ଏମିତି ଚାଲିଛି ସରକାରୀ ବ୍ୟବସ୍ଥା ! ମଧ୍ୟାନ୍ନ ଭୋଜନରୁ ବାହାରିଲା ପୋକ, କୁନିପିଲାଙ୍କୁ ଶିକ୍ଷକ କହିଲେ ସେ ସବୁ ଜିରା ।

46

ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲା ଅନ୍ତର୍ଗତ ହସିମପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ପରଷା ଯାଇଥିବା ମଧ୍ୟାହ୍ନ ଭୋଜନରେ ପୋକ ବାହାରିବାରୁ ବଡ଼ ଉତ୍ତେଜନାମୟ ପରିସ୍ଥିତି ସୃଷ୍ଟି ହୋଇଥିଲା । କ୍ରୋଧାନ୍ଵିତ ଅଭିଭାବକମାନେ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ଘେରାଉ କରି, ମଧ୍ୟାହ୍ନ ଭୋଜନରେ ପରଷା ଯାଇଥିବା ଖିଚିଡ଼ିରେ କାହିଁକି ପୋକ ବାହାରିଲା ତାହାର କୈଫୟତ୍ ଦାବି କରିଥିଲେ ।

୪ର୍ଥ ଶ୍ରେଣୀର ଛାତ୍ର ରୋହିତ ଶର୍ମା କହନ୍ତି: ଭୋଜନରେ ପୋକ ପଡ଼ିଥିବା ଦେଖାଇ ଦେବାରୁ ଶିକ୍ଷକ ତାହାକୁ ହାତରେ ଆଡ଼େଇ ଦେଇ କହିଲେ ସେଗୁଡ଼ିକ ଜିରା । ରୋହିତର ସାଙ୍ଗ ବୃଷ୍ଟି ହାଲଦାର ମଧ୍ୟ ଏକା କଥା କହିଛି । ସପ୍ନା ନାମ୍ନୀ ଜଣେ ଅଭିଭାବକ କହନ୍ତି: ସ୍କୁଲରେ ପରଷା ଯାଉଥିବା ଖାଦ୍ୟର ଅବସ୍ଥା ଯଦି ଏମିତି, ଆମ ପିଲାଏ ନିରାପଦ ବୋଲି କେମିତି ନିଶ୍ଚିତ ହେବୁ ?

ଅଭିଭାବକ ଓ ସ୍ଥାନୀୟ ଲୋକେ ଧମକ ଦେଇ କହିଛନ୍ତି ଯେ ଦୋଷୀ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଫଳ ହେଲେ ସେମାନେ କର୍ତ୍ତୃପକ୍ଷଙ୍କ ବିରୋଧରେ ପ୍ରବଳ ପ୍ରତିବାଦ କରିବେ । ସେମାନେ ଅଭିଯୋଗ କରିଛନ୍ତି ଯେ ବର୍ଷେ ହେବ ଖାଦ୍ୟର ମାନ ହ୍ରାସ ପାଇଲାଣି । ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କର୍ତ୍ତୃପକ୍ଷମାନେ କୌଣସି ଯାଞ୍ଚ କରୁ ନାହାନ୍ତି । କିନ୍ତୁ, ଖାଦ୍ୟରେ ପୋକ ଥିବା କଥାକୁ ସ୍କୁଲ୍ ପକ୍ଷରୁ ଅସ୍ୱୀକାର କରାଯାଇଛି ।