କନକ ବ୍ୟୁରୋ : ଜି-୨୦ ସମ୍ମିଳନୀ ବେଳେ ଦିଲ୍ଲୀ ପ୍ରଗତୀ ମଇଦାନରେ ପ୍ରସ୍ତୁତ ହୋଇଥିବା ଭାରତ ମଣ୍ଡପମକୁ ନେଇ ବେଶ୍ ଚର୍ଚ୍ଚା ହେଉଥିଲା । ଏହାର ଆକାର ଠାରୁ ଗଠନ ଶୈଳୀ ସମସ୍ତଙ୍କୁ ଚକିତ କରିଥିଲା । ହେଲେ ଜି-୨୦ ସମ୍ମିଳନୀ ପରେ ପୁଣି ଏକ କନଭେନସନ ସେଣ୍ଟରକୁ ନେଇ ଅଧିକ ଚର୍ଚ୍ଚା ହେବାରେ ଲାଗିଛି । ଦିଲ୍ଲୀର ପ୍ରଗତୀ ମଇଦାନ ଠାରେ ଥିବା ଭାରତ ମଣ୍ଡପମ୍ ଭଳି ଦ୍ୱାରକାରେ ଯଶୋଭୂମି ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ ସେଣ୍ଟର ନିର୍ମାଣ ହୋଇଛି । ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଦେଶବାସୀଙ୍କ ଉର୍ଦ୍ଦେଶ୍ୟରେ ଏହି ବିଶାଳ କନଭେନସନ ସେଣ୍ଟରର ଉଦଘାଟନ କରିବେ ।

Advertisment

ଯଶୋଭୂମି କନଭେନସନ୍ ସେଣ୍ଟର ପରିଯୋଜନାର ପୂରା କ୍ଷେତ୍ର ହେଉଛି ୮.୯ ଲକ୍ଷ ବର୍ଗ ମିଟର । ଏଥିରୁ ୧.୮ ଲକ୍ଷ ବର୍ଗମିଟରରେ ନିର୍ମାଣ କାର୍ଯ୍ୟ ହୋଇଛି । ଏଥିରେ ବୈଠକ, ସମ୍ମିଳନୀ କକ୍ଷ ଓ ପ୍ରଦର୍ଶନୀ ଲଗାଯିବାର ବ୍ୟବସ୍ଥା ରହିଛି ।

ଯଶୋଭୂମି କନଭେନସନ ସେଣ୍ଟରରେ ମୋଟ ୧୫ଟି କନଭେନସନ ହଲ ରହିଛି , ୧୩ଟି ମିଟିଂ ହଲ ଓ ଏକାସାଥିରେ ୧୧ ହଜାର ଲୋକ ବସିବାର ବ୍ୟବସ୍ଥା ହୋଇଛି । କନଭେନସନ୍ ସେଣ୍ଟର ୭୩ ହଜାର ବର୍ଗମିଟର ସ୍ଥାନରେ ନିର୍ମାଣ କରାଯାଇଛି । ଏଥିରେ ମୁଖ୍ୟ ସଭାଗାର ମଧ୍ୟ ସାମିଲ କରାଯାଇଛି ।

ସମ୍ପୂର୍ଣ୍ଣ ନିର୍ମାଣ ସିରିବା ପରେ ଏହା ଏସିଆ ମହାଦେଶର ସର୍ବବୃହତ କନଭେନସନ ସେଣ୍ଟର ହେବ । ୨୦୨୫ ସୁଦ୍ଧା ଏହାର ନିର୍ମାଣ ସମ୍ପୂର୍ଣ୍ଣ ହେବ । ଯଶୋଭୂମି ନିର୍ମାଣରେ ମୋଟ ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରଥମ ପର୍ଯ୍ୟାୟରେ ୫୪୦୦ କୋଟି ଖର୍ଚ୍ଚ କରାଯାଇଛି । ଏଥିରେ ଗୋଟିଏ କନଭେନସନ୍ ସେଣ୍ଟର, ୧୩ଟି କନଫରେନ୍ସ ହଲ ଓ ଦୁଇଟି ପ୍ରଦର୍ଶନୀ ହଲ ନିର୍ମାଣ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଦର୍ଶନୀ କମ୍ପେ୍ଲକ୍ସ, ହୋଟେଲ ଓ ରିଟେଲ ଅଫିସ୍ ନିର୍ମାଣ କରାଯିବ । ଅଡିଟୋରିୟମରେ ଏକା ସାଥିରେ ୬ ହଜାର ଲୋକ ବସିବାର ବ୍ୟବସ୍ଥା କରାଯିବ ।