ଧୋକା ଦେଲେ ସହଯୋଗୀ ଦଳ ! ପଶ୍ଚିମବଙ୍ଗ, ଝାଡଖଣ୍ଡ ଯିବେନି ଯଶୱନ୍ତ ସିହ୍ନା

677

କନକ ବ୍ୟୁରୋ: ଜୁଲାଇ ୧୮ ତାରିଖରେ ହେବାକୁ ଥିବା ରାଷ୍ଟପ୍ରତି ନିର୍ବାଚନ ପାଇଁ ଦୁଇ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ଯଶୱନ୍ତ ସିହ୍ନା ସବୁ ରାଜ୍ୟ ବୁଲି ସମର୍ଥନ ମାଗୁଛନ୍ତି । ବିଭିନ୍ନ ରାଜ୍ୟ ବୁଲି ଭୋଟ ମାଗୁଥିବା ଯଶୱନ୍ତ ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡ ଗସ୍ତକୁ ବାତିଲ କରିଦେଇଛନ୍ତି । ଝାଡଖଣ୍ଡର ଜେଏମଏମ ଦଳ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ବୋଲି କୁହାଯାଉଥିବା ବେଳେ ଆଦିବାସୀ ଭୋଟ ବ୍ୟାଙ୍କକୁ ନେଇ ଚିନ୍ତାରେ ଅଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତ୍ରୀ ମମତା ବାନାର୍ଜୀ । ଯେଉଁଥିପାଇଁ ଯଶୱନ୍ତ ପଶ୍ଚିମବଙ୍ଗ ଏବଂ ତାଙ୍କର ନିଜ ରାଜ୍ୟ ଝାଡଖଣ୍ଡ ଯାଇ ପ୍ରଚାର କରିବେ ନାହିଁ ବୋଲି ନିଷ୍ପତି ନେଇଥିବା ବୋଲି କୁହାଯାଉଛି । ହେଲେ ମମତା ପଶ୍ଚିମବଙ୍ଗର ଭୋଟ କଥା ବୁଝିବାକୁ ପ୍ରତିଶ୍ରୁତି ଦେଇଥିବାରୁ ଯଶୱନ୍ତ ସେଠାକୁ ଯିବେ ନାହିଁ ବୋଲି ସିହ୍ନାଙ୍କ ପକ୍ଷରୁ କୁହାଯାଇଛି ।

ଯଶୱନ୍ତ ସିହ୍ନାଙ୍କୁ ମିଳିତ ବିରୋଧୀ ପ୍ରାର୍ଥୀ କରିଥିବାରେ ପ୍ରମୁଖ ଭୂମିକା ନିଭାଇଥିବା ମମତା ବାନାର୍ଜୀ ଏବେ ତାଙ୍କୁ ନେଇ ପ୍ରଚାର କରିବାକୁ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି । କାରଣ ପଶ୍ଚିବଙ୍ଗର ଆଦିବାସୀ ସମ୍ପ୍ରଦାୟର ୮୦ ପ୍ରତିଶତ ଲୋକ ସାନ୍ତାଳୀ ବର୍ଗର, ଯେଉଁ ବର୍ଗର ପ୍ରତିନିଧିତ୍ୱ କରୁଛନ୍ତି ଦୌପଦୀ ମୁର୍ମୁ ।

  • ମମତାଙ୍କୁ ଆଦିବାସୀ ଭୋଟ ଚିନ୍ତା
  • ଯଶୱନ୍ତଙ୍କ ପାଇଁ ପ୍ରଚାର କରିବାକୁ କୁଣ୍ଠାବୋଧ

ଯଶୱନ୍ତଙ୍କୁ ୧୮ ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ କରି ପ୍ରଥମରୁ ଶ୍ରେୟ ନେବାକୁ ଚାହୁଁଥବା ମମତା ବାନାର୍ଜୀ ଏବେ ଦୂରତା ଅମଲମ୍ବନ କରୁଛନ୍ତି । ଏହାର ପ୍ରମୁଖ କାରଣ ହେଉଛି ଆଦିବାସୀ ପ୍ରାର୍ଥୀ ଦୌପଦୀ ମୁର୍ମୁ । ମୁର୍ମୁ ଆଦିବାସୀ ସମ୍ପ୍ରଦାୟର ସାନ୍ତାଳି ବର୍ଗର । ଆଉ ପଶ୍ଚିମବଙ୍ଗରେ ଥିବା ଆଦିବାସୀଙ୍କ ମଧ୍ୟରୁ ୮୦ ପ୍ରତିଶତ ଲୋକ ସାନ୍ତାଳୀ । ଯଦି ମମତା ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଯଶୱନ୍ତଙ୍କୁ ସାଙ୍ଗରେ ଧରି ରାଜ୍ୟରେ ପ୍ରଚାର କରନ୍ତି, ତେବେ ଆଦିବାସୀ ଭୋଟ ବ୍ୟାଙ୍କ୍ ପ୍ରଭାବିତ ହେବାର ଆଶଙ୍କା ରହିଛି । ଯାହା ଜଣେ ହାରୁଥିବା ପ୍ରାର୍ଥୀଙ୍କ ପାଇଁ ହରାଇବାକୁ ଚାହୁଁନାହାଁନ୍ତି ମମତା ବନାର୍ଜୀ ।