ପ୍ରଥମ ମ୍ୟାଚରୁ ଧରାଶାୟୀ ହେଲା ଶ୍ରୀଲଙ୍କା । ୧୦ ୱିକେଟରେ ମ୍ୟାଚ୍ ଜିତି , ବିଜୟରୁ ବିଶ୍ୱକପ ଅଭିଯାନ ଆରମ୍ଭ କଲା ନ୍ୟୁଜିଲାଣ୍ଡ ।

86

କନକ ବ୍ୟୁରୋ: ବଡ଼ ବିଜୟ ସହ ବିଶ୍ୱକପ୍ କ୍ରିକେଟରେ ବିଜୟ ଆରମ୍ଭ କଲା ନ୍ୟୁଜିଲାଣ୍ଡ । ଶନିବାର ଲଣ୍ଡନର କାର୍ଡ଼ିଫର ସୋଫିଆ ଗାର୍ଡେନ୍ସରେ ଖେଳାଯାଇଥିବା କ୍ରିକେଟ୍ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ଚମକିଲେ ନ୍ୟୁଜିଲାଣ୍ଡର ଓପନର ମାର୍ଟିନ ଗୁପଟିଲ ଓ କୋଲିନ ମୁନରୋ । ଉଭୟଙ୍କ ଅର୍ଦ୍ଧଶତକ ବଳରେ ଶ୍ରୀଲଙ୍କାକୁ ନ୍ୟୁଜିଲାଣ୍ଡ ସହଜରେ ପରାସ୍ତ କରିଛି। ୧୩୭ ରନ୍ ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ୧୬.୧ ଓଭରରେ କୌଣସି ଓ୍ଵିକେଟ ନ ହରାଇ ବିଜୟ ହାସଲ କରିଛି ।

ଟସ୍ ଜିଣି ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ପାଇଁ ଆମନ୍ତ୍ରଣ ମିଳିବା ପରେ ଶ୍ରୀଲଙ୍କା ୨୯.୨ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୧୩୬ ରନରେ କରିଥିଲା । ଫଳରେ ନ୍ୟୁଜିଲାଣ୍ଡକୁ ବିଜୟ ପାଇଁ ୧୩୭ ରନ୍ ଟାର୍ଗେଟ ମିଳିଥିଲା । ଶ୍ରୀଲଙ୍କା ପାଇଁ ଦିମୁଥ କରୁଣାରତ୍ନେ ସର୍ବାଧିକ ସ୍କୋର ଅପରାଜିତ ୫୨ ରନ୍ କରିଥିବା ବେଳେ କୁଶାଲ ପେରେରା ୨୯ ରନ୍ ଏବଂ ତିସାରା ପେରେରା ୨୭ ରନ୍ କରିଥିଲେ ।

ଆରମ୍ଭରୁ ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ ଦେଖାଯାଇଥିଲା । ଟିମ୍ ସ୍କୋର ୪ ରନ ଲାହିରୁ ଥିରମାନୀ ଆଉଟ୍ ହୋଇଥିଲେ। ଶ୍ରୀଲଙ୍କା ସ୍କୋର ୪୬ରେ ୨ୟ ଓ ୩ୟ, ୫୩ ରନରେ ୪ର୍ଥ, ୫୯ ରନ ୫ମ ଏବଂ ୬୦ ରନରେ ୬ଷ୍ଠ ଓ୍ଵିକେଟ୍ ହରାଇଥିଲା । ଟିମ୍ ୭ମ ଓ୍ଵିକେଟରେ ୫୨ ରନ୍ କରିଥିବା ବେଳେ ୧୧୪ ରନରେ ୮ମ ଓ୍ଵିକେଟର ପତ୍ତନ ଘଟିଥିଲା। ସ୍କୋର ୧୩୦ ରନରେ ୯ମ ଓ୍ଵିକେଟ୍ ନେଇଥିଲା ନ୍ୟୁଜିଲାଣ୍ଡ । ମଟ୍ଟ ହେନରୀ ଓ ଲକି ଫରଗୁସନଙ୍କୁ ୩-୩ ଓ୍ଵିକେଟ୍ ମିଳିଥିବା ବେଳେ ଟ୍ରେଣ୍ଟ ବୋଲ୍ଟ, କୋଲିନ ଗ୍ରାଣ୍ଡହୋମ, ଜେମସ୍ ନୀଶମ ଓ ମିଚେଲ ସଣ୍ଟନର ୧-୧ ଓ୍ଵିକେଟ୍ ନେଇଥିଲେ।