ବଡ ଠାକୁରଙ୍କ କୁନି ସେବାୟତ ! ସୁନାବେଶରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଲେ ଶିଶୁ ସେବାୟତ

66

କନକ ବ୍ୟୁରୋ : ବଡ ଠାକୁରଙ୍କ ସେବା ପାଇଁ ରଥ ଉପରେ କୁନି ସେବାୟତ । ମହାପ୍ରଭୁଙ୍କ ସୁନାବେଶ ସମୟରେ ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଆଉ ରଥ ଉପରେ ଏହି କୁନି ସେବାୟତଙ୍କୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ଆଜି ସୁନାବେଶ ପାଇଁ ମହାପ୍ରଭୁଙ୍କୁ ସୁନା ଅଳଙ୍କାରରେ ସେବାୟତ ମାନେ ସଜ୍ଜିତ କରୁଥିବା ବେଳେ କ୍ୟାମେରା ଲେନ୍ସରେ କଏଦ ହୋଇଥିଲେ ରଥ ଉପରେ ବସିଥିବା ଶିଶୁ ସେବାୟତ । ମହାପ୍ରଭୁ ଯେମିତି ସ୍ୱର୍ଣ୍ଣ ଅଳଙ୍କାରେ ଝଲସୁଥିଲେ ଠିକ୍ ସେହିଭଳି ଏହି ଶିଶୁ ସେବାୟତ ମଧ୍ୟ କିଛି ସମୟ ପାଇଁ କ୍ୟାମେରାର ଫୋକସରେ ରହିଥିଲେ । ତାଳଧ୍ୱଜ ରଥରେ ବଡ ବଡ ସେବାୟତଙ୍କ ଗହଣରେ ବସିଥିବା ଏହି କୁନି ସେବାୟତ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁୁ ପାଲଟିଥିଲେ । ଏପରିକି ରଥ ଉପରୁ ହାତ ହଲାଇ ଭକ୍ତ ମାନଙ୍କୁ ବୋଧହୁଏ କିଛି କହିବାକୁ ଚାହୁଁଥିଲେ ଏହି କୁନି ସେବାୟତ ଜଣକ । ଆଉ କୁନି ସେବାୟତଙ୍କ ଏଭଳି ଆଚରଣ ସମସ୍ତଙ୍କୁ ବେଶ ଆମୋଦିତ କରିଥିଲା ।

ଏହା ପୂର୍ବରୁ ମଧ୍ୟ ୨୯ ଦିନର କୁନି ସେବାୟତଙ୍କୁ ନେଇ ଚର୍ଚ୍ଚା ହୋଇଥିଲା । ଯେତେବେଳେ ଜଣେ ୨୯ ଦିନର କୁନି ଶିଶୁ ସାମିଲ ହୋଇଥିଲେ ମହାପ୍ରଭୁ ଜଗନ୍ନାଥଙ୍କ ପରିବାରରେ । ମହାପ୍ରଭୁଙ୍କ ପ୍ରମୁଖ ସେବକ ହେଉଛନ୍ତି ଦଇତାପତି ସେବାୟତ । ଜଗନ୍ନାଥଙ୍କ ଅଣସର ସମୟରେ ଦଇତାପତିଙ୍କୁ ମିଳିଥାଏ ସ୍ୱତନ୍ତ୍ର ସେବା । ଏହି ସେବାରେ ସାମିଲ ହୋଇଛନ୍ତି ୨୯ ଦିନର କୁନି ଦଇତାପତି । ଶିଶୁ ସେବାୟତ ଜଣକ ଶ୍ରୀମନ୍ଦିର ଭିତରେ ଅଣସର ଘରେ ପହଁଚିବା ପରେ ପିଲାଟିକୁ ମିଳିଥିଲା ସେବାୟତର ଅଧିକାର । ଏଥିସହ ଶିଶୁ ଦଇତାପତିଙ୍କ ପ୍ରାପ୍ୟ ପାଉଣା ଲାଗୁ ହୋଇଥିବା ବେଳେ ଦଇତାପତିଙ୍କ ଭାଗାରି ବା ଭାଇ ଭାବେ ପରିଗଣିତ ହୋଇଛନ୍ତି ।

ମହାପ୍ରଭୁ ଅଣସର ଘରେ ଥିବା ସମୟରେ ଦଇତାପତି ବଂଶର ଜଣେ ସେବକଙ୍କ ୨୯ ଦିନର ଶିଶୁପୁତ୍ରକୁ ଶ୍ରୀମନ୍ଦିରକୁ ଅଣାଯାଇଥିଲା ଏବଂ ବିଧି ମୁତାବକ ସେ ଜଗନ୍ନାଥଙ୍କ ପରିବାର ସମ୍ପର୍କୀୟ ଭାବେ ଭାବେ ପରିଗଣିତ ହୋଇଥିଲେ । ସାଧାରଣତଃ ଦଇତାପତି ପରିବାରରେ ଜନ୍ମ ନେଉଥିବା ଶିଶୁ ୨୧ ଦିନର ହେବା ପରେ ଜଗନ୍ନାଥଙ୍କ ଶରଣ ପଶି ମହାପ୍ରଭୁଙ୍କ ଭାଗାରି ହୋଇଥାଏ । ଆଉ ଏବେ ଏହି କୁନି ଶିଶୁ ମହାପ୍ରଭୁଙ୍କ ସେବାୟତ ହେବା ସହ ସର୍ବକନିଷ୍ଠ ସେବାୟତର ମାନ୍ୟତା ପାଇଛନ୍ତି ।