ଚତୁର୍ଥ ଦିନରେ ପହଞ୍ଚିଲା ଶିକ୍ଷକ ଆନ୍ଦୋଳନ । ରାସ୍ତା ଉପରେ କଲେ ଯଜ୍ଞ ଓ ପୂଜାପାଠ, ନିଆରା ଢଙ୍ଗରେ କଲେ ପ୍ରତିବାଦ ।

78

କନକ ବ୍ୟୁରୋ: ଭୁବନେଶ୍ୱର ଲୋୟର ପିଏମଜିରେ ବିଭିନ୍ନ ଦାବି ନେଇ ବିଭିନ୍ନ ସଂଗଠନ ଆନ୍ଦୋଳନ ଚଳାଇଛନ୍ତି । କେତେକ ସଂଗଠନ ଦୀର୍ଘ ଦିନ ହେବ ଆନ୍ଦୋଳନ ଚଳାଇଥିବାବେଳେ ଆଉ କିଛି ସଂଗଠନ ଏହି ସପ୍ତାହରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ସେମାନଙ୍କ ଭିତରେ ଅଛନ୍ତି ପ୍ରାଥମିକ ଶିକ୍ଷକ ସଂଘ, ଅଙ୍ଗନୱାଡି ୱାର୍କର ସଂଘ, ଆଶା କର୍ମୀ ସଂଘ, ଅମଲା ସଂଘ ଭଳି ଅନେକ ସଂଗଠନ । ଯେଉଁମାନେ ରାସ୍ତା ଉପରେ ଶୀତ କାକରରେ ଶୋଇ ଅହୋରାତ୍ର ଧାରଣା ଦେଇଛନ୍ତି ।

  • ପ୍ରତିବାଦର ନୂଆ ତରିକା
  • ନାଚି,ଗାଇ,ଯଜ୍ଞ କରି ପ୍ରତିବାଦ

ଆମେ ଦେଖି ଆସିଛେ ଦାବି ପୂରଣ ପାଇଁ ବିଭିନ୍ନ ସଂଗଠନ ଶୋଭାଯାତ୍ରା କରିଥାନ୍ତି, ନାରାବାଜି କରିଥାନ୍ତି, ଧାରଣା ଦେଇ ଆନ୍ଦୋଳନ କରିଥାନ୍ତି । ବେଳେବେଳେ ପ୍ରତିବାଦ ହିଂସା ର ରୂପ ନେଇଥାଏ । କିନ୍ତୁ ଏବେ ଲୋୟର ପିଏମଜିରେ ଆନ୍ଦୋଳନ ଚଳାଇଥିବା ସଂଗଠନ ମାନେ ନୂଆ ତରିକାରେ ପ୍ରତିବାଦ କରୁଛନ୍ତି । ତିନି ଦଫା ଦାବି ନେଇ ଆନ୍ଦୋଳନ ଚଳାଇଥିବା ଶିକ୍ଷକମାନେ ନାଚି, ଗୀତ ଗାଇ ସରକାରଙ୍କ ସମ୍ମୁଖରେ ସେମାନଙ୍କ ପ୍ରତିବାଦ ରଖୁଛନ୍ତି । କେହି କେହି ଯାତ୍ରା କଳାକାର ଭାବେ ଡାଇଲଗ୍ ମାରି ପ୍ରତିବାଦ କରୁଛନ୍ତି । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି ।

ଆନ୍ଦୋଳନକୁ ଚାରି ଦିନ ପୂରିଥିଲେ ବି ଦାବି ପୂରଣ ପାଇଁ ସରକାର ସେଭଳି ଠୋସ୍ ପଦକ୍ଷେପ ନେଉ ନଥିବାରୁ, ନିଆରା ଢ଼ଙ୍ଗରେ ପ୍ରତିବାଦ କରିଛନ୍ତି ଶକ୍ଷକ । ରାସ୍ତା ଉପରେ ଯଜ୍ଞ କରି ପ୍ରତିବାଦ ଜଣାଇଛନ୍ତି । ଯଜ୍ଞ ବେଦୀରେ ଯେମିତି ପୂଜା ପାଠ କରାଯାଏ ଠିକ୍ ସେମିତି ରାସ୍ତା ଉପରେ ଯଜ୍ଞ କରିଥିଲେ । ଅନ୍ୟପଟେ ଶିକ୍ଷକଙ୍କ ପ୍ରସଙ୍ଗ ଉଠାଇ ବିଧାନସଭାରେ ସରକାରଙ୍କୁ ଘେରିଥିଲେ ବିରୋଧୀ ବିଧାୟକ । ତୁରନ୍ତ ସମସ୍ୟାର ସମାଧାନ କରିବାକୁ ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ ବିରୋଧୀ ।

ତେବେ କେବଳ ଶିକ୍ଷକ ନୁହଁନ୍ତି ଅଙ୍ଗନୱାଡି ୱାର୍କରମାନେ, ଆଉଟସୋର୍ସିଂ କର୍ମଚାରୀମାନେ, ଆଶା କର୍ମୀମାନେ ମଧ୍ୟ ନିଆରା ଢ଼ଙ୍ଗରେ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି । ତେବେ ଏଭଳି ପ୍ରତିବାଦ ସରକାରଙ୍କୁ କେତେ ପ୍ରଭାବିତ କରୁଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।