ନିଯୁକ୍ତି ନେଇ ମିଛ !

20

ବିଧାନସଭାରେ ମିଛ କହିଲେ ସରକାର । ଧରାପଡିଗଲା ଶିଳ୍ପ ସଂସ୍ଥାରେ ସରକାରଙ୍କ ମିଛ ନିଯୁକ୍ତି ତଥ୍ୟ । ବିଧାନସଭାରେ ଗତ ମାର୍ଚ୍ଚ ୩୧ ତାରିଖରେ ସରକାର, ଶିଳ୍ପ ସଂସ୍ଥାରେ କେତେ ଜଣଙ୍କୁ ନିଯୁକ୍ତି ମିଳିଛି ସେନେଇ ତଥ୍ୟ ରଖିଛନ୍ତି । ଯାଜପୁର କଳିଙ୍ଗନଗର ଟାଟା ଷ୍ଟିଲରେ ୪୪ ହଜାର ଲୋକଙ୍କୁ ନିଯୁକ୍ତି ଦେଇଥିବା ବିଧାନସଭାରେ ଲିଖିତ ଉତର ଦେଇଛନ୍ତି ସରକାର । ହେଲେ ପ୍ରକୃତରେ ଏହାର ସଂଖ୍ୟା ମାତ୍ର ୩ ହଜାର ।

vlcsnap-2016-05-22-18h29m47s145କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ ୫ ଲକ୍ଷ ୮୫ ହଜାର ଲୋକଙ୍କୁ ନିଯୁକ୍ତି । ଏ ବିଧାନସଭାରେ ହେଉଛି ରାଜ୍ୟ ସରକାରଙ୍କ ଲିଖିତ ଉତ୍ତର । ଶିଳ୍ପାୟନ ଜରିଆରେ କିଭଳି ରାଜ୍ୟର ବେରୋଜଗାର ସମସ୍ୟାର ମୁକାବିଲା କରାଯାଉଛି ସେ ନେଇ ବଡ଼ ବଡ଼ ତଥ୍ୟ ରଖୁଛନ୍ତି ସରକାର । ମାର୍ଚ୍ଚ ୩୧ ତାରିଖରେ ଯାଜପୁର ଜିଲ୍ଲାରେ କେଉଁ କେଉଁ କମ୍ପାନୀରେ କେତେ ଲୋକଙ୍କୁ ନିଯୁକ୍ତି ଦିଆଯାଇଛି ତାର ଏକ ତଥ୍ୟ ରାଜ୍ୟ ସରକାର ବିଧାନସଭାରେ ଉପସ୍ଥାପନ କଲେ ।

appointmentଏଥିରେ କୁହାଗଲା- ୮ଟି ଶିଳ୍ପାନୁଷ୍ଠାନରେ ୪୯ ହଜାର ୬୦୯ଜଣଙ୍କୁ ନିଯୁକ୍ତି ମିଳିଛି । ଏଥିରେ କେବଳ କଳିଙ୍ଗନଗର ଟାଟା ଷ୍ଟିଲରେ ୪୪ ହଜାର ୮୦୬ଜଣଙ୍କୁ ନିଯୁକ୍ତି ମିଳିଛି । କିନ୍ତୁ ପ୍ରକୃତରେ ଏଠାରେ କେତେ ଜଣଙ୍କୁ ନିଯୁକ୍ତି ମିଳିଛି ସେ କଥା କହିଛନ୍ତି ଖୋଦ୍ ଟାଟା ଷ୍ଟିଲର ଏମଡି ଟି. ଭି. ନରେନ୍ଦ୍ରନ୍ । ନରେନ୍ଦ୍ରନ୍ କହୁଛନ୍ତି ପ୍ରାୟ ୩ ହଜାର ଲୋକ କଳିଙ୍ଗନଗର ଟାଟା ଷ୍ଟିଲରେ ନିଯୁକ୍ତି ପାଇଛନ୍ତି । ସେ ଆହୁରି ମଧ୍ୟ କହୁଛନ୍ତି ଏହାର ୬ଗୁଣ ଲୋକ ପରୋକ୍ଷ ଭାବରେ ନିଯୁକ୍ତି ପାଇଥିବେ । ପ୍ରଶ୍ନ ଉଠୁଛି, ସରକାର ଏଭଳି ବିଭ୍ରାନ୍ତିକର ତଥ୍ୟ କାହିଁକି ଦେଉଛନ୍ତି ।

ଶିଳ୍ପସଂସ୍ଥାରେ ନିଯୁକ୍ତି ନେଇ ବିଧାନସଭାରେ ରାଜ୍ୟ ସରକାର ଯେଉଁ ତଥ୍ୟ ଦେଉଛନ୍ତି ତାହା କେତେ ଠିକ୍ ତା’ ଉପରେ ଏକ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । ବେରୋଜଗାରୀ ସମସ୍ୟା ନେଇ ବିରୋଧୀଙ୍କୁ ଜବାବ ଦେବାକୁ ଯାଇ ସରକାର ଏଭଳି ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି କି?