ନବମୀରେ ଯୋଗୀ ଆଦିତ୍ୟନାଥଙ୍କ କନ୍ୟାପୂଜନ ! ଗୋରଖନାଥ ମଠରେ ପୁରା ବିଧିବିଧାନରେ କଲେ ପୂଜାର୍ଚ୍ଚନା

39

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ନବମୀ ଅବସରରେ କନ୍ୟା ପୂଜନ କରିବା ସହ ଝିଅମାନଙ୍କର ପାଦ ଧୋଇଦେଇଛନ୍ତି । ଯୋଗୀ ପୁରା ବିଧି ବିଧାନ ସହ ପୂଜା ସମ୍ପନ୍ନ କରିଥିଲେ । ପୂଜା ଶେଷ ହେବା ପରେ କୁନି ଝିଅମାନଙ୍କୁ ପ୍ରସାଦ ଓ ଦାନ ଦକ୍ଷିଣା ଦେଇ ବିଦା କରିଥିଲେ ଯୋଗୀ । ଏହା ବ୍ୟତୀତ ଯୋଗୀ, ଗୋରଖନାଥ ପୀଠରେ ନିଶାରାତ୍ରୀ ପୂଜା ଓ ଶସ୍ତ୍ର ପୂଜା ମଧ୍ୟ କରିଥିଲେ । ଖବର ଅନୁସାରେ ଏବେ ଯୋଗୀ ଗୋରଖନାଥ ମଠରେ ସାଧନାରେ ଲୀନ ଅଛନ୍ତି । ନବରାତ୍ରୀର ଶେଷ ୪ ଦିନରେ ସେ ଏହି ମଠରେ ମହନ୍ତ ରୂପରେ ଶକ୍ତିପୂଜା କରନ୍ତି । ଯୋଗୀ ନବରାତ୍ରୀରେ ଉପବାସ ରହି ଗୋଟିଏ ପଟେ ପୁରା ବିଧି ବିଧାନ ସହ ଶକ୍ତିଙ୍କର ସାଧନା କରିବା ସହ ଅନ୍ୟପଟେ ସରକାର ମଧ୍ୟ ଚଳାଉଛନ୍ତି ।

ସୂଚନାଯୋଗ୍ୟ ସନାତନ ହିନ୍ଦୁ ଧର୍ମର କୁମାରୀ ପୂଜନ ଓ ଆଦି ଶକ୍ତି ମା’ ଭଗବତୀ ଦୁର୍ଗାଙ୍କୁ ବିଭିନ୍ନ ରୂପର ପୂଜା କରାଯାଏ । ସପ୍ତମୀ ଦିନ ଯୋଗୀ ଗୋରଖନାଥ ମଠରେ ପହଞ୍ଚିଥିଲେ । ସେଠାରେ ସେ ଦୁର୍ଗାସ୍ତୁତି ପାଠ କରିଥିଲେ । ପାଖାପାଖି ୧ ଘଂଟା ପୂଜା ପରେ ସେ ଶକ୍ତିପାଠ ଓ ଆରତୀ କରିଥିଲେ । ସପ୍ତମୀ ରାତିରେ ଓ ଅଷ୍ଟମୀର ପ୍ରାରମ୍ଭରେ ଯୋଗୀ ନିଶାରାତ୍ରୀ ପୂଜା କରିଥିଲେ । ସୂଚନାଯୋଗ୍ୟ ଦେବୀଙ୍କ ଉପାସକଙ୍କ ମଧ୍ୟରେ ନିଶାରାତ୍ରୀ ପୂଜା କରିବାର ଅନେକ ମହତ୍ୱ ଥାଏ । ନବରାତ୍ରୀ ପୂଜା ସହ ଯୋଗୀ ମଠରେ ଯଜ୍ଞ ମଧ୍ୟ କରିଥିଲେ ।

ଯୋଗୀ ନିଶାରାତ୍ରୀ ପୂଜା ପରେ ପୂଜାରୀ ସହ ଘଂଟା ଘଂଟା ଧରି ବସି ଶସ୍ତ୍ର ପୂଜା କରିଥିଲେ । ଶସ୍ତ୍ର ପୂଜାରେ ମଠରେ ଥିବା ସମସ୍ତ ଅସ୍ତ୍ରଶସ୍ତ୍ରକୁ ବାହର କରି ପୁରା ବିଧି ବିଧାନରେ ପୂଜା କରାଯାଥିଲା । ବିଗତ ବର୍ଷ ଯେତେବେଳେ ଯୋଗୀ ସାଂସଦ ଓ ମଠର ମହନ୍ତ ଥିଲେ ସେତେବେଳେ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ସର୍ବସାଧାରଣରେ ପୂଜାର୍ଚ୍ଚନା କରାଯାଉଥିଲା । କିନ୍ତୁ ଏଥର ପୂଜା ଦେବୀଙ୍କ ଆସ୍ଥାନରେ ହିଁ କରାଗଲା ଏବଂ ପୂଜାକୁ ସର୍ବସାଧାରଣଙ୍କ ଉପସ୍ଥିତିରେ କରାଯାଇନଥିଲା ।

ଏହାବ୍ୟତୀତ ଯୋଗୀ କହିଛନ୍ତି ନବରାତ୍ରୀରେ ସେ ୯ ଦିନ ପର୍ଯ୍ୟନ୍ତ ଉପବାସ ରୁହନ୍ତି । ଅନେକ ବର୍ଷ ହେବ ସେ ଏହି ପୂଜା କରିଆସୁଛନ୍ତି । ଏହି ପୂଜାରେ ସକାଳୁ ସଞ୍ଜ ଯାଏଁ ପୂଜାର୍ଚ୍ଚନା କରòବା ସହ ହୋମଯଜ୍ଞ କରନ୍ତି । ଏହି ପୂଜାର୍ଚ୍ଚନା ଯୋଗୁଁ ତାଙ୍କୁ ସକରାତ୍ମକ ଶକ୍ତି ମିଳେ ଯାହା ଏବେ ତାଙ୍କୁ ଶାସନ ସମୟରେ ବେଶ୍ ସାହାଯ୍ୟ କରୁଛି  ବୋଲି ସେ କହିଛନ୍ତି । ଦଶମୀ ଦିନ ଯୋଗୀ ମନ୍ଦିର ପ୍ରାଙ୍ଗଣରେ ଶୋଭଯାତ୍ରାରେ ସାମିଲ ହେବେ । ଏଥିରେ ଜଣେ ମହନ୍ତ ରୂପରେ ଶେଭାଯାତ୍ରାରେ ଯାଇ ନବରାତ୍ରୀ ପୂଜାର ସମାପନ କରିବେ ।