ତୈଳଦର ବୃଦ୍ଧି ନେଇ କଂଗ୍ରେସର ବିରୋଧ ଜାରି । କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘର ଆଗରେ ଯୁବ କଂଗ୍ରେସ କର୍ମୀଙ୍କ ଧାରଣା

116

କନକ ବ୍ୟୁରୋ : ପ୍ରତିଦିନ ତେଲ ଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘର ଆଗରେ ଧାରଣା ଦେଇଛନ୍ତି ଯୁବ କଂଗ୍ରେସ କର୍ମୀ । ଯୁବ କଂଗ୍ରେସ କର୍ମୀମାନେ ମନ୍ତ୍ରୀଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଛନ୍ତି । ଯୁବ କଂଗ୍ରେସ ସଭାପତି ସ୍ମୃତି ଲେଙ୍କାଙ୍କ ନେତୃତ୍ୱରେ ଶତାଧିକ କର୍ମୀ ମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିବା ପାଇଁ ଚେଷ୍ଟା କରିବା ବେଳେ ଧସ୍ତାଧସ୍ତି ହୋଇଛି । ଏହି ଘଟଣାରେ ଯୁବ କଂଗ୍ରେସ ସଭାପତିଙ୍କ ସମେତ ଅନେକ କର୍ମୀ ଗିରଫ ହୋଇଛନ୍ତି ।

ତେବେ ପ୍ରତିଦିନ ତେଲ ଦର ବଢୁଛି । ଏବେ ତ ପେଟ୍ରୋଲ ଦର ସେଂଚୁରୀ ମାରିବାକୁ ବସିଛି । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୯୦ ପାର କରିଛି । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୯୦ ଟଙ୍କା ୨୫ ପଇସା ରହିଛି । ସେହିଭଳି ମାଲକାନଗିରି ଜିଲ୍ଲାର ଉପାନ୍ତ ଅଂଚଳର କାଲିମେଳାରେ ୯୫ ଟଙ୍କାରୁ ଅଧିକ ରହିଛି ତୈଳଦର । ଆଜି କାଲିମେଳାରେ ପେଟ୍ରୋଲ ଦର ୯୫ ଟଙ୍କା ୭୩ ପଇସା ରହିଥିବା ବେଳେ ଡିଜେଲ ଦର ୯୨ ଟଙ୍କା ୩୬ ପଇସା ରହିଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ପେଟ୍ରୋଲ ଦର ୯୨ ଟଙ୍କା ୩୧ ପଇସା ରହିଥିବା ବେଳେ ଡିଜେଲ ଦର ୮୪ ଟଙ୍କା ୧୧ ପଇସା ରହିଛି ।