ବିଶାଖାପାଟଣାରେ ଜାଲରେ ଛନ୍ଦି ହେଲା ବିରଳ ମାଛ । ସମୁଦ୍ରରେ ନେଇ ଛାଡିଲେ ମତ୍ସ୍ୟଜୀବୀ । 

131

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଅନ୍ତର୍ଗତ ତନ୍ତାଡ଼ି ବେଳାଭୂମିରେ କୂଳରେ ବସାଯାଇଥିବା ଜାଲରେ ଛନ୍ଦି ହୋଇ ପଡ଼ିଥିବା ହାଙ୍ଗର ମାଛକୁ (ହ୍ବେଲ୍‌ ସାର୍କ) କେତେକ ସ୍ଥାନୀୟ ଧୀବର ଉଦ୍ଧାର କରିଥିବା କଥା ଜିଲ୍ଲା ବନ ଅଧିକାରୀ ଅନନ୍ତ ଶଙ୍କର କହିଛନ୍ତି। ବିଶ୍ବର ସବୁଠୁ ବଡ଼ ମାଛର ମାନ୍ୟତା ପାଇଥିବା ବିଲୟମୁଖୀ ପ୍ରଜାତିର ଉକ୍ତ ହାଙ୍ଗର ମାଛକୁ ପରେ ବନ ବିଭାଗ କର୍ମଚାରୀ, ଧୀବର ଏବଂ ବନ୍ୟପ୍ରାଣୀ ସଂରକ୍ଷକମାନେ ସମୁଦ୍ର ଭିତରେ ଛାଡ଼ି ଦେଇଥିବା କଥା ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଜିଲ୍ଲା ବନ ଅଧିକାରୀଙ୍କ ନିର୍ଦେଶାବଳୀ ଥିଲା ଖୁବ୍‌ ସରଳ। ସବୁମତେ ଉଦ୍ୟମ କରି ହାଙ୍ଗର ମାଛଟିକୁ ସମୁଦ୍ର ଜଳରାଶିରେ ଛାଡ଼ିଦିଅ। କିନ୍ତୁ, ଶାରୀରିକ ଏବଂ ମାନସିକ ଭାବେ ଏହା କରିବା ଥିଲା କାଠିକର ପାଠ। ୨ ଟନ୍‌ ଓଜନବିଶିଷ୍ଟ ଉକ୍ତ ମାଛକୁ ଜିଅନ୍ତା ଅବସ୍ଥାରେ ସମୁଦ୍ରରେ ଛାଡ଼ିବାକୁ ବନ ବିଭାଗ, ମତ୍ସ୍ୟଜୀବୀ ଏବଂ ବନ୍ୟପ୍ରାଣୀ ସଂରକ୍ଷକଙ୍କ ଅବସ୍ଥା ବେହାଲ ହୋଇଯାଇଥିଲା ।  ମାତ୍ର ସେମାନେ ସଫଳ ହୋଇଥିଲେ। ଶେଷରେ ବୃହତକାୟ ମାଛଟି ପହଁରି ପହଁରି ଗଭୀର ସମୁଦ୍ର ମଧ୍ୟକୁ ଚାଲିଯାଇଥିଲା।

ଚିହ୍ନଟ କରାଯିବା ପାଇଁ ଉକ୍ତ ହାଙ୍ଗରମାଛର ଛବି ବର୍ତ୍ତମାନ ‘ମାଲ୍‌ଡିଭ୍‌ସ୍‌ ‌ହ୍ବେଲ୍‌ ସାର୍କ ରିସର୍ଚ ପ୍ରୋଗ୍ରାମ’କୁ ପଠାଯାଇଛି। ଏହା ଆମକୁ ହାଙ୍ଗର ମାଛର ଗତିବିଧି ଏବଂ ବସବାସ ଅଞ୍ଚଳରେ ବିଷୟରେ ଅଧିକ କିଛି ଜଣାଇ ପାରିବ।