କନକ ବ୍ୟୁରୋ : ଯୌନଶୋଷଣ ବିବାଦ ଭିତରେ ଆଜି ଅଯୋଧ୍ୟାରେ ଭାରତୀୟ କୁସ୍ତି ମହାସଂଘର କାର୍ଯ୍ୟକାରୀଣ ବୈଠକ ବସୁଛି । କୁସ୍ତି ମହାସଂଘର ସଭାପତିଙ୍କୁ ବହିଷ୍କାର ଦାବିରେ କୁସ୍ତି ଯୋଦ୍ଧାଙ୍କ ଧାରଣା ଯୋଗୁଁ ଏହି ବୈଠକ ଉପରେ ସମସ୍ତଙ୍କ ନଜର ରହିଛି । କୁହା ଯାଉଛି ବିଜେପିର ବାହୁବଳୀ ସାଂସଦ ବ୍ରିଜ ଭୂଷଣ ଶରଣ ସିଂହ ସଭାପତି ପଦରେ ରହିବେ ନା ଇସ୍ତଫା ଦେବେ ତାହା ଆଜି ସ୍ପଷ୍ଟ ହୋଇଯିବ । କାରଣ ଆଜି କୁସ୍ତି ମହାସଂଘ କାର୍ଯ୍ୟକାରିଣୀ ସଦସ୍ୟଙ୍କ ଆଗରେ ବ୍ରିଜଭୂଷଣ ନିଜ ପକ୍ଷ ରଖିବେ ।

Advertisment

ପୂର୍ବରୁ କାହା ଦୟାରେ ସେ ସଭାପତି ହୋଇ ନାହାନ୍ତି, ତେଣୁ ଇସ୍ତଫା ଦେବାର ପ୍ରଶ୍ନ ଉଠୁନାହିଁ ବୋଲି କହିଥିଲେ । ତେଣୁ ବୈଠକରେ ବ୍ରିଜ ଭୂଷଣ କଣ ଆଭିମୁଖ୍ୟ ରଖିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ମହିଳା କୁସ୍ତି ଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ବ୍ରିଜ ଭୂଷଣଙ୍କୁ ପଦରୁ ବିଦା କରିବାକୁ ଚାପ ପ୍ରୟୋଗ କରାଯାଉଛି । କିନ୍ତୁ ସେ ଇସ୍ତଫା ଦେବାକୁ ରାଜି ହେଉ ନାହାନ୍ତି । ଭାରତୀୟ କୁସ୍ତି ମହାସଂଘ ଓ କୁସ୍ତି ଯୋଦ୍ଧାଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଲଢେଇରେ କ୍ରୀଡା ମନ୍ତ୍ରଣାଳୟକୁ ରେଫରି ଭାବେ ଦେଖାଯାଉଛି । ଗତ ୫ ଦିନ ହେଲା କ୍ରୀଡା ମନ୍ତ୍ରଣାଳୟ ଘଟଣାକୁ ନେଇ ଆକ୍ସନ ମୋଡକୁ ଆସିଯାଇଛି ।

କୁସ୍ତି ମହାସଂଘର ଆସିଷ୍ଟାଂଟ ସେକ୍ରେଟାରି ବିନୋଦ ତୋମରଙ୍କୁ ଅନୁଶାସନହୀନ ଅଭିଯୋଗରେ ନିଲମ୍ବନ କରଛି କ୍ରୀଡା ମନ୍ତ୍ରଣାଳୟ । ଏଥିସହ କୁସ୍ତି ଯୋଦ୍ଧାଙ୍କ ଅଭିଯୋଗର ତଦନ୍ତ ନସରିବା ଯାଏଁ କୁସ୍ତି ମହାସଂଘର ସମସ୍ତ କାର୍ଯ୍ୟକଳାପ ଉପରେ ରୋକ ଲଗାଯାଇଛି । ଏହାକୁ ବ୍ରିଜ ଭୂଷଣ ଶରଣ ସିଂହଙ୍କ ପାଇଁ ଏକ କଡା ଚେତାବନୀ ବୋଲି ଚର୍ଚ୍ଚା ହେଉଛି । କେନ୍ଦ୍ର କ୍ରୀଡା ମନ୍ତ୍ରୀ ତଦନ୍ତ ପାଇଁ ଏକ କମିଟି ଗଠନ କରିଛନ୍ତି । ଏହି କମିଟି ଚାରି ସପ୍ତାହ ଭିତରେ କୁସ୍ତି ମହାସଂଘ ଓ ପଦାଧିକାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରି ରିପୋର୍ଟ ଦେବ ।