ଯୁବ ଇଂଜିନିୟରଙ୍କ ଗୋ-ସେବା । ଚାକିରି ଛାଡି ଗାଇ-ଗୋରୁଙ୍କ ସେବାରେ ନିଜକୁ ନିୟୋଜିତ କଲେ ସୁନ୍ଦରଗଡର ଶିବା, କହିଲେ ଅର୍ଥ ଅପେକ୍ଷା ସେବାରେ ରହିଛି ଆତ୍ମସନ୍ତୁଷ୍ଟି ।

482

କନକ ବ୍ୟୁରୋ : ଜନ୍ମରୁ ଗୋପାଳନ ପ୍ରତି ଥିଲା ନିଶା । ଯେଉଁଠି ଗାଇ ଦେଖିଲେ ତାର ସେବା ଶୁଶୃଷା ପାଇଁ ଧାଇଁ ଯାଉଥିଲେ । ହେଲେ ବଡ ହେଲା ପରେ ପେଶାରେ ହୋଇଗଲେ ଇଞ୍ଜିନିୟର । ହେଲେ ନିଶା ପାଖରେ ହାର ମାନିଲା ପେଶା । ଆଉ ଚାକିରି ଛାଡି ଗାଁରେ ଆରମ୍ଭ କଲେ ଲୋପ ପାଇଯାଉଥିବା ଦେଶୀ ଗାଈ ଫାର୍ମ । ଏମିତି ଜଣେ ନିଆରା ମଣିଷ ହେଉଛନ୍ତି ସୁନ୍ଦରଗଡ ଟାଙ୍ଗରପାଲି ବ୍ଲକ ଯୋଗିମାଲ ଗାଁର ଶିବା ପଟେଲ ।

ନିଶା ଆଗରେ ହାର ମାନିଲା ପେଶା । ଚାକିରି ଛାଡି କଲେ ଗୋପାଳନ । ଇଂଜିନିୟରିଂ ଚାକିରି ଛାଡି ଗୋପାଳନ । ସୁନ୍ଦରଗଡ ଟାଙ୍ଗରପାଲି ବ୍ଲକ ଯୋଗିମାଲ ଗାଁର ୨୭ ବର୍ଷୀୟ ଯୁବକ ଶିବା ପଟେଲ । ଡିପ୍ଲୋମା ଇଞ୍ଜିନିୟରିଂ ସମାପ୍ତ କରିବା ପରେ ଏନଟିପିସିରେ ଚାକିରି କରନ୍ତି । ବେଶ ଭଲ ପଇସା ରୋଜଗାର ବି କରନ୍ତି ଶିବା । ମାତ୍ର ଏହି ଚାକିରି ସୁହାଏନାହିଁ ଶିବାଙ୍କୁ । ଗୋପାଳନ ନିଶା ତାଙ୍କୁ ଚାକିରି ଛାଡିବାକୁ ବାଧ୍ୟ କରେ । ଆଉ ଚାକିରି ଛାଡି ନିଜ ଗାଁକୁ ଆସି ଆରମ୍ଭ କରନ୍ତି ଦେଶୀ ଗାଈ ଫାର୍ମ ।

ବାହାରେ ବୁଲନ୍ତା ଗାଈ ଗୋରୁ ହୁଅନ୍ତୁ ବା ଗାଁରେ କେହି ନିଜ ଘରେ ଗାଈ ରଖିବାରୁ ଅମଙ୍ଗ ହେଲେ କି ଗାଈ ବୟସ୍କ ହୋଇଗଲେ ତାହାକୁ ଲୋକଙ୍କ ଘରୁ ନେଇ ଆସି ନିଜ ଗାଁରେ ଆରମ୍ଭ କରନ୍ତି ଦେଶୀ ଗାଇ ଗୋରୁ ସଂରକ୍ଷଣ ଫାର୍ମ । ୩୦ଟି ଗାଈରୁ ଆରମ୍ଭ ହୋଇଥିବା ଏହି ଫାର୍ମରେ ଏବେ ଗାଈ-ବାଛୁରୀଙ୍କ ସଂଖ୍ୟା ୨୦୦ ପହଚିଂଲାଣି । ଦେଶୀ ଗାଈରୁ କମ କ୍ଷୀର ତାଙ୍କୁ ମିଳିଥାଏ । ଯାହାକୁ ବିକ୍ରି କରି ନିଜ ଫାର୍ମ ଚଳାଇଛନ୍ତି ଶିବା । ଅନେକ ଅସୁବିଧା ଭିତରେ ବି ଏହି ଯୁବ ଇଞ୍ଜିନିୟର ନିଜର ନିଶାକୁ ଏକ ଦିଗ ଦେଇ ପାରିଛନ୍ତି ।

କେବଳ ଯୁବ ଇଞ୍ଜିନିୟର ଶିବା ନୁହନ୍ତି ତାଙ୍କର ପୂରା ପରିବାର ଏହି ଦେଶୀ ଗାଈ ଗୋରୁ ପାଳନରେ ନିଜକୁ ଉତ୍ସର୍ଗୀକୃତ କରି ଦେଇଛନ୍ତି । ପରିବାରର ସମସ୍ତ ସଦସ୍ୟ ସକାଳ ହେଲେ ଲାଗି ପଡନ୍ତି ଗାଈ ଗୋରୁଙ୍କ ସେବାରେ । ହେଲେ ଆଜି ବି କିଛି ସରକାରୀ ସହାୟତା ମିଳିପାରିନଥିବାରୁ ଚାଳ ଛପର କରି ଏହି ପରିବାର ଦୁଇ ଶହରୁ ଅଧିକ ଦେଶି ଗାଇ ଗୋରୁଙ୍କ ଲାଳନ ପାଳନ କରି ଆସୁଛନ୍ତି । ହେଲେ ଗାଈ ଗୋରୁ ଲାଳନ ପାଳନ ଏକ କଠୋର ସମସ୍ୟା ବୋଲି ମୁହଁ ଫେରାଇ ନେଉଥିବା ସଭ୍ୟ ସମାଜର ସମସ୍ତ ଯୁବ ବର୍ଗ ପାଇଁ ଆଜି ଏକ ଉଦାହରଣ ପାଲଟିଯାଇଛନ୍ତି ଯୁବ ଇଞ୍ଜିନିୟର ଶିବା ପଟେଲ ।