବେ ଯୁଦ୍ଧ ନିଆଁରେ ଘିଅ ଢାଳିବା ସଦୃଶ ପାଲଟିଛି । ତେବେ ୟୁକ୍ରେନ୍ ରାଷ୍ଟ୍ରପତି ଏହାପୂର୍ବରୁ ଆଲୋଚନା ମାଧ୍ୟମରେ ଯୁଦ୍ଧର ପରିସମାପ୍ତି ପାଇର୍ ସହମତି ପ୍ରକାଶ କରିଥିଲେ । କିନ୍ତୁ କିଛି ଘଣ୍ଟା ମଧ୍ୟରେ ଜେଲେନସ୍କିଙ୍କ ମନ ବଦିଳିବା ଏବେ ଆହୁରି ସାଂଘାତିକ ସ୍ଥିତି ସୃଷ୍ଟି କରିପାରେ । ଋଷ ନିଜର ଆକ୍ରମଣକୁ ଆହୁରି ଶାଣିତ କରିପାରେ ।

ଏହାପୂର୍ବରୁ ୟୁକ୍ରେନ ଆଲୋଚନା ପାଇଁ ରାଜି ହେବା ପରେ ଋଷ ପକ୍ଷରୁ କୁହାଯାଇଥିଲା ଯେ, ଆମେ ୟୁକ୍ରେନ ସରକାରକୁ ଭାଙ୍ଗିବାକୁ ଆସିନୁ କି ୟୁକ୍ରେନ୍ ଦଖଲ କରିବାକୁ ବି ଆସିନାହୁଁ । ଆଉ ଋଷର ଏଭଳି ଆଭିମୁଖ୍ୟ ଦେଖି ଜେଲେନସ୍କି ମଧ୍ୟ ନାଟୋର ସଦସ୍ୟ ହେବାକୁ ଚାହୁଁନଥିବା କହିଥିଲେ ।

ଆକ୍ରମଣ ପୂର୍ବରୁ ରୁଷ ରାଷ୍ଟ୍ରପତି ପୁଟିନ୍ ଡୋନେସ୍କ ଓ ଲୋହାନସ୍କକୁ ସ୍ୱତନ୍ତ୍ର ରାଷ୍ଟ୍ରର ମାନ୍ୟତା ଦେଇଥିଲେ । ଏବେ ପୁଟିନ୍ ଚାହୁଁଛନ୍ତି ଏହି ଦୁଇଟି ଅଂଚଳକୁ ସ୍ୱତନ୍ତ୍ର ରାଷ୍ଟ୍ରର ମାନ୍ୟତା ଦେଉ ୟୁକ୍ରେନ୍ । ଯାହାକୁ ମାନି ନେଇଥିଲେ ଜେଲେନସ୍କି । ତୃତୀୟ ପର୍ଯ୍ୟାୟ ଆଲୋଚନାରେ ଋଷ ୪ଟି ସର୍ତ ରଖିଥିଲା । ଏହା ମଧ୍ୟରୁ ଏହି ଦୁଇଟି ସର୍ତକୁ ମାନି ନେଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ଏହା ସହ ୟୁକ୍ରେନ୍ ରାଷ୍ଟ୍ରପତି ୟୁକ୍ରେନବାସୀ ମୃତାହତ ହେବା ପାଇଁ ପାଶ୍ଚାତ୍ୟ ଦେଶକୁ ଦାୟୀ କରିଛନ୍ତି । ପାଶ୍ଚାତ୍ୟ ଦେଶ ୠଷିଆର ଆକ୍ରମଣକୁ ପ୍ରତିହତ କରିବା ଓ ଋଷିଆକୁ ରୋକିବାରେ ବିଫଳ ହୋଇଥିବା କହିଛନ୍ତି । ୟୁକ୍ରେନବାସୀ ଜୀବନକୁ ବାଜି ଲଗାଇ ଲଢୁଥିବା ବେଳେ ସେମାନେ ଦେଖଣାହାରୀ ସାଜିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଜେଲେନସ୍କି । ଆସନ୍ତାକାଲି ତୁର୍କୀରେ ଦୁଇ ଦେଶ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହେବ । ପ୍ରଥମ ଥର ଦୁଇ ଦେଶର ବୈଦେଶିକ ମନ୍ତ୍ରିସ୍ତରୀୟ କଥାବାର୍ତା ପାଇଁ ସହମତି ହୋଇଛି ।