ଫ୍ଲାଏଓଭର ଉପରେ ବାଇକ୍ ସହ ଯୁବକ ପୋଡ଼ି ହେବା ଘଟଣା : ମିଳିଲା ମୃତ ଯୁବକଙ୍କ ପରିଚୟ, ପରିବାର ଲୋକଙ୍କ ସହ ଯୋଗାଯୋଗ କଲା ପୋଲିସ

607

କନକ ବ୍ୟୁରୋ : ମହାରାଜା ହଲ ନିକଟ ଫ୍ଲାଏଓଭର ଉପରେ ବାଇକ୍ ସହ ଯୁବକ ପୋଡ଼ି ହୋଇଯାଇଥିବା ଘଟଣାରେ ଯୁବକଙ୍କ ମିଳିଲା ପରିଚୟ । ମୃତ ଯୁବକ ହେଉଛନ୍ତି ଚନ୍ଦନ ପତି । ତାଙ୍କ ଘର ଜଗତସିଂହପୁର ଜିଲ୍ଲାର ପୁରୋହିତପୁର । ସେ କେସୁରାରେ ରୁହନ୍ତି । ଭୁବନେଶ୍ୱରରେ ଇନଟାକ୍ସ କମ୍ପାନୀର ମାର୍କେଟିଂ କାମ କରୁଥିଲେ । ଚନ୍ଦ୍ରଶେଖରପୁରକୁ ଏକ ବାହାଘର ଭୋଜିରେ ଯାଇଥିଲେ । ରୁମକୁ ଫେରିଲା ବେଳେ ଏହି ଭଳି ଘଟଣା ଘଟିଛି । ମୃତ ଯୁବକଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରିଛି ପୋଲିସ । ଖୁବଶୀଘ୍ର ପରିବାର ଲୋକ ଥାନାରେ ପହଞ୍ଚିବେ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧୨ରେ ରାଜପଥ ଉପରେ ଅତି ରହସ୍ୟଜନକ ଭାବେ ଜଣେ ଯୁବକ ଓ ତାଙ୍କ ବାଇକ୍ ପୋଡି ଯାଉଥିବା ଦେଖିବାକୁ ମିଳିଥିଲା । ବାଟରେ ଯାଉଥିବା ଲୋକ ଏହାକୁ ଦେଖି ଖବର ଦେବାରୁ ସହିଦନଗର ଥାନା ପୁଲିସ ଓ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ କରିଥିଲେ ଏବଂ ଜଳୁଥିବା ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ । ହେଲେ ଉଦ୍ଧାର ବେଳକୁ ଯୁବକ ଜଣଙ୍କର ଶରୀରର ପ୍ରାୟ ୭୦ପ୍ରତିଶତ ପୋଡି ଯାଇଥିଲା ଓ ମୃତ୍ୟୁ ହୋଇ ସାରିଥିଲା । କିନ୍ତୁ ଏହି ଯୁବକ ଜଣଙ୍କ କିଏ ଓ କେମିତି ନିଆଁ ଲାଗିଲା ତାହା ଜଣାପଡିନାହିଁ ।

ଆଜି ଶବ ବ୍ୟବଛେଦ ପରେ କାରଣ ଜଣାପଡିବ ବୋଲି ଅନୁମାନ କରାଯାଉଛି । ପୁଲିସ ବାଇକର ଗାଡି ନମ୍ବରକୁ ଯାଞ୍ଚ କରି ଯୁବକଙ୍କ ସମ୍ପର୍କରେ ତଥ୍ୟ ହାସଲ କରିବାକୁ ଚେଷ୍ଟା ଚଳାଇଛି । ଏଥିସହ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍ ସଂଗ୍ରହ କରୁଛି । ଅନ୍ୟପଟେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । କିଛି ଦୁର୍ବୃତ୍ତ ଯୁବକଙ୍କୁ ଅନ୍ୟତ୍ର ହତ୍ୟା କରି ଏଠାକୁ ଆଣିବା ପରେ ପୋଡି ଦେଇଥିବା ଅନୁମାନ କରାଯାଉଛି । ତେବେ ପୁଲିସ ସବୁଦିଗରୁ ତଦନ୍ତ ଆରମ୍ଭ କରିଛି ।