ଟ୍ରାଫିକ ସମସ୍ୟାରୁ ମିଳିବ ମୁକ୍ତି : ଭାରତରେ କେବୁଲ କାର ଓ ରୋପୱେ ଚଳାଇବାକୁ ଯୋଜନା

132

ଦିନକୁ ଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦ୍ରୁତ ସହରୀକରଣ, ଆଧୁନିକ ଲାଇଫଷ୍ଟାଇଲ ଯୋଗୁଁ ସହରରେ ଯାନବାହାନ ସଂଖ୍ୟା ବୃଦ୍ଧି ହେତୁ ଟ୍ରାଫିକ ସମସ୍ୟା ଦେଖାଯାଉଛି। ଦେଶର ବିଭିନ୍ନ ବଡ଼ ବଡ଼ ସହର ମାନଙ୍କରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ ଲାଗିରହେ । ସେଥିପାଇଁ ଲୋକେ ଅଫିସ୍ ଟାଇମର ଘଂଟାଏ ଆଗରୁ ଘରୁ ବାଧ୍ୟ ହୋଇ ବାହାରନ୍ତି । ଏପରି ଅସୁବିଧାରୁ ଲୋକଙ୍କୁ ମୁକ୍ତି ଦେବାପାଇଁ ମୋଦି ସରକାର କେବୁଲ କାର ଓ ରୋପୱେ ଚଳାଇବାକୁ ଯୋଜନା କରିଛନ୍ତି ।

ଭାରତୀୟ ସହରଗୁଡ଼ିକରେ ଦିନକୁ ଦିନ ଭିଡ଼ ବଢୁଛି, ଏହା ସହିତ ଟ୍ରାଫିକ ସମସ୍ୟା ମଧ୍ୟ ଜଟିଳ ହେଉଛି । ଯେତେ ଚଉଡା ରାସ୍ତା, ଫ୍ଲାଇଓଭର କଲେ ମଧ୍ୟ ତାହା ଯଥେଷ୍ଟ ହେଉନାହିଁ । ଏହାର ସମାଧାନ ପାଇଁ ସରକାର ଅତ୍ୟାଧୁନିକ ସର୍ବସାଧାରଣ ପରିବହନ ବ୍ୟବସ୍ଥା ବା ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ ଗୁରୁତ୍ୱ ଦେଉଛନ୍ତି । ନୂଆ ନୂଆ ପ୍ରକାରର ପରିବହନ ବ୍ୟବସ୍ଥା ଦେଶରେ ଆରମ୍ଭ କରିବାକୁ ସରକାର ଯୋଜନା କରୁଛନ୍ତି । ଏହା ମଧ୍ୟରେ ରହିଛି କେବୁଲ କାର ଓ ରୋପୱେ । ଏହି ଟେକନଲୋଜୀ ନୂଆ ନହେଲେ ମଧ୍ୟରେ ଏବେ ଏଥରେ ଅନେକ ଅଗ୍ରଗତି ହୋଇଛି ।

ଦେଶର ବିଭିନ୍ନ ସହର ଓ ଶୈଳନିବାସରେ କେବୁଲ କାର ଓ ରୋପୱେ ଚଳାଇବାକୁ ସରକାର ଯୋଜନା କରୁଛନ୍ତି । ଏଥିପାଇଁ ସରକାର ରାଷ୍ଟ୍ରାୟତ ଉଦ୍ୟୋଗ ଓ୍ଵାପକସ ଓ ଅଷ୍ଟ୍ରେଲିଆ କମ୍ପାନି ଡୋପଲମାୟର ସହ ଏକ ଏମଓୟୁ କରିଛନ୍ତି । ଅଷ୍ଟ୍ରେଲିଆର ଏହି କମ୍ପାନି କେବୁଲ କାର ଓ ରୋପୱେ ଟେକନଲୋଜୀ କ୍ଷେତ୍ରରେ ବିଶ୍ୱରେ ଏକ ଅଗ୍ରଣୀ କମ୍ପାନି । ଏହି କମ୍ପାନି ସହାୟତରେ ଦେଶର ବିଭିନ୍ନ ସହରରେ ଏହି ପ୍ରକାରର କେବୁଲ କାର ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି । ବଲିଭିଆ, ସ୍ୱିଜରଲ୍ୟାଣ୍ଡ, ଭିଏତନାମ, ଅଷ୍ଟ୍ରେଲିଆ ଆଦି ବିଶ୍ୱ ଅନେକ ଦେଶରେ କେବୁଲ କାରର ବହୁଳ ପ୍ରଚଳନ ଅଛି ।