କନକ ବ୍ୟୁରୋ: ପୁଲୱାମା ଆକ୍ରମଣକୁ ନେଇ ଜାମ୍ମୁକାଶ୍ମୀରର ପୂର୍ବ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ବୟାନ ଏବେ ସବୁଠି ଚର୍ଚ୍ଚାରେ । ମୋଦୀ ସରକାରର ବିଫଳତା କାରଣରୁ ହିଁ ପୁଲୱାମାରେ ୪୦ ଜଣ ଯବାନ ସହିଦ ହେଲେ ବୋଲି ସତ୍ୟପାଲ ମଲ୍ଲିକ ସିଧାସିଧା ଅଭିଯୋଗ କରିଛନ୍ତି । ତେବେ ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ କେନ୍ଦ୍ର ଗୃହମନ୍ତ୍ରୀ ପ୍ରତିକ୍ରିୟା ରଖିବା ପରେ ଏହାର ଜବାବରେ ପୁଣିଥରେ ଉତ୍ତର ରଖିଛନ୍ତି ସତ୍ୟପାଲ ମଲ୍ଲିକ ।

Advertisment

ଅସଲ କଥା ହେଲା, ସତ୍ୟପାଲ ମଲ୍ଲିକଙ୍କ ବୟାନ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏହାର ଜବାବ ରଖିଥିଲେ । ଶାହା କହିଥିଲେ, ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି, ବିଜେପି ଏମିତି କିଛି କାମ କରିନି, ଯାହାକୁ ଲୁଚାଯିବ । ଆମଠୁ ଅଲଗା ହେବା ପରେ ଯଦି ଜଣେ ବ୍ୟକ୍ତି ଏପରି ଅଭିଯୋଗ କରୁଛନ୍ତି । ତେବେ ଲୋକମାନେ ଏହାର ମୂଲ୍ୟାଙ୍କନ କରିବା ନିହାତି ଆବଶ୍ୟକ । ଅର୍ଥାତ ସିଧା ସିଧା ସତ୍ୟପାଲ୍ ମଲ୍ଲିକ ମୋଦୀ ସରକାର ବିରୋଧରେ ଅପପ୍ରଚାର କରୁଛନ୍ତି ବୋଲି ଶାହା କହିଥିଲେ । ଏହାର ଜବାବରେ ଏବେ ସତ୍ୟପାଲ ମଲ୍ଲିକ ପୁଣିଥରେ କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ଭୁଲ୍ ଅଟେ । ପଦ ଛାଡିବା ପରେ ମୁଁ ଏହି କଥା ଉଠାଇନାହିଁ । ତେବେ ପୁଲୱାମା ଆକ୍ରମଣ ବେଳେ ମଧ୍ୟ ସେ ଏହି କଥା ଉଠାଇଥିବା କହିଛନ୍ତି ସତ୍ୟପାଲ ମଲ୍ଲିକ ।

ସୂଚନାଯୋଗ୍ୟ ଯେ, ୨୦୧୯ ମସିହାରେ ଜାମ୍ମୁକାଶ୍ମୀରର ପୁଲୱାମାରେ ଆତଙ୍କୀ ଆକ୍ରମଣରେ ୪୦ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ । ସେତେବେଳେ ଜାମ୍ମୁକାଶ୍ମୀରର ରାଜ୍ୟପାଳ ଥିଲେ ସତ୍ୟପାଲ ମଲ୍ଲିକ । କିଛି ଦିନ ତଳେ ଏକ ୟୁଟ୍ୟୁବ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ସେ ଏହି ସମ୍ବନ୍ଧରେ ଚର୍ଚ୍ଚିତ ବୟାନ ରଖିଥିଲେ । ତାଙ୍କ କହିବା କଥା ଥିଲା, କେନ୍ଦ୍ର ସରକାରଙ୍କ ବିଫଳତା କାରଣରୁ ହିଁ ସେଦିନ ୪୦ ଯବାନ ସହିଦ ହୋଇଥିଲେ । ଏ ସମ୍ପର୍କରେ କୌଣସି ବି ବୟାନ ରଖିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ତାଙ୍କୁ ମନା କରିଥିଲେ । ସତ୍ୟପାଲ ମଲ୍ଲିକଙ୍କୁ ଚୁପ୍ ରହିବାକୁ ମୋଦୀ ଓ ଡୋଭାଲ୍ କହିଥିବା ସେ ଏହି ଇଣ୍ଟରଭ୍ୟୁରେ ଖୁଲାସା କରିଥିଲେ । ଯାହା ଏବେ ବେସ୍ ଚର୍ଚ୍ଚା ସାଉଣ୍ଟିଛି ।

ଅନ୍ୟପଟେ ସତ୍ୟପାଲ ମଲ୍ଲିକ ଆହୁରି ମଧ୍ୟ କହିଥିଲେ ଯେ, ଆସନ୍ତାବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ବିଜେପି ଭଲ କରିବ ବୋଲି ମୁଁ କାମନା କରୁଛି । ହେଲେ ରାଜନୀତିରେ କେତେବେଳେ କଣ ହେବ ଜଣାନାହିଁ । ବର୍ତ୍ତମାନ ସ୍ଥିତି ଏକ କଠିନ ସ୍ଥିତି ଅଟେ । ତେବେ ପ୍ରଧାନମନ୍ତ୍ରୀଙ୍କୁ ପୁଲୱାମା ମୁଦ୍ଦା ଉପରେ ମଧ୍ୟ କଥା କହିବା ଦରକାର ବୋଲି ସତ୍ୟପାଲ ମଲ୍ଲିକ କହିଥିଲେ ।