ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ୱାଇଏସଆର କଂଗ୍ରେସର ସମର୍ଥନ : ଇଲେକ୍ଟରାଲ କଲେଜର ୫୦%ରୁ ଢ଼େର ଅଧିକ ଏବେ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ

536

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ କରିବେ ଦ୍ରୌପଦୀ ମୁର୍ମୁ । ଦିନ ୧୨ଟାରେ ରାଜ୍ୟସଭା ସେକ୍ରେଟାରୀ ଜେନେରାଲଙ୍କ ପ୍ରକୋଷ୍ଠରେ ନାମାଙ୍କନ ଦାଖଲ କରିବେ ଦୌପଦୀ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ବାସଭବନରେ ପ୍ରସ୍ତୁତ କରାଯାଉଛି ନାମାନଙ୍କନ ପତ୍ର । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ୱାନ ପ୍ରଥମ ପ୍ରସ୍ତାବକ ଭାବେ ଦସ୍ତଖତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାମାଙ୍କନ ସମୟରେ ଉପସ୍ଥିତ ରହିବେ ।

ଏଥିସହ ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ । ଓଡିଶା ବିଜେପିର ୧୨ ବିଧାୟକ ମଧ୍ୟ ଉପସ୍ଥିତ ରହିବେ । ସବୁଠାରୁ ବଡ କଥା ହେଉଛି, ଦ୍ରୌପଦୀଙ୍କ ପ୍ରସ୍ତାବଙ୍କ ମଧ୍ୟରୁ ବିଜେଡିର ଦୁଇ ପ୍ରସ୍ତାବକ ରହିବେ । ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଦ୍ରୌପଦୀଙ୍କ ନାମାଙ୍କନ ପତ୍ରରେ ପ୍ରସ୍ତାବକ ଭାବେ ଦସ୍ତଖତ କରିବେ । ଏ ନେଇ ଆଗରୁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦୁଇ ମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ସହ ଦିଲ୍ଲୀ ଯାଇଛନ୍ତି । ଅନ୍ୟପଟେ ରାଜ୍ୟ ବିଜେପିର ୧୨ ବିଧାୟକ ଦିଲ୍ଲୀ ଗସ୍ତ କରିଛନ୍ତି । ଏମାନେ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ବେଳେ ଉପସ୍ଥିତ ରହିବେ ।

ଦ୍ରୌପଦୀ ଆଜି ନାମାଙ୍କନ କରୁଥିଲେ ବି ସେ ଏକ ପ୍ରକାର ପରବର୍ତ୍ତୀ ରାଷ୍ଟ୍ରପତି ହେବା ନିଶ୍ଚିତ ହୋଇଯାଇଛି । ଇଲେକ୍ଟରାଲ କଲେଜର ୫୦ପ୍ରତିଶତରୁ ଢ଼େର ଅଧିକ ଏବେ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ରହିଛି । ବିଜେଡ଼ି ପରେ ୱାଇଏସଆର କଂଗ୍ରେସ ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ ଦେବ ବୋଲି ଘେଷଣା କରିଛି । ତେଣୁ ଦ୍ରୌପଦୀଙ୍କ ସପକ୍ଷରେ ଆବଶ୍ୟକ ସଂଖ୍ୟା ଠାରୁ ଅଧିକ ଭୋଟ୍ ରହିଥିବା ସ୍ପଷ୍ଟ ହୋଇଯାଇଛି ।

ରାଷ୍ଟ୍ରପତି ନିର୍ବାଚନ ଗଣିତ ଉପରେ ..

ରାଷ୍ଟ୍ରପତି ନିର୍ବାଚନରେ ମୋଟ ଭୋଟର ମୂଲ୍ୟ- ୧୦, ୮୬, ୪୩୧
ବିଜୟ ପାଇଁ ଆବଶ୍ୟକ ଭୋଟ ୫,୪୩, ୨୧୬
ଏନଡିଏ ପାଖରେ ଅଛି- ୫,୨୫,୭୦୬
ଜିତିବା ପାଇଁ ଏନଡିଏକୁ ଦରକାର – ୧୭,୫୧୦
ବିଜେଡି ପାଖରେ ଅଛି – ୩୧,୬୮୬
ୱାଏସଆର କଂଗ୍ରେସ ଅଛି -୪୩,୪୫୦